ନୂଆଦିଲ୍ଲୀ: ନରେନ୍ଦ୍ର ଦାମୋଦର ଦାସ ମୋଦି, ଏହି ନାଁଟି ଏବେ ସମଗ୍ର ଦେଶ ଓ ବିଶ୍ୱରେ ଗୁଞ୍ଜରିତ ହେବାରେ ଲାଗିଛି। ମୋଦି ହୈ ତ ମୁମକିନ୍ ହୈ ନାରା ସତ୍ୟ ପ୍ରମାଣିତ ହୋଇଛି। ଦ୍ୱିତୀୟ ଥର ଐତିହାସିକ ବିଜୟ ସହ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏହି ଶପଥ ପାଠ ଉତ୍ସବକୁ ମୋଦି ଦେଶ ବିଦେଶର ପ୍ରାୟ ୮ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରିଛନ୍ତି।
ହେଲେ ରାଷ୍ଟ୍ର ପାଇଁ ନିଜ ପରିବାରକୁ ଭୁଲି ଯାଇଥିବା ମୋଦି ଆଜିର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିବାକୁ ନିଜ ପରିବାର ଲୋକଙ୍କୁ ନିମନ୍ତ୍ରଣ କରିନାହାନ୍ତି। ମୋଦିଙ୍କ ଶପଥ ଉତ୍ସବରେ ତାଙ୍କ ପରିବାର ଲୋକ କେହି ବି ସାମିଲ ହେବେ ନାହିଁ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଉଣୀ ବାସନ୍ତୀବେନ୍ ହିଁ ଏଭଳି ସୂଚନା ଦେଇଛନ୍ତି। ସେ କହିଛନ୍ତି, “୨୦୧୪ ପରି ୨୦୧୯ରେ ମଧ୍ୟ ଶପଥ ପାଠ ଉତ୍ସବକୁ ଆମ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇନାହିଁ। କିନ୍ତୁ ଏଥିପାଇଁ ଆମର ଦୁଃଖ ନାହିଁ। ଭାବପୂର୍ଣ୍ଣ ସମ୍ପର୍କ ଆମ ଭାଇ-ଭଉଣୀଙ୍କୁ ଯୋଡ଼ି ରଖିଛି। ଜଣେ ଭଉଣୀ ଭାଇକୁ ରାକ୍ଷୀ ପଠାଇ ଥାଏ।
ସେ ସର୍ବଦା ଭାଇର ଶୁଭ କାମନା କରି ଭାଇ କେମିତି ଆଗକୁ ଯିବ, ସେଥିପାଇଁ ପ୍ରାର୍ଥନା କରେ। ଏବେ ଗୋଟିଏ ଗରିବ ପରିବାରର ପିଲା ଆଗକୁ ବଢ଼ୁଛି। ଲୋକମାନେ ତାଙ୍କୁ ସମର୍ଥନ କରୁଛନ୍ତି। ହୃଦୟଖୋଲା କରି ଲୋକମାନେ ତାଙ୍କୁ ଭୋଟ ଦେଇଛନ୍ତି।
ମୁଁ ଏଥିପାଇଁ ଲୋକଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି। ଯେବେ ନରେନ୍ଦ୍ର ମୋଦି ଭଡନଗର ଆସିଥିଲେ ସେତେବେଳେ ତାଙ୍କ ସହ ମୋର ଦେଖା ହୋଇଥିଲା। ସେହି ସମୟରେ ହିଁ ମୋଦିଙ୍କ ହାତରେ ମୁଁ ରାକ୍ଷୀ ବାନ୍ଧିଥିଲି। ସେ ନିଜ ଜୀବନକୁ ରାଷ୍ଟ୍ର ପାଇଁ ସମର୍ପିତ କରିଛନ୍ତି। ଆମେ ତାଙ୍କ ଖୁସିରେ ଖୁସି।”
from Odisha Reporter http://bit.ly/2I9H8uv
No comments:
Post a Comment