
ନୂଆଦିଲ୍ଲୀ: ଏଥର ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ସଭାପତି ପଦ ଛାଡ଼ିବାକୁ ଜିଦ୍ ଧରିଥିବା ରାହୁଲ ଗାନ୍ଧି ଦଳର ତିନି ବରିଷ୍ଠ ନେତାଙ୍କ ଉପରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି।
ଗତକାଲି ଦିଲ୍ଲୀରେ ବସିଥିବା କଂଗ୍ରେସ୍ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକରେ ରାହୁଲ ଏହି ତିନି ନେତାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଥିଲେ। ସେ କହିଥିଲେ, ଯେଉଁ ରାଜ୍ୟଗୁଡ଼ିକରେ କଂଗ୍ରେସ କ୍ଷମତାରେ ଅଛି, ଦଳ ସେଠାରେ ବହୁତ ଖରାପ ପ୍ରଦର୍ଶନ କରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ସେମାନଙ୍କ ପୁଅଙ୍କୁ ଟିକେଟ୍ ଦେବା ପାଇଁ ଅଡ଼ି ବସିଥିଲେ। ମୁଁ ସେମାନଙ୍କ ଦାବି ସପକ୍ଷରେ ନଥିଲି। ଏହି ପ୍ରସଙ୍ଗରେ ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମଙ୍କ ନାଁ ମଧ୍ୟ ଉଠାଇଥିଲେ।
କଂଗ୍ରେସର ପରାଜୟ ପରେ ଅତିଶୟ ବିବ୍ରତ ହୋଇପଡ଼ିଥିବା ଭଳି ଦେଖାଯାଉଥିବା ରାହୁଲ ଗାନ୍ଧି ଆହୁରି ଅଭିଯୋଗ କରିଥିଲେ ଯେ, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସେ ଯେଉଁ ସବୁ ପ୍ରସଙ୍ଗ ଉଠାଇଥିଲେ, ଦଳୀୟ ନେତାମାନେ ସେଗୁଡ଼ିକୁ ପ୍ରଚାର ବେଳେ ଉଠାଇଲେ ନାହିଁ। ସୂଚନା ଅନୁଯାୟୀ, ରାହୁଲ ଏ ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ଭାବେ ‘ରାଫେଲ୍’ ଓ ଏହା ସହିତ ଜଡ଼ିତ ସ୍ଲୋଗାନ୍ ‘ଚୌକିଦାର ଚୋର୍ ହେ’ କଥା କହିଥିଲେ।
ନିର୍ବାଚନରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରି ରାହୁଲ ଏହି ବୈଠକରେ ସଭାପତି ପଦରୁ ଇସ୍ତଫା ଦେବା କଥା ଉଠାଇଥିଲେ। ତେବେ ଏଭଳି ନିଷ୍ପତ୍ତିରୁ ନିବୃତ୍ତ ରହି ଲଢ଼େଇ କରିବାକୁ ଦଳର ବରିଷ୍ଠ ନେତାମାନେ ତାଙ୍କୁ ପରାମର୍ଶ ଦେଇଥିଲେ।
from Odisha Reporter http://bit.ly/2EzEFc1
No comments:
Post a Comment