
ଲକ୍ଷ୍ନୌ: ପଶ୍ଚିମବଙ୍ଗରେ ଗୋଟିଏ ଦିନ ପୂର୍ବରୁ ପ୍ରଚାର ଉପରେ ନିର୍ବାଚନ କମିଶନ ରୋକ୍ ଲଗାଇବା ନିଷ୍ପତ୍ତିକୁ ସମାଲୋଚନ କରିଛି ବହୁଜନ ସମାଜ ପାର୍ଟି। ବିଏସପି ସୁପ୍ରିମୋ ମାୟାବତୀଙ୍କ ପୂର୍ବରୁ ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ପକ୍ଷପାତିତା କହି ସମାଲୋଚନା କରିଥିଲେ।
ଆଜି ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କର ଦୁଇଟି ରାଲି ରହିଛି। ତେଣୁ ଏହାକୁ ନଜରରେ ରଖି ନିର୍ବାଚନ କମିଶନ ଆଜି ରାତି ୧୦ଟା ପରେ ପ୍ରଚାର ଉପରେ ରୋକ ଲଗାଇଛନ୍ତି ବୋଲି ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି। ଯଦି ପ୍ରଚାର ଉପରେ ରୋକ ଲଗାଇବାର ଥିଲା ତାହେଲେ ଆଜି ସକାଳଠୁ କାହିଁକି ରୋକ ଲଗା ଗଲାନି ବୋଲି ମାୟାବତୀ ପ୍ରଶ୍ନ କରିଛନ୍ତି। ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀଙ୍କ ଚାପରେ କାମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ସଚୂନାଯୋଗ୍ୟ ଯେ ମେ ୧୯ରେ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ରହିଛି। ଏଥିପାଇଁ ମଙ୍ଗଳବାର ସଂଧ୍ୟାରେ ଅମିତ ଶାହ ନର୍ଥ କୋଲକାତାରେ ଏକ ରାଲି କରିଥିଲେ। ଏହି ରୋଡ ଶୋ ବେଳେ ହିଂସା କାଣ୍ଡ ହୋଇଥିଲା। ଏହାକୁ ନେଇ ବିଜେପି ଟିଏମସି ପରସ୍ପରକୁ ଦୋଷାରପ କରିଛନ୍ତି। ହିଂସାକାଣ୍ଡ ଘଟଣାକୁ ନେଇ ରାଜନୀତି ତୀବ୍ର ହେବା ପରେ ନିର୍ବାଚନ କମିଶନ ଗତକାଲି ଗୋଟିଏ ଦିନ ଆଗରୁ ପ୍ରଚାର ଉପରେ ରୋକ ଲଗାଇଛନ୍ତି।
ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ପ୍ରସଙ୍ଗରେ ମାୟାବତୀ ଆହୁରି କହିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିବାକୁ ଯାଇ ବିଜେପି ସଭାପତି ଓ ପ୍ରଧାନମନ୍ତ୍ରୀ ମୋଦି ଜାଣିଶୁଣି ଯୋଜନାବଦ୍ଧ ଭାବରେ ମମତାଙ୍କୁ ହଇରାଣ କରୁଛନ୍ତି। ଯାହାକି ପ୍ରଧାନମନ୍ତ୍ରୀଙ୍କୁ ଶୋଭା ଦେଉନି ବୋଲି ସେ କହିଛନ୍ତି।
ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସ କହିଛି ନିର୍ବାଚନ ବେଳେ ‘ମୋଡଲ କୋଡ୍ ଅଫ୍ କଣ୍ଡକ୍ଚ; ଏବେ ‘ମୋଦି କୋଡ୍ ଅଫ୍ କଣ୍ଡକ୍ଟ’ ପାଲଟି ଯାଇଛି। ୧୬ ତାରିଖ ଦିନ ରାତିର ହୋଇଥିବା ହିଂସାକାଣ୍ଡ ଗଣତନ୍ତ୍ର ଇତିହାସର କଳାଦିନ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା କହିଛନ୍ତି।
ସେହିପରି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ସମାଲୋଚନ କରିଛନ୍ତି। ମୋଦିଙ୍କୁ ଉପହାର ଦେବାକୁ ଯାଇ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ନିର୍ବାଚନ କମିଶନ ଧାରା ୩୨୪ ଲଗାଇଛନ୍ତି ବୋଲି ମମତା କହିଛନ୍ତି।
from Odisha Reporter http://bit.ly/30fJQa2
No comments:
Post a Comment