
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ନାହିଁ କିମ୍ବା ଆସନ୍ତାକାଲି ଫଳ ପ୍ରକାଶ ନିମନ୍ତେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ବିଏସଇ)ର କୌଣସି ଯୋଜନା ନାହିଁ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ସ୍ପଷ୍ଟ କରିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବୋର୍ଡ ସଭାପତି ବେଗମ୍ କହିଛନ୍ତି ଯେ, ଓଡ଼ିଶା ବିଏସଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନକୁ ନେଇ ମିଥ୍ୟା ସୂଚନା ପ୍ରଚାର କରାଇବାରେ ସମ୍ପୃକ୍ତ ଥିବା ବୋର୍ଡ ଅଧିକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୋର୍ଡ ପକ୍ଷରୁ ସେଭଳି କର୍ମଚାରୀ ଓ ଅଫିସରଙ୍କୁ ଚିହ୍ନଟ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି। ତେବେ ଏହା ସ୍ପଷ୍ଟ ଯେ, ମେ’ ୨୦ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ନାହିଁ ଓ ମେ’ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ବୋର୍ଡ ଯୋଜନା କରିଛି।
ମାଟ୍ରିକ ପରୀକ୍ଷା ଫଳ ମେ’ ୨୦ତାରିଖରେ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି କହିଥିବା କଥା କେତେକ ଗଣମାଧ୍ୟମରେ ପୂର୍ବରୁ ଉଲ୍ଲେଖ କରାଯାଇଥିଲା। କିନ୍ତୁ ସେ ସେଭଳି ସୂଚନା କାହାକୁ ଦେଇନାହାନ୍ତି ଓ ତାଙ୍କ ନାଁ’କୁ ଗଣମାଧ୍ୟମ ଉଲ୍ଲେଖ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍ କହିଛନ୍ତି। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପରୀକ୍ଷା ଫଳ କେଉଁ ତାରିଖରେ ପ୍ରକାଶ ପାଇବ ସେ ନେଇ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ ନିଷ୍ପତ୍ତି ନିଆଯାଇନି।
ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ସେ ଧେର୍ଯ୍ୟ ଧରିବା ପାଇଁ ଅନୁରୋଧ କରିବା ସହ ମେ’ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି। ପରୀକ୍ଷା ଫଳ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଅବା ଅବଗତ କରାଇବା ନିମନ୍ତେ ବୋର୍ଡର କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଅଧିକୃତ କରାଯାଇନାହିଁ। ଏପରିକି ବୋର୍ଡର କୌଣସି ଅଧିକାରୀ ମଧ୍ୟ ଗଣମାଧ୍ୟମକୁ ବ୍ୟକ୍ତିଗତ ଭାବେ କିଛି ସୂଚନା ଦେଇପାରିବେ ନାହିଁ। ବୋର୍ଡ ପକ୍ଷରୁ ଆନୁଷ୍ଠାନିକ ଭାବେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଚଳିତବର୍ଷ ୫.୨୩ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି।
ଗତବର୍ଷ ମାଟ୍ରିକ ପରୀକ୍ଷା ଫଳ ମେ’ ୭ତାରିଖରେ ପ୍ରକାଶ ପାଇଥିଲା।
from Odisha Reporter http://bit.ly/2VCI1Ao
No comments:
Post a Comment