
ସୁରତ: ଗୁଜରାଟର ସୁରତସ୍ଥିତ ସର୍ଥାନାଠାରେ ଥିବା ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିବା କାରଣରୁ ୧୬ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ବିଲ୍ଡିଂର ତୃତୀୟ ଏବଂ ଚତୁର୍ଥ ଫ୍ଲୋରରେ ନିଆଁ ଲାଗିଯାଇ ଥିଲା। ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି। ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ସଂଖ୍ୟା ଏବେ ୧୬ ହୋଇଥିଲେ ହେଁ ଏହା ବଢ଼ିବାର ସମ୍ଭାବନା ରହିଛି।
ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଜଣେ ସ୍ଥାନୀୟ ସାମ୍ବାଦିକ ଅପଲୋଡ୍ କରିଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି, କିଛି ଛାତ୍ରଛାତ୍ରୀ ଝରକା ଦେଇ ତଳକୁ ଡିଆଁ ମାରୁଛନ୍ତି। ଏକ ସ୍ଥାନୀୟ ଟିଭି ଚ୍ୟାନେଲ ପକ୍ଷରୁ କୁହାଯାଇଛି କୋଠାରୁ ସବା ଉପର ଫ୍ଲୋର ଖାଲି କରିଦିଆଯାଇଛି ଏବଂ ଏହି ଫ୍ଲୋରରେ କେହି ଫସିନଥିବା ସୂଚନା ମିଳିଛି। ଦମକଳ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରୟାସ ଚାଲିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏଠାରେ ଶର୍ଟସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ସୁରତରେ ଏହି ଅଗ୍ନିକାଣ୍ଡ ପାଇଁ ଗଭୀର ଦୁଃଖ ପ୍ରକାଶ କରୁଛି। ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଗୁଜରାଟ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଆହତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛି।” କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣାରେ ଦୁଃଖପ୍ରକାଶ କରିଛନ୍ତି। ଦମକଳ ବାହିନୀ ବ୍ୟତୀତ ସ୍ଥାନୀୟ ଲୋକେ ମଧ୍ୟ ଫସିରହିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାରରେ ଲାଗିଛନ୍ତି।
from Odisha Reporter http://bit.ly/2Wli0KC
No comments:
Post a Comment