
ସମ୍ବଲପୁର(ସଞ୍ଜୟ କୁମାର ଜେନା) ଲୋଡ଼ା ନାହିଁ ମଦୁଆ ବର। ଲୋଡ଼ା ନାହିଁ ମଦ୍ୟପ ସହ ସଂସାର। ମଙ୍ଗୁଳା କନ୍ୟାର ଏଭଳି ଚରମ ନିଷ୍ପତ୍ତି ଆଗରେ ବର ପାଲଟିଗଲା ଶିଶୁପାଳ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳରେ ଘଟିଛି ଏହି ଚର୍ଚ୍ଚିତ ଘଟଣା ନିଶାରେ ଚୁର୍ ହୋଇ ବିବାହ ପାଇଁ ଆସିଥିବା ବରକୁ ବେଦିରୁ ବିଦା କରିଦେଲେ ଯୁବତୀ। ଜାତି ସମାଜ ଏବଂ ଉଭୟ ପରିବାରର ନିଷ୍ପତ୍ତିକ୍ରମେ ଉଭୟଙ୍କ ବିବାହକୁ ବି ବନ୍ଦ କରିଦିଆଗଲା। ତେବେ ଏଭଳି ନିଷ୍ପତ୍ତି ଲାଗି ସାରା ଜିଲ୍ଲାରେ ଯୁବତୀ ଜଣକ ଏବେ ଚର୍ଚ୍ଚାରେ।
ମଙ୍ଗୁଳା କନ୍ୟାର ଚରମ ନିଷ୍ପତ୍ତି ପାଇଁ ପାଲଟିଗଲା ବର ସୁରେନ୍ଦ୍ର ନାଏକ ପାଲଟିଗଲେ ଶିଶୁପାଳ। ଘର ତାଙ୍କର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଅଞ୍ଚଳରେ। ସୁରେନ୍ଦ୍ରଙ୍କ ସହ ଯୁଯୁମୁରା ଗୋବର୍ଦ୍ଧନ ବଡ଼ମାଲର ଭିକ ଭୋଏଙ୍କ ଝିଅ ମମତାଙ୍କ ସହ ବିବାହ ସ୍ଥିର ହୋଇଥିଲା। ଗତ ରବିବାର ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚିଥିଲେ ସୁରେନ୍ଦ୍ର । ଭୋଜିଭାତ ପରେ ନିଶାରେ ଚୁର୍ ହୋଇ ବେଦି ଉପରକୁ ବି ଉଠିଥିଲେ ସୁରେନ୍ଦ୍ର । ହେଲେ ବର ଟଳମଳ ହୋଇ କେତେବେଳେ ଢୁଳେଇ ପଡୁଥିଲେ ତ’ ଆଉ କେତେବେଳେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ ଭାବି ପତ୍ନୀଙ୍କୁ । ଶେଷରେ ସାହସ ଜୁଟାଇ ଏଭଳି ମଦ୍ୟପ ବରକୁ ବିବାହ କରିବେନି ବୋଲି ରୋକଠୋକ୍ ଶୁଣାଇ ବେଦିରୁ ଉଠିଯାଇଥିଲେ ମମତା।
ତେବେ ଏଭଳି ଘଟଣା ନୂଆ ନୁହେଁ । ଗତ ଫେବୃୟାରୀ ୨୨ରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳରେ ବି ମଦ୍ୟପ ବରକୁ ଏଭଳି ଢଙ୍ଗରେ ସାବାଡ୍ କରିଥିଲେ ମଙ୍ଗୁଳା କନ୍ୟା। ମଦନିଶାରେ ଚୁର୍ ହୋଇ ବିବାହ ବେଦିରେ ପହଞ୍ଚିବା କ୍ଷଣି ଚେତାଶୂନ୍ୟ ହୋଇଯାଇଥିଲେ ବର । ତେଣୁ ବାହା ହେବାକୁ ସିଧାସଳଖ ମନା କରିଦେବା ପରେ ବର ପାଲଟିଯାଇଥିଲେ ଶିଶୁପାଳ । ତେବେ ମଙ୍ଗୁଳା କନ୍ୟାଙ୍କ ଏଭଳି ସାହସ ପାଇଁ ସବୁଠି ଏବେ ପ୍ରଶଂସା । ତେବେ ବର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ମଦୁଆ ବରକୁ ଛି କରିଥିବା ଏହି ମଙ୍ଗୁଳା କନ୍ୟାଙ୍କ ନିଷ୍ପତ୍ତିକୁ ନେଇ ସାରା ସମ୍ବଲପୁର ଜିଲ୍ଲାରେ ଚର୍ଚ୍ଚା ।
from Odisha Reporter http://bit.ly/2WHdbbd
No comments:
Post a Comment