
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଫୋନି’ ପ୍ରଭାବିତ ଓଡ଼ିଶା ପାଇଁ କେନ୍ଦ୍ର ସରକାର ଆଉ ୧୦୦୦ କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ‘ଫୋନି’ କ୍ଷୟକ୍ଷତିର ସମୀକ୍ଷା କରିବା ପରେ ଏହି ଘୋଷଣା କରିଛନ୍ତି। ଏହା ପୂର୍ବରୁ ‘ଫୋନି’କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟକୁ ଆଗୁଆ ୩୪୦ କୋଟି ଟଙ୍କା ପ୍ରଦାନ କରିଥିଲେ।
ଏହା ସହିତ ବାତ୍ୟା ଯୋଗୁ ପ୍ରାଣ ହରାଇଥିବା ପ୍ରତି ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।
ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ପ୍ରଭାବିତ ଅଞ୍ଚଳରେ ଯେତେ ଶୀଘ୍ର ସମ୍ଭବ ବିଦ୍ୟୁତ୍ ଓ ଜଳ ଯୋଗାଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହା ସହିତ ମୋବାଇଲ୍ ସେବା ଯୋଗାଇ ଦେବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ଓଡ଼ିଶାକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଅର୍ଥ, ଲୋକବଳ କିମ୍ବା ମେସିନ୍ର କୌଣସି ଅଭାବ ରହିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ତା’ସହିତ ‘ଫୋନି’କୁ ଦୃଷ୍ଟିରେ ରଖି ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।
ଆଜି ପ୍ରଧାନମନ୍ତ୍ରୀ ବାୟୁସେନା ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ‘ଫୋନି’ ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିଥିଲେ। ତାଙ୍କ ସହିତ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।
ଆକାଶ ମାର୍ଗରୁ କ୍ଷୟକ୍ଷତିର ଆକଳନ କରିବା ପରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ସମୀକ୍ଷା ବୈଠକ କରିଥିଲେ। ଏଥିରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
from Odisha Reporter http://bit.ly/2VK47Fd
No comments:
Post a Comment