ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ପଞ୍ଚମଥର ପାଇଁ ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ତେବେ ‘ଘରେ ପଶୁଣୁ ଚାଳ ବାଜିବା’ ଭଳି ନବୀନଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳକୁ ନେଇ ଦଳ ଭିତରେ ଏବେ ତୀବ୍ର ଅସନ୍ତୋଷ ମୁଣ୍ଡ ଟେକିଲାଣି। ନବୀନଙ୍କ କୋର୍ ଟିମ୍ ଯାହାକୁ ଚାହିଁବ ତାକୁ ମନ୍ତ୍ରୀ ପଦରେ ଆସୀନ କରାଇ ପାରିବ ଓ ଏଥିପାଇଁ ସେଭଳି କୌଣସି ନିର୍ଦ୍ଦିଷ୍ଟ ଯୋଗ୍ୟତା କିମ୍ବା ମାନଦଣ୍ଡ ନାହିଁ ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରାଯାଇଛି।
ସୂଚନା ଅନୁସାରେ, ନବୀନ ଆଜି ସନ୍ଧ୍ୟାରେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଫେରିବା ପରେ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ବିଧାୟକମାନଙ୍କୁ ନବୀନ ନିବାସରୁ ଫୋନ୍ କଲ ଯାଇଥିଲା। ନବୀନ ନିବାସରୁ ପ୍ରାୟ ୨୦ଜଣ ନେତାଙ୍କୁ ଫୋନ୍ କଲ ଯାଇଥିବାବେଳେ ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ଓ ପ୍ରମିଳା ମଲ୍ଲିକଙ୍କୁ ଯଥାକ୍ରମେ ବାଚସ୍ପତି ଓ ସରକାରୀ ମୁଖ୍ୟ ସଚେତକ କରାଯିବ ବୋଲି ସନ୍ଦେଶ ଦିଆଯାଇଥିଲା। ଅନ୍ୟ ୧୮ଜଣଙ୍କୁ ଫୋନ୍ କରାଯାଇ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ବୋଲି କୁହାଯାଇଛି। ସେମାନେ ହେଲେ ଅରୁଣ ସାହୁ, ସୁଶାନ୍ତ ସିଂହ, ଅଶୋକ ପଣ୍ଡା, ନବ କିଶୋର ଦାସ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପଦ୍ମନାଭ ବେହେରା, ପ୍ରତାପ ଜେନା, ସମୀର ଦାଶ, ପ୍ରଫୁଲ୍ଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ଜଗନ୍ନାଥ ସାରକା, ରଘୁନନ୍ଦନ ଦାସ, ପଦ୍ମିନୀ ଦିୟାନ, ଓ ତୁଷାରକାନ୍ତି ବେହେରାଙ୍କୁ ମନ୍ତ୍ରୀ ହେବା ପାଇଁ ଫୋନ୍ କଲ ଯାଇଛି। ଏଥିରେ ପଦ୍ମିନୀ, ରଘୁନନ୍ଦନ, ତୁଷାରକାନ୍ତି ସମ୍ପୂର୍ଣ୍ଣ ନୂଆ ଓ ପ୍ରଥମଥର ବିଧାୟକ।
ଏହି ବିଧାୟକମାନଙ୍କୁ କେଉଁ ଆଧାରରେ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲା, ତାକୁ ନେଇ ମଧ୍ୟ ଦଳୀୟ ନେତାଙ୍କୁ ସ୍ପଷ୍ଟ ସୂଚନା ମିଳିନି। ପୁରୀ ଜିଲ୍ଲାରୁ ନିମାପଡ଼ା ବିଧାୟକ ସମୀର ଦାଶଙ୍କୁ ମନ୍ତ୍ରୀପଦ ମିଳିବାକୁ ଥିବାବେଳେ ସେଠାକୁ ଲାଗିଥିବା କାକଟପୁର ନିର୍ବାଚନମଣ୍ଡଳୀରୁ ପ୍ରଥମଥରର ବିଧାୟକ ତୁଷାରକାନ୍ତି ମଧ୍ୟ ମନ୍ତ୍ରୀ ପଦ ପାଇବେ। ସେହିପରି ରାୟଗଡ଼ା ଜିଲ୍ଲାର ବିଷମକଟକ ବିଧାୟକ ଜଗନ୍ନାଥ ସାରକାଙ୍କୁ ମନ୍ତ୍ରୀ ପଦ ଦିଆଯାଉଥିବାବେଳେ ସେହି ପାଖାପାଖି କୋଟପାଡ଼ରୁ ସମ୍ପୂର୍ଣ୍ଣ ନବାଗତା ପଦ୍ମିନୀ ଦିୟାନଙ୍କୁ ବି ମନ୍ତ୍ରୀ ପଦ ମିଳିବ।
ଜଗତସିଂହପୁର ଜିଲ୍ଲାରେ ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲିଙ୍କ ଭଳି ବରିଷ୍ଠ ନେତାମାନେ ଥିବାବେଳେ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ସମ୍ପୂର୍ଣ୍ଣ ନବାଗତ ବିଧାୟକ ରଘୁନନ୍ଦନ ଦାସଙ୍କୁ ମନ୍ତ୍ରୀ ପଦ ମିଳିବ। ସେହିପରି ଛୋଟ ଜିଲ୍ଲା ସୋନପୁରରେ ନିରଞ୍ଜନ ଓ ପଦ୍ମନାଭ ଦୁଇଜଣଙ୍କୁ ମନ୍ତ୍ରୀ ପଦ ମିଳିବାକୁ ଥିବାବେଳେ ଭୁବନେଶ୍ୱର-ଏକାମ୍ର ବିଧାୟକ ଅଶୋକ ପଣ୍ଡା ମଧ୍ୟ ନିଜର ମନ୍ତ୍ରୀ ପଦ ସୁରକ୍ଷିତ ରଖିଛନ୍ତି। ନିର୍ବାଚନ ସମୟରେ ତାଙ୍କର ସନ୍ଦେହଜନକ ଗତିବିଧି ସତ୍ତ୍ୱେ (ସାଂସଦ ପ୍ରାର୍ଥୀଙ୍କୁ କମ୍ ଭୋଟ) ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଉଥିବାରୁ ଦଳ ଭିତରେ ନୂଆ ବିବାଦ ସୃଷ୍ଟି ହୋଇଛି।
ବିଜେଡିର ଏହି ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ଅଧିକ ସଂଖ୍ୟକ ମହିଳାଙ୍କୁ ସାମିଲ କରାଯାଇପାରେ ବୋଲି ସମ୍ଭାବନା ଥିବାବେଳେ କେବଳ ୨ଜଣଙ୍କୁ ସ୍ଥାନ ମିଳିଛି। ସେହିପରି ଯୁବନେତା ଅରୁଣ ସାହୁଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାବେଳେ ଅନ୍ୟତମ ପ୍ରଭାବଶାଳୀ ଯୁବନେତା ଅତନୁ ସବ୍ୟସାଚୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ଯାହାକି ଦଳ ଭିତରେ କନ୍ଦଳକୁ ଅଧିକ ତୀବ୍ର କରାଇବ ବୋଲି ଆଶଙ୍କା କରାଯାଉଛି।
from Odisha Reporter http://bit.ly/2VYLSrD
No comments:
Post a Comment