ନନାଙ୍କ ଛକାରେ ୨ କୋଟିପତି ନେତା ଚିତ୍‌ପଟାଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ନନାଙ୍କ ଛକାରେ ୨ କୋଟିପତି ନେତା ଚିତ୍‌ପଟାଙ୍ଗ

prata

ନୀଳଗିରି(ବିଶ୍ୱମ୍ୱର ଦାସ): ପ୍ରତାପ ଷଡ଼ଙ୍ଗୀ। ଗାଁରେ ଡାକନ୍ତି ପ୍ରତାପ ନନା। ଭାରି ସିଧାସାଧା ମଣିଷଟିଏ। କଥା ତାଙ୍କର ରୋକଠୋକ ହେଲେ ମଧ୍ୟ ମନଟା ସରଳ ଆଉ ନିଷ୍କପଟ। ୪ ବଖରା ଚାଳଛପର ଘରେ ଭିତରେ ସୁନ୍ଦର ଭାରତର ସ୍ୱପ୍ନ ଦେଖୁଥିବା ଏହି ମଣିଷ ଜଣଙ୍କ ଦିଲ୍ଲୀ ଯିବେ। ସଂସଦ ଭବନରେ ବାଲେଶ୍ୱରିଆଙ୍କ ସମେତ ଓଡ଼ିଶା ଲୋକଙ୍କ ସୁଖ, ଦୁଃଖ ଓ ହକ୍‌ ବଖାଣିବେ।

ସତ କହିବାକୁ ଗଲେ ଏଥର ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ଛକା ମାରିଛନ୍ତି। ମଇଦାନରେ ଥିବା ଦୁଇ ଜଣ କୋଟିପତିଙ୍କୁ ପରାସ୍ତ କରି ଓଡ଼ିଶା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

pratap1ନିଆରା ଜୀବନ ଶୈଳୀରେ ବଞ୍ଚୁଥିବା ନନା ଏଥର ବିଜେଡିର ବାଲେଶ୍ୱର ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ଜେନା ଓ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ତେବେ ଏହି ଦୁଇ ନେତାଙ୍କୁ କୋଟିପତି ବୋଲି କାହିଁକି କୁହାଯାଉଛି? ପ୍ରକୃତରେ କହିବାକୁ ଗଲେ ବାବୁ ରବୀନ୍ଦ୍ର ବିଜେଡି ସାଂସଦ ରହିବା ସହିତ ଜଣେ ଜଣାଶୁଣା ଶିଳ୍ପପତି ମଧ୍ୟ। ଠିକ୍‌ ସେମିତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ଜଣେ କୁବେର। ଏପରି ଦୁଇ କୋଟିପତିଙ୍କୁ ହରାଇ ଚାମ୍ପିଅନ୍‌ ହୋଇଛନ୍ତି ନନା। ଏମାନଙ୍କ ଅର୍ଥ ବଳ ଆଗରେ ନନାଙ୍କ ଆର୍ଥିକ ସ୍ଥିତି ଶୂନ୍ୟ ବୋଲି କହିଲେ ଠିକ୍‌ ହେବ। କିନ୍ତୁ ଲୋକପ୍ରିୟତାରେ ନନା ଯେ ଏହି କୋଟିପତିଙ୍କୁ ଧୂଳି ଚଟାଇ ଦେଇପାରନ୍ତି, ତାହା ପ୍ରମାଣିତ ହେଲା।

pratap2ଦୁଇ ଦୁଇ ଥର ବିଧାୟକ ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ନିଆରା। ପୂର୍ବରୁ ସେ ବିଧାନସଭାରେ ନୀଳଗିରିବାସୀଙ୍କ ଦାବି ଉପସ୍ଥାପନ କରିବା ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ତର୍କରେ ଭାଗ ନେଇଛନ୍ତି। କିନ୍ତୁ ନିଜେ ରହୁଛନ୍ତି ଗାଁର ଏକ ଚାଳ ଛପର ଘରେ। ଜୀବନଶୈଳୀ ସମ୍ପୂର୍ଣ୍ଣ ନିରାଡ଼ମ୍ୱର।

pratap4ସାଧାରଣ ଧୋତି କୁର୍ତ୍ତାରେ ରହୁଥିବା ନନା ସକାଳୁ ଉଠନ୍ତି, ଲିମ୍ୱ ଦାନ୍ତକାଠିରେ ଦାନ୍ତ ଘଷନ୍ତି। ଗାଁ ଦାଣ୍ଡରେ ଥିବା ନଳକୂପ ତଳେ ସ୍ନାନ କରନ୍ତି। ଆଉ ଜନସାଧାରଣ ଏଭଳି ନିର୍ମୋହୀ ଲୋକକୁ କାହିଁକି ବା ପସନ୍ଦ ନ କରିବେ?

pratap123ନିଜର କର୍ମମୟ ଜଞ୍ଜାଳରୁ ଫୁରସତ ମିଳିଲେ ଛୋଟ ଛୋଟ ଛୁଆଙ୍କ ସହିତ ସେ ସମୟ ଅତିବାହିତ କରନ୍ତି। କେତେବେଳେ ଗାଁ ଦାଣ୍ଡରେ ପିଲାଙ୍କ ସହିତ କ୍ରିକେଟ୍‌ ଖେଳନ୍ତି ତ ଆଉ କେତେବେଳେ ତାଙ୍କୁ ଛୋଟ ଛୁଆଙ୍କୁ ଧରି ବୁଲୁଥିବାର ଦେଖିବାକୁ ମିଳେ। ଏସବୁର ଫଟୋ ଏବେ ସୋଶାଲ୍‌ ମିଡ଼ିଆରେ ଘୂରି ବୁଲୁଛି। pratap6ଦୁଇ ଦୁଇ ଥର ବିଧାୟକ ହୋଇଥିବା ନନାଙ୍କ ଏପରି ଜୀବନ ଶୈଳୀକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ନନାଙ୍କ ସମ୍ପର୍କରେ ଯାହାକିଛି ସୋଶାଲ ମିଡ଼ିଆରେ ଘୂରି ବୁଲୁଛି, ତାହା ସମ୍ପୂର୍ଣ୍ଣ ସତ। ଏ ସମ୍ପର୍କରେ ନନା କିଛି କହିନଥିଲେ ମଧ୍ୟ ତାଙ୍କ ସମ୍ପର୍କୀୟଠାରୁ ଏହି ତଥ୍ୟ ସଂଗୃହୀତ ହୋଇଛି।

pratap78ଚୁମ୍ୱକରେ ପ୍ରତାପ ନନା

ବାଲେଶ୍ୱର ଜିଲ୍ଲା ନୀଳଗିରି ସବ୍‌ଡିଭିଜନ୍‌ ସଦର ମହକୁମାଠାରୁ ୩ କିମି ଗଲେ ପଡ଼ିଥାଏ ଗୋପୀନାଥପୁର ଶାସନ। ଏହିଠାରେ ପ୍ରତାପ ଷଡ଼ଙ୍ଗୀଙ୍କ ଜନ୍ମ। ଦୁଇ ଭାଇଙ୍କ ଭିତରୁ ଇଏ ବଡ଼। ପାଠ ପଢ଼ିବା ବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆର୍‌ଏସ୍‌ଏସ୍‌) ସହିତ ଯୋଡ଼ି ହୋଇଯାଇଥିଲେ ସେ। ନିଜର ନିଷ୍ଠାପର କାର୍ଯ୍ୟ ପାଇଁ ସେ ଜଣେ ଦକ୍ଷ ସଙ୍ଗଠକ ହୋଇପାରିଛନ୍ତି। ଏହାଛଡ଼ା ବିଶ୍ୱହିନ୍ଦୁ ପରିଷଦର ସେ ଜଣେ ସକ୍ରିୟ ସଭ୍ୟ ଅଛନ୍ତି।

pratap85ପାଠ ପଢ଼ା ଶେଷ କରି ସେ ନୀଳଗିରି ମହାବିଦ୍ୟାଳୟରେ ବରିଷ୍ଠ କିରାଣୀ ଭାବେ ଯୋଗ ଦେଇଥିଲେ। ମାତ୍ର ସେଠାରେ ସେ ବେଶୀ ଦିନ ରହିପାରି ନ ଥିଲେ। ଲୋକଙ୍କ ପାଇଁ କିଛି କରିବାର ଇଚ୍ଛା ତାଙ୍କ ମନରେ ଥିଲା। ସେଥିପାଇଁ ସେ ୨୦୦୦ ମସିହାରେ ବିଜେପିରୁ ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ମାତ୍ର ଗତ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। କିନ୍ତୁ ଏଥର ବାଲେଶ୍ୱର ଓ ମୟୂରଭଞ୍ଜର ଜିଲ୍ଲାବାସୀଙ୍କ ମନ କିଣି ପାରିଛନ୍ତି ନନା। ପ୍ରତିପକ୍ଷ ଦୁଇ ଶିଳ୍ପପତିଙ୍କ ସବୁପ୍ରକାର ଉଦ୍ୟମ ସତ୍ତ୍ୱେ ନିଜର ବିଜୟ ବାନା ଉଡ଼ାଇଥିବାରୁ ଓଡ଼ିଶାର ଚାରିଆଡ଼ୁ ନନାଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟିଛି।



from Odisha Reporter http://bit.ly/2Wn0dm1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages