
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ସରକାର ଗଠନ ହେବାକୁ ଯାଉଛି। ୨୯ତାରିଖ ଦିନ ଏକ ନିରାଡ଼ମ୍ବର ସମାରୋହରେ ନବୀନ ଓ ତାଙ୍କ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ମନ୍ତ୍ରୀ ପଦ ପାଇଁଁ ବିଜେଡି ନେତାମାନଙ୍କ ମଧ୍ୟରେ ଲବି ଓ ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ କେଉଁ ମାନଦଣ୍ଡ ଆଧାରରେ ନବୀନ ନିଜର ମନ୍ତ୍ରିମଣ୍ଡଳ ସହଯୋଗୀଙ୍କୁ ଚୟନ କରିବେ ତାକୁ ନେଇ ପାୱାର କରିଡରରେ ନାନାଦି ଚର୍ଚ୍ଚା ଜୋର ଧରିଛି।
ବିଜେଡି ସୂତ୍ର ଅନୁସାରେ, ନବୀନଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ବେଶ୍ ସନ୍ତୁଳିତ ହେବ। ଏଥିପାଇଁ ଏବେ ତାଲିକା ପ୍ରସ୍ତୁତି ଚାଲିଛି। ଦକ୍ଷତା, ଆନୁଗତ୍ୟ, ଆଞ୍ଚଳିକ ଭାରସାମ୍ୟ ସମେତ ଅଧିକ ସଂଖ୍ୟକ ମହିଳାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଚଳିତଥର ବାଚସ୍ପତି କିମ୍ବା ଉପବାଚସ୍ପତି ପଦ ମଧ୍ୟରୁ ଗୋଟିଏରେ ମହିଳା ବିଧାୟକଙ୍କୁ ଅବସ୍ଥାପିତ କରିବାକୁ ଯୋଜନା ଚାଲିଥିବାବେଳେ ବିଞ୍ଝାରପୁର ବିଧାୟିକା ତଥା ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି କରାଯିବାର ସମ୍ଭାବନା ରହିଛି। ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଥର ୨ଜଣ ପରିବର୍ତ୍ତେ ୩ଜଣ ମହିଳା ମନ୍ତ୍ରୀ ରହିପାରନ୍ତି। ମହିଳା ମନ୍ତ୍ରୀ ଦୌଡ଼ରେ ଉଷା ଦେବୀ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ ଓ ଲତିକା ପ୍ରଧାନ ରହିଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଉଷା ଦେବୀଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ମଧ୍ୟ ରହିଛି।
ପ୍ରଥମଥର ପାଇଁ ମନ୍ତ୍ରିମଣ୍ଡଳରେ ଗଞ୍ଜାମ ଜିଲ୍ଲାର ପ୍ରତିନିଧିତ୍ୱ ହ୍ରାସ ପାଇବ ବୋଲି ଜଣାପଡ଼ିଛି। ପୂର୍ବରୁ ମନ୍ତ୍ରିମଣ୍ଡଳରେ ନବୀନଙ୍କୁ ମିଶାଇ ୪ରୁ ୫ଜଣ ମନ୍ତ୍ରୀ କେବଳ ଗଞ୍ଜାମ ଜିଲ୍ଲାରୁ ରହୁଥିଲେ। ଏଥର ସେଥିରେ ବ୍ୟତିକ୍ରମ ହେବାର ସମ୍ଭାବନା ଥିବାବେଳେ ବିକ୍ରମ କେଶରୀ ଆରୁଖ ଓ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରିବର୍ତ୍ତେ ବିକ୍ରମ ପଣ୍ଡାଙ୍କୁ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି। ମନୋହର ରନ୍ଧାରୀ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟରେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।
ସେହିପରି ପଶ୍ଚିମ ଓ ଉତ୍ତର ଓଡ଼ିଶାରୁ ଭୂପିନ୍ଦର ସିଂହ, ନବ ଦାସ, ପଦ୍ମନାଭ ବେହେରା , ବିଜୟରଞ୍ଜନ ସିଂ ବରିହା, ଶାରଦା ନାୟକ, ସୁଦାମ ମାର୍ଣ୍ଡିଙ୍କ ମଧ୍ୟରୁ ୪ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ସେହିପରି ଗତବର୍ଷ ବିଜେଡିରେ ସାମିଲ ହୋଇ ସର୍ବାଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ପ୍ରଫୁଲ୍ଲ ମଲ୍ଲିକ, ଅରୁଣ ସାହୁ, ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ପ୍ରଶାନ୍ତ ମୁଦୁଲି, ପ୍ରଫୁଲ୍ଲ ସାମଲ, ପ୍ରଣବ ପ୍ରକାଶ ଦାସ, ଉମାକାନ୍ତ ସାମନ୍ତରାୟ ଓ ଅରବିନ୍ଦ ଢ଼ାଲିଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି। ଏହି ନେତାମାନଙ୍କୁ ମନ୍ତ୍ରୀ ପଦରେ ଆସୀନ କରି ବିଜେଡି ପ୍ରାୟତଃ ସବୁ ଜିଲ୍ଲାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱର ସୁଯୋଗ ଦେବାକୁ ପ୍ରୟାସ କରିବ। କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅବିଭକ୍ତ ଢେଙ୍କାନାଳ, ଅବିଭକ୍ତ ବାଲେଶ୍ୱର, ଝାରସୁଗୁଡ଼ା, କଳାହାଣ୍ଡି, ବରଗଡ଼ , ସୋନପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ଅବିଭକ୍ତ କୋରାପୁଟ, ଅବିଭକ୍ତ ଗଞ୍ଜାମ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେବାକୁ ପ୍ରୟାସ କରାଯାଉଥିବା ସୂଚନା ମିଳିଛି।
ମନ୍ତ୍ରିମଣ୍ଡଳର ସମସ୍ତ ପଦବୀ ପୂରଣ ନକରି ନବୀନ ଗୋଟିଏ କିମ୍ବା ଦୁଇଟି ମନ୍ତ୍ରୀ ପଦକୁ ଖାଲି ରଖିବାର ମଧ୍ୟ ବହୁତ ସମ୍ଭାବନା ରହିଛି। ଏହାବ୍ୟତୀତ ବିଜେପି ପ୍ରଥମଥର ପାଇଁ ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ବିଧାନସଭାର ସୁପରିଚାଳନା ପାଇଁ ଉପବାଚସ୍ପତି, ସରକାରୀ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ପଦବୀରେ ମଧ୍ୟ ଦଳର ଅଭିଜ୍ଞ ନେତାଙ୍କୁ ଥଇଥାନ ପାଇଁ ରଣନୀତି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଏସବୁ ସମ୍ଭାବ୍ୟ ନେତାମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଗୁଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ପରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସମ୍ଭାବ୍ୟ ମନ୍ତ୍ରୀ ଓ ବିଭାଗ ତାଲିକା ଚୂଡ଼ାନ୍ତ ହେବ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି।
from Odisha Reporter http://bit.ly/30Csgx8
No comments:
Post a Comment