ନୂଆଦିଲ୍ଲୀ: ଗୋଟିଏ ପଟେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଅନ୍ୟପଟେ ଜମ୍ମୁ-କଶ୍ମୀରର ସୋପୋରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହୋଇଥିବା ଏହି ହମ୍ଲା କିନ୍ତୁ ଭଣ୍ଡୁର ହୋଇଯାଇଛି।
ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୨ ଜଣ ଲସ୍କର-ଏ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପୋର ଜିଲ୍ଲା ଡାଙ୍ଗରପୁରାରେ ଆତଙ୍କବାଦୀମାନେ ଲୁଚି ରହି ହମ୍ଲା ପାଇଁ ଯୋଜନା କରୁଥିବା ସୂଚନା ମିଳିଥିଲା। ଏହାପରେ ରାଷ୍ଟ୍ରୀୟ ରାଇଫଲ ଓ ଜମ୍ମୁ-କଶ୍ମୀର ପୁଲିସ୍ର ସ୍ୱତନ୍ତ୍ର ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।
ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ସୁରକ୍ଷାକର୍ମୀ ପହଞ୍ଚିବା କ୍ଷଣି ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ଆତଙ୍କବାଦୀମାନେ ଏହାର ଜବାବ ଗୁଳିରେ ଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏନ୍କାଉଣ୍ଟର୍ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।
ଏମାନେ ପାକିସ୍ତାନରେ ସକ୍ରିୟ ଲସ୍କର-ଏ-ତାଇବାର ସଦସ୍ୟ ବୋଲି ଜଣାପଡ଼ିଛି। ଏମାନଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ବନ୍ଧୁକ ଜବତ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିଛି ସ୍ଥାନରେ ସାଧାରଣ ଲୋକମାନେ ରାସ୍ତା ଉପରକୁ ଆସି ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୋପର୍ରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ସେହିପରି ଆଜି ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି।
from Odisha Reporter http://bit.ly/2I7rOyI
No comments:
Post a Comment