ଦିନେ ଏମିତି ଗୋଟେ ଖରାଦିନିଆ ବାତ୍ୟାରେ ହଜିଯାଇଥିଲେ ମହାପ୍ରଭୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ଦିନେ ଏମିତି ଗୋଟେ ଖରାଦିନିଆ ବାତ୍ୟାରେ ହଜିଯାଇଥିଲେ ମହାପ୍ରଭୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅକ୍ଷୟ ତୃତୀୟା। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ଯାତ୍ରା। ମଧ୍ୟାହ୍ନ ଧୂପ ପରେ ଶ୍ରୀ ଜୀଉଙ୍କ ପ୍ରମୁଖ ଚଳନ୍ତି ବିଗ୍ରହ ମଦନମୋହନଙ୍କୁ ଚାପରେ ବିଜେ କରାଇ ନୌ ବିହାର କରାଯିବ। ଓଡ଼ିଆ ଲୋକେ ମହାପ୍ରଭୁଙ୍କ ଏହି ଗ୍ରୀଷ୍ମକାଳୀନ ଉତ୍ସବକୁ ଚନ୍ଦନ ଯାତ୍ରା କୁହନ୍ତି। ହେଲେ ଆପଣ ଜାଣି ନ ଥିବେ, ମହାପ୍ରଭୁଙ୍କ ଏହି ଚନ୍ଦନଯାତ୍ରା ସହ ବିଗତ ଦିନର ଗୋଟିଏ ଗ୍ରୀଷ୍ମକାଳୀନ ମହାବାତ୍ୟାର ସମ୍ପର୍କ ରହିଛି। ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। କହିବାର କାରଣ ଏ ବର୍ଷ ମଧ୍ୟ ଅପ୍ରତ୍ୟାଶିତ ଭାବେ ଗ୍ରୀଷ୍ମକାଳରେ ଅକସ୍ମାତ ମହାବାତ୍ୟାଟିଏ ସଂଗଠିତ ହୋଇଥିଲା ଆଉ ପୁରୀ ସହର ସମେତ ପାର୍ଶ୍ୱବର୍ତ୍ତୀ ଜିଲାର ପ୍ରଭୁତ କ୍ଷତି ଘଟାଇ ଚାଲିଯାଇଛି।

ଦିନେ ଚନ୍ଦନଯାତ୍ରା ସମୟରେ ଏମିତି ବାତ୍ୟାଟିଏ ଆସିଥିଲା। ଓଡ଼ିଆ ଜାତିର ଆଖିରେ ଲୁହ ଦେଇ ଯାଇଥିଲା। କାରଣ ଏହି ମହାବାତ୍ୟା ପାଇଁ ସେଦିନ ଉପାସ ରହିଥିଲେ ବଡ଼ଠାକୁର।

ଘଟଣାଟି ଏମିତି

ପ୍ରାୟ ୧୦୦ ବର୍ଷ ତଳେ ସ୍ୱାଧୀନତା ପୂର୍ବରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ  ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଥାଏ। ମହାପ୍ରଭୁଙ୍କ ମୁଖ୍ୟ ଚଳନ୍ତି ବିଗ୍ରହ ମଦନ ମୋହନ, ଭୁଦେବୀ ଓ ଶ୍ରୀଦେବୀଙ୍କୁ ମଣିବିମାନରେ ବିଜେ କରାଇ ନରେନ୍ଦ୍ର ଅଭିମୁଖେ ନିଆଗଲା। ସେଠାରେ ଠାକୁରମାନେ ଚକଡ଼ାରେ ବିଜେ କରିବା ପରେ ଘଷା ଜଳ ମଣୋହି କଲେ ଭିତରଚ୍ଛୁ ମହାପାତ୍ର। ବୀଜେ କାହାଳି ବାଜିବା ପରେ ଠାକୁରେ ବିଜେ କଲେ ଚାପକୁ। ଦିନ ଚାପ ଆରମ୍ଭ ହେବା କ୍ଷଣି ଆରମ୍ଭ ହେଲା ବିଭ୍ରାଟ। କୁଆଡେ ଥିଲା କଳାହାଣ୍ଡିଆ ମେଘ ଘୋଟାଇ ଆସିଲା। ପବନର ବେଗ ମଧ୍ୟ ହଠାତ୍‌ ଏତେ ବଢିଗଲା ଯେ, କଳ୍ପନା ବହାରକୁ ଚାଲିଗଲା। ଦିନ ଚାପରେ ଠାକୁର ବୁଲୁଥିବା ବେଳେ ନରେନ୍ଦ୍ରର ଗଭୀର ଜଳରେ ଟଳମଳ ହେଲା ‘ନନ୍ଦା’ ଆଉ ‘ଭଦ୍ରା’(ମହାପ୍ରଭୁଙ୍କ ୨ ଚାପର ନାମ)। ଦେଖୁଦେଖୁ ଚାମର ଆଲଟ କରୁଥିବା ସେବକ, ପାନ ମଣୋହି କରୁଥିବା ହଡ଼ପ ନାୟକ ବୁଡିଗଲେ ପାଣିରେ। ଡଙ୍ଗା ବି ଲେଉଟି ପଡ଼ିଲା। ନରେନ୍ଦ୍ରର ଗଭୀର ଜଳରେ ଅନ୍ତଧ୍ୟାନ ହୋଇଗଲେ ଶ୍ରୀ  ମଦନମୋହନ।

ବାତ୍ୟା ଛାଡିବା ପରେ ଶ୍ରୀକ୍ଷେତ୍ରରେ ହୁରି ପଡିଲା। ଠାକୁରେ ବୁଡିଗଲେ। ଏଣେ ଶ୍ରୀମନ୍ଦିର ପରମ୍ପରା ମୁତାବକ କୌଣସି ଅର୍ଚ୍ଚା ବିଗ୍ରହ ବାହାର ବିଜେ କରି ନ ଫେରିବା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ବଢେନି। ଦେଉଳରେ ଉପାସ ବସିଲେ କଳା ଠାକୁର। ତତ୍କାଳୀନ ଗଜପତି ଚିନ୍ତାରେ ପଡିଲେ। ବହୁ ଖୋଜାଖୋଜି ପରେ ଅନ୍ୟ ବିଗ୍ରହ ମିଳିଥିଲେ ମଧ୍ୟ ଫେରିଲେନି ମଦନମୋହନ। ଶେଷରେ ବହୁ ତର୍ଜମା ପରେ ରାଘବଦାସ ମଠରେ ଥିବା ମଦନମୋହନ ବିଗ୍ରହଙ୍କୁ ଶ୍ରୀମନ୍ଦିର ଦକ୍ଷିଣ ଘରେ ସଂସ୍ଥାପନ ପାଇଁ ବ୍ୟବସ୍ଥା ହେଲା ଓ ସେହିଦିନଠାରୁ ଶ୍ରୀମନ୍ଦିର ପରମ୍ପରା ସହ ଓତଃପ୍ରୋତଃ ଭାବେ ଯୋଡ଼ି ହୋଇଗଲା ରାଘବ ଦାସ ମଠ।

ସେବେଠାରୁ ଏହି ମଦନମୋହନ ବିଗ୍ରହ ଶ୍ରୀମନ୍ଦିର ନୀତିରେ ଭାଗ ନେଉଥିଲେ। ହେଲେ ଗତ କିଛି ବର୍ଷ ତଳେ ଏହାଙ୍କୁ କେହି ଦୁବୃର୍ତ୍ତ ଚୋରାଇ ନେଇ ଶ୍ରୀମନ୍ଦିର ଭିତରେ ଥିବା ଏକ କୂଅରେ ଫିଙ୍ଗିଥିଲେ। ଯାହାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେ ଠାକୁର କେବଳ ପୂଜା ପାଉଛନ୍ତି। ମହାପ୍ରଭୁଙ୍କ କୌଣସି ନୀତିରେ ଭାଗ ନିଅନ୍ତି ନାହିଁ। ପରବର୍ତ୍ତି ସମୟରେ ସେହି ରାଘବ ଦାସ ମଠ ଅନ୍ୟ ଏକ ମଦନମୋହନ ବିଗ୍ରହ ଶ୍ରୀମନ୍ଦିରକୁ ନୀତି ସମ୍ପାଦନ ପାଇଁ ସେବାରେ ଲାଗି କରାନ୍ତି। ଆପଣ ଆଜି ଯେଉଁ ବିଗ୍ରହ ଦେଖୁଛନ୍ତି ସେ ହେଉଛନ୍ତି ସେହି ବିଗ୍ରହ।



from Odisha Reporter http://bit.ly/2H5rxvn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages