
ଲଣ୍ଡନ: ବିଶ୍ୱକପ୍ ପୂର୍ବରୁ ୱାର୍ମଅପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡଠାରୁ ଶୋଚନୀୟ ପରାଜୟବରଣ କରିଛି। ଶନିବାର କେନିଙ୍ଗଟନ୍ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ କିୱି ବୋଲରଙ୍କୁ ସାମ୍ନା କରିନପାରି ଭାରତ ୩୯.୨ ଓଭରରେ ମାତ୍ର ୧୭୯ ରନ୍ କରି ଅଲଆଉଟ୍ ହୋଇଥିଲା।
ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ୩୭.୧ ଓଭରରେ ୪ ୱିକେଟ୍ ହରାଇ ସହଜରେ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଏହି ପରାଜୟ ପରେ ଭାରତର ବିଶ୍ୱକପ୍ ଟ୍ରଫି ଜିତିବା ସ୍ୱପ୍ନକୁ ଶକ୍ତି ଧକ୍କା ଲାଗିଛି। ଏହି ପରାଜୟ ପରେ ଭାରତୀୟ ଟିମର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠିଛି।
ବିଶେଷକରି ଟିମର ମୁଖ୍ୟ ଶକ୍ତି କୁହାଯାଉଥିବା ବ୍ୟାଟିଂ ବିଭାଗ ଯେଉଁଭଳି ପ୍ରଦର୍ଶନ କଲେ, ତାହା ସମସ୍ତଙ୍କୁ ଚକିତ କରିଛି। ଏକ ସମୟରେ ଭାରତର ସ୍କୋର ୧୦୦ ଟପିବା ନେଇ ସନ୍ଦେହ ରହିଥିଲା, କିନ୍ତୁ ରବୀନ୍ଦ୍ର ଜାଡେଜା (୫୪)ଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ୧୫୦ ରନ୍ ଅତିକ୍ରମ କରିବାକୁ ସକ୍ଷମ ହୋଇଥିଲା।
ଏଥିରେ କୁଲଦୀପ ଯାଦବ (୧୯) ତାଙ୍କୁ ଭଲ ସହଯୋଗ କରିଥିଲେ। ବ୍ୟାଟିଂ ବ୍ୟତୀତ ବୋଲିଂରେ ମଧ୍ୟ ଭାରତ ସେତେଟା ପ୍ରଭାବ ପକାଇପାରି ନଥିଲା। ଏହାଛଡ଼ା ଫିଲ୍ଡିଂ ମଧ୍ୟ ନିମ୍ନମାନର ଥିଲା। ତେବେ ଟିମ୍ ଇଣ୍ଡିଆ ପରାଜୟର ପ୍ରମୁଖ କାରଣ କ’ଣ, ଆସନ୍ତୁ ଜାଣିବା।
ରୋହିତ ଓ ଧୱନଙ୍କ ଫ୍ଲପ୍ ଶୋ’: ଭାରତୀୟ ବ୍ୟାଟିଂକୁ ନେଇ ଯେଉଁ ସନ୍ଦେହ ରହିଥିଲା, ତାହା ଅଭ୍ୟାସ ମ୍ୟାଚରେ ପ୍ରମାଣିତ ହୋଇଛି। ଏହି ମ୍ୟାଚରେ ଭାରତର ଆରମ୍ଭ ଅତ୍ୟନ୍ତ ଧିମା ରହିଥିଲା। ଟ୍ରେଣ୍ଟ ବୋଲ୍ଟଙ୍କ ସୁଇଂ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମୁଣ୍ଡ ନୁଆଁଇଥିଲେ। ଆରମ୍ଭରୁ ରୋହିତ୍ ଶର୍ମା (୨) ଓ ଶିଖର ଧୱନ୍ (୨)ଙ୍କୁ ବୋଲ୍ଟ ଆଉଟ୍ କରିଥିଲେ। ଏହା ପରେ ବୋଲ୍ଟ ଲୋକେଶ ରାହୁଲ (୬)ଙ୍କୁ ମଧ୍ୟ ନିଜର ଶିକାର ବନାଇଥିଲେ। ଏହି ତିନି ବ୍ୟାଟ୍ସମ୍ୟାନଙ୍କ ଫୁଟୱାର୍କରେ ଅଭାବ ଦେଖିବାକୁ ମିଳିଥିଲା। ବୋଲ୍ଟ ରୋହିତଙ୍କୁ ଚମତ୍କାର ଢ଼ଙ୍ଗରେ ଏଲବିଡବ୍ଲ୍ୟୁ ଆଉଟ୍ କରିଥିବା ବେଳେ ଧୱନଙ୍କୁ ନିଜ ସୁଇଂ ଦ୍ୱାରା ଫସାଇଥିଲେ।
ବିରାଟଙ୍କ ଆଉଟ୍ ହେବା: ଅଧିନାୟକ ବିରାଟ କୋହଲି (୨୪ ବଲ୍, ୧୮ ରନ୍)ଙ୍କୁ କଲିନ୍ ଡି’ଗ୍ରାଣ୍ଡହୋମ୍ ଅଫ୍ କଟର ଦ୍ୱାରା ଆଉଟ୍ କରିଥିଲେ। ଯଦି କୋହଲି କ୍ରିଜରେ କିଛି ସମୟ ବିତାଇଥାନ୍ତେ, ତାହେଲେ ଚିତ୍ର ଅଲଗା ହୋଇଥାନ୍ତା। ବିରାଟଙ୍କ ଆଉଟ୍ ହେବା ଦ୍ୱାରା ମିଡିଲ୍ ଅର୍ଡର ଚାପରେ ପଡ଼ିଥିଲା।
ଚାଲିଲାନି ଧୋନି ଓ ହାର୍ଦ୍ଦିକଙ୍କ ବ୍ୟାଟ୍: ମଧ୍ୟକ୍ରମ ଫେଲ୍ ହେବା ପରେ ମହେନ୍ଦ୍ର ସିଂହ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜରେ ଥିଲେ। ପାଣ୍ଡ୍ୟା (୩୭ ବଲ୍, ୩୦ ରନ୍) ଧୋନିଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୩୮ ରନ୍ ଯୋଡ଼ିଥିଲେ। ଧୋନି (୪୨ ବଲ୍, ୧୭ ରନ୍) ଧିମା ବ୍ୟାଟିଂ କରି ପ୍ୟାଭିଲିୟନ୍ ଫେରିଥିଲେ। ଧୋନି ଷ୍ଟ୍ରାଇକ୍ ରୋଟେଟ୍ କରିବାରେ ବିଫଳ ହୋଇଥିଲେ, ଯାହାର ପ୍ରଭାବ ସିଧା ବାକି ଖେଳାଳିଙ୍କ ଉପରେ ପଡ଼ିଥିଲା। ସେହିପରି ହାର୍ଦ୍ଦିକ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ଯଦି ହାର୍ଦ୍ଦିକ ଓ ଧୋନିଙ୍କ ଯୋଡ଼ି ଆଉ କିଛି ସମୟ ତିଷ୍ଠିଥାନ୍ତା, ତାହେଲେ ଫଳାଫଳ ଭିନ୍ନ ହୋଇଥାନ୍ତା।
ବୁମ୍ରାଙ୍କ ବ୍ୟତୀତ ବାକି ବୋଲର୍ ଫେଲ୍: ଭାରତୀୟ ବ୍ୟାଟିଂ ବିଭାଗ ଫ୍ଲପ୍ ରହିଥିବା ବେଳେ ବୋଲରମାନେ ମଧ୍ୟ ସେଭଳି ଦମ୍ ଦେଖାଇନଥିଲେ । ଯଶପ୍ରୀତ ବୁମ୍ରା ୪ ଓଭରରେ ୨ ମେଡେନ୍ ସହ ୨ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ । କିନ୍ତୁ ତାଙ୍କ ବ୍ୟତୀତ ବାକି ବୋଲରମାନେ ସେଭଳି ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ। ପାଣ୍ଡ୍ୟା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ ହେଁ, ଦୁହେଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।
from Odisha Reporter http://bit.ly/2wokEAk
No comments:
Post a Comment