କିଛି ନାହିଁ, ତଥାପି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

କିଛି ନାହିଁ, ତଥାପି…

ହିନ୍ଦିର ଗୋଟେ ଡାଏଲଗ୍ ଅଛି- ‘ଏକ୍ ମଛଡ୍ ଆଦ୍‌ମୀକୋ ହିଂଜ୍‌ଡ଼ା ବନା ଦେତା ହୈ।‘ ଏବେ ଭୁବନେଶ୍ୱରରେ ଗୋଟେ ଡାଏଲଗ୍ ତିଆରି ହୋଇଛି- ଗୋଟେ ବାତ୍ୟା ଗୁଡ଼ାଏ ଭଦ୍ରଲୋକଙ୍କୁ ହଠାତ୍ ଅସହିଷ୍ଣୁ କରିଦେଲା।

କିଛିଦିନ ତଳେ ଗୋଟେ ସୁନ୍ଦର ଓ ଭାବଗର୍ଭକ ଓଡ଼ିଆ ଗୀତ ଶୁଣିଥିଲି। ଆପଣ ବି ଶୁଣିଥିବେ। ସେଥିରୁ ଗୋଟେ ପଦ ଏହିପରି- ଝଡ଼ ଆସିଲେ, ଆମ ଘରଟିକୁ ଉଡ଼େଇ ନେଇପାରେ। କିନ୍ତୁ ଘର କରିବାର ସ୍ବପ୍ନକୁ ଉଡ଼େଇ ନେଇ ପାରିବନି।

ସେମିତି ଲୋକପ୍ରିୟ ଟିଭି ଧାରାବାହିକ ‘ଆଶାର ଆଲୋକ’ର ଟାଇଟଲ ଗୀତରୁ ପଦଟିଏ ଶୁଣିଲେ ଆପଣଙ୍କୁ ଖୁସି ଲାଗିବ। ତାହା ହେଲା- ‘ଯୋଉ ଆଖିରେ ଲୁହ ଜକାଏ, ସେଇ ଆଖି ଦେଖେ ସପନ।’ ଅର୍ଥାତ, ଯୋଉ ଆଖି କାନ୍ଦିପାରେ, ସେଇ ଆଖି ହିଁ ସ୍ବପ୍ନ ଦେଖିପାରେ।
ବାତ୍ୟା ପରେ ଭୁବନେଶ୍ୱର ଲୋକଙ୍କର ଆଚରଣ ଦେଖିବା ପରେ ଆଜି ଏସବୁ କଥା ମନେପଡିଲା। ଭୁବନେଶ୍ୱର ଏବେ ଶ୍ରୀହୀନ। ଲାଇନ୍ ନାହିଁ, ପାଣି ନାହିଁ, ଏଟିଏମ୍ରେ ଟଙ୍କା ନାହିଁ। ଲୋକେ ରୋଷେଇବାସ କରିପାରୁ ନାହାଁନ୍ତି। ଖରା ଗରମରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଏପରି ସମୟରେ କୌଣସି ବି ମଣିଷ ବିବ୍ରତ ହୋଇଯିବା ଆଶ୍ଚର୍ଯ୍ୟଜନକ ନୁହେଁ। ଆମ ବ୍ୟବସ୍ଥାରେ, ଗରିବ ଲୋକଟିଏ ଏହିପରି ଅଭାବ ପରିସ୍ଥିତି ଦେଇ ସବୁବେଳେ ଗତି କରିଥାଏ। ଅଧିକାଂଶ ସମୟରେ ତା ପାଖରେ ପାଣି, ଖାଦ୍ୟ, ଲାଇନ୍ ନଥାଏ। କିନ୍ତୁ ବାତ୍ୟା ଯୋଗୁ ଏବେ ସ୍ବଚ୍ଛଳ ଓ ଗରିବ ଲୋକଙ୍କ ଭିତରେ ବିଶେଷ କିଛି ଫରକ ନାହିଁ। ଫରକ କେବଳ ଏତିକି, ସ୍ୱଚ୍ଛଳ ଲୋକଙ୍କ ପାଖରେ ଟଙ୍କା ଅଛି, କିନ୍ତୁ ତାହା ହଠାତ୍ ମୂଲ୍ୟହୀନ ହୋଇପଡ଼ିଛି। କାହାର ଟଙ୍କା ଏଟିଏମ୍ ଭିତରେ ଅଛି, ତ ଆଉ କାହାର ପର୍ସରେ ଥିଲେବି, ବିପର୍ଯ୍ୟସ୍ତ ବଜାରରେ କିଣିବାକୁ କିଛି ନାହିଁ। ତେଣୁ ଧନୀ ଯାହା ଗରିବ ବି ତାହା।

ବିଶିଷ୍ଟ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କର ପ୍ରସିଦ୍ଧ ଉପନ୍ୟାସ ‘କାଳାନ୍ତର’ ଏହିପରି ଏକ ଭାବଧାରା ଉପରେ ଲିଖିତ। ପ୍ରଚଣ୍ଡ ଜାତିଗତ ବିଭେଦ, ଘୃଣା ଓ ଅସହିଷ୍ଣୁତା ଥିବା ଏକ ଗାଁରେ ହଠାତ୍ ଏକ ବାତ୍ୟା ଆସୁଛି। ଦେଖାଯାଉଛି, ନୀଚ ଜାତିର ମଣିଷଟିଏ, ତାକୁ ଦିନେ ଘୃଣା କରୁଥିବା ଉଚ୍ଚ ଜାତିର ମଣିଷଟିଏର ଜୀବନ ବଞ୍ଚାଉଛି।

ବାତ୍ୟା ପରବର୍ତ୍ତୀ ସମୟରେ ସମସ୍ତେ ଧୈର୍ଯ୍ୟହୀନ। ରାସ୍ତାକୁ ଓହ୍ଲାଇ କିଏ ଆନ୍ଦୋଳନ କରୁଛି ତ କେଉଁଠି କେଉଁଠି ରିଲିଫ୍ ପାଇଁ ଗଣ୍ଡଗୋଳ। ଗଛ ପଡ଼ି ଅବରୋଧ ହୋଇଥିବା ରାସ୍ତାରେ, ଆଗେ କିଏ ଯିବ ସେଥିପାଇଁ ଲଢ଼େଇ। ଅଭାବପଣ ହଠାତ୍ ଆମକୁ ଅସହିଷ୍ଣୁ ଓ ଅସୁରକ୍ଷିତ କରିଦେଇଛି।

କିନ୍ତୁ ସତରେ କଣ ଆମେ ଏତେ ଅସହାୟ ହୋଇପଡ଼ିଛୁ? ବାତ୍ୟା ପୂର୍ବରୁ କଣ ଆମେ କେବେ ଭୋକରେ ରହିନଥିଲୁ? ଆମ ଘରେ ଲାଇନ୍ କଟୁ ନଥିଲା? ଗ୍ୟାସ୍ ସରୁନଥିଲା? ପାଣିର ଅଭାବ ଦେଖାଦେଇ ନଥିଲା? ଆମେ ବିନା ଲାଇନ୍ରେ ଗରମରେ ଶୋଇ ନଥିଲେ?

ଅନେକ ସମୟରେ ଆମେ ଏମିତି ଅସୁବିଧା ଭୋଗିଛନ୍ତି। କିନ୍ତୁ ଏବେ ହଠାତ୍ ଲାଗୁଛି ଯେମିତି ଆମେ ପୂର୍ବରୁ ସ୍ୱର୍ଗରେ ଥିଲେ, ହଠାତ୍ ନର୍କକୁ ଆସି ଯାଇଛନ୍ତି। ବାସ୍ତବରେ ଦେଖିବାକୁ ଗଲେ, ଭୁବନେଶ୍ୱରରେ ରହୁଥିବା ସବୁ ଲୋକଙ୍କର ଗୋଟେ ଗୋଟୋ ଗାଁ ଅଛି। ମୁଁ ନିଶ୍ଚିତ, ସେ ଗାଁରେ ଅନେକ ଅଭାବ ଥିବ। ଆଜି ଆନ୍ଦୋଳନକୁ ଓହ୍ଲେଇଥିବା ବସ୍ତିର ଭାଇଭଉଣୀମାନେ ତ ବେଶୀ ଅଭାବରେ ରହନ୍ତି। କିନ୍ତୁ ସେଇମାନେ ହିଁ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଶ୍ଚର୍ଯ୍ୟ।

ଅଭାବ ବେଳେ କୌଣସି ମତେ କାମ ଚଳେଇଦେବା ଓଡ଼ିଆ ଲୋକଙ୍କ ରକ୍ତରେ ଅଛି। ତେଣୁ ଏତେ ବ୍ୟସ୍ତ ହେଲେ ଚଳିବନି। ଏତେବଡ଼ ବାତ୍ୟା, ଧ୍ୱଂସର ପରିମାଣ ଏତେ ଅଧିକ ଯେ, ଦୁଇଦିନ ଭିତରେ ସବୁକିଛି ଠିକ୍ ହୋଇଯିବ ବୋଲି ଭାବିବା ମୂଢ଼ତା ହେବ। ମୋର ମନେଅଛି, ତାର ଚୋରି ପାଇଁ ଆମ ଗାଁରେ ମାସ ମାସ ଲାଇନ୍ ଆସେନି। କିନ୍ତୁ ଆମେ ତ ଆନନ୍ଦରେ ଚଳୁ। କେବେ କିଛି ଅସୁବିଧା ହେଉଥିବା ମୋର ମନେନାହିଁ। ବିନା ଲାଇନ୍ରେ ଆମ ଘରେ ରୋଷେଇବାସ ହୁଏ, ଆମେ ରାତିରେ ଜହ୍ନର ସ୍ତୀମିତ ଆଲୁଅରେ ଆରାମ୍ରେ ତାସ୍ ଖେଳୁ। କ୍ଲବ୍ ଘର ବାରଣ୍ଡାରେ ବିନା ଫ୍ୟାନ୍ରେ ଶୋଉ।

ଏ କଥା ସତ ଯେ, ପୂର୍ବରୁ ଆମର ଗୋଟେ ମାନୁଆଲ୍ ସେଟ୍ ଅପ୍ ଥିଲା, ଅର୍ଥାତ ହାତ ତିଆରି ବ୍ୟବସ୍ଥା। ଯେମିତିକି, ପାଣି ପାଇଁ କୁଅ ଥିଲା, ଗ୍ୟାସ୍ ବଦଳରେ କାଠଚୂଲା ଥିଲା, ମଟର ସାଇକେଲ ବଦଳରେ ସାଇକେଲ ଥିଲା। ସହରୀ ସଭ୍ୟତା ଆସିବା ପରେ ବି ସେ ସବୁ ଥିଲା। ଗ୍ୟାସ୍ ଥିଲା, ତା ସହିତ କାଠଚୂଲା ବି ଥିଲା, ମଟର ସାଇକେଲ ଓ କାର୍ ସହିତ ସାଇକେଲ ବି ଥିଲା, ଟ୍ୟାପ୍ ସହିତ କୂଅ ମଧ୍ୟ ଥିଲା। କିନ୍ତୁ ଭୁବନେଶ୍ୱରର ସାମାଜିକ ବ୍ୟବସ୍ଥା, ସେ ସବୁକୁ ଉଠେଇ ଦେଲା। ଅନ୍ୟ ସହରରେ ଏ ସବୁ ଅଛି। ଯେମିତି କଟକ ଓ ବ୍ରହ୍ମପୁର। କେବଳ ଭୁବନେଶ୍ୱରର ସହରୀ ସଭ୍ୟତା ଅତି ଖରାପ ଚରିତ୍ର ନେଇ ଆଗକୁ ବଢୁଛି। ଯାହାଫଳରେ ଆଜି ଏହି ସମସ୍ୟା ଦେଇ ଗତି କରିବାକୁ ପଡିଛି।

ବାପା ସବୁବେଳେ କହୁଥିଲେ- The more the machines, the more the problem. (ମେସିନ୍ ଉପରେ ଯେତେ ଅଧିକ ନିର୍ଭର କରିବା, ସେତେ ଅଧିକ ଅସୁବିଧା ଭୋଗିବା) କଥାଟା ପୂରା ସତ। ଅତ୍ୟଧିକ ମେସିନ୍ ବ୍ୟବହାର କରି କରି ଆମେ ମେସିନ୍ ହୋଇଗଲୁଣି। ଫଳରେ ଟିକିଏ କରେଣ୍ଟ ନରହିଲେ, ଆମେ ଅସୁସ୍ଥ ଅନୁଭବ କରୁଛୁ। ଖୋଲା ପବନଠାରୁ ଫ୍ୟାନ୍ ପବନକୁ ଭଲ କହୁ। ଯୋଉଠି ସାଇକେଲଟିଏ ନେଇକି ଗଲେ ଚଳିହେବ, ସେଠିକି ସ୍କୁଟିରେ ଯାଉ।

ଏବେ ସମୟର ଆହ୍ବାନ ହେଲା, ଆସନ୍ତୁ ଧୈର୍ଯ୍ୟ ଧରିବା। ବ୍ୟସ୍ତ ହେବାନି। ରାସ୍ତା ଓ ଇଲେକ୍ଟ୍ରି ଲାଇନ୍ ସଜାଡୁଥିବା ଲୋକଙ୍କୁ ସହଯୋଗ କରିବା। ଅନ୍ଧାରକୁ ଓ ଗରମ ବିନା ଆମ ବାପଗୋସାପ ଯେମିତି ଚଳୁଥିଲେ ତାକୁ ଅନୁଭବ କରିବା। ଖୋଲା ପବନରେ ଜୀବନ ବିତେଇବା, ବିନା ମୋବାଇଲ୍ ନେଟୱର୍କରେ ଏକ ଶାନ୍ତିର ଜୀବନ ବଞ୍ଚିବା। ଦେଖିବେ ଆଉ ଆପଣଙ୍କୁ ଏତେ କଷ୍ଟ ହେବନି କିମ୍ବା ବ୍ୟସ୍ତ ଲାଗିବନି।

ସତ କହିବାକୁ ଗଲେ, ଓଡ଼ିଆଙ୍କ ଇଷ୍ଚଦେବତା ନିଜେ ମହାପ୍ରଭୁ ଜଗନ୍ନାଥ ବି ଅସୁବିଧାରେ ଅଛନ୍ତି। ବାତ୍ୟା ପାଇଁ ସେ ବି କ୍ଷତିଗ୍ରସ୍ତ ହୋଇଛନ୍ତି। ଯଦି ସେ ବ୍ୟସ୍ତ ହଉନାହାଁନ୍ତି, ଆମେ କାହିଁକି ହେବା?

ସେଇ ପୁରୁଣା ଗୀତର ଆଉ ଗୋଟିଏ ପଦ ଏଠି ଲେଖିବା ପ୍ରଯୁଜ୍ୟ ମନେହେଉଛି। ତାହା ହେଲା- ‘ସବୁଆଡ଼େ ସବୁ ବତୀ ଲିଭିଗଲା ପରେ, ଦୀପଟିଏ ଜଳୁଥାଏ କୋଉଠି ନା କୋଉଠି।‘ ଅର୍ଥାତ, କୋଉଠି ନା କୋଉଠି ଆଶାର କିରଣ ଟିକେ ଝଲସୁଛି। ବ୍ୟସ୍ତ ନହୋଇ ତାକୁ ଅପେକ୍ଷା କରାଯାଉ। ଦେଖିବେ କିଛିଦିନର ବିରତି ପରି ଯେତେବେଳେ ଆପଣଙ୍କ ଘରକୁ ଇଲେକ୍ଟ୍ରି ଲାଇନ୍ ଆସିବ, ସେଦିନ ଆପଣ ବହୁତ ଖୁସି ହେବେ। ସତେ ଯେମିତି ଆପଣ କେବେ ଲାଇନ୍ରେ ଚଳି ନଥିଲେ। ଏହାର ଅର୍ଥ ହେଲା, ଅସୁବିଧା ପରେ ଯେଉଁ ସୁବିଧା ଆସେ ତାହା ହିଁ ଖୁସି ଦିଏ। ଏବେ ଅପେକ୍ଷା କରାଯାଉ।



from Odisha Reporter http://bit.ly/2YcpZqp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages