
ନୂଆଦିଲ୍ଲୀ: ବାତ୍ୟା ‘ଫୋନି’ର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ପରେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମୁହଁରୁ ମଧ୍ୟ ତାଙ୍କରି ପ୍ରଶଂସା ଶୁଣିବାକୁ ମିଳିଛି। ଅବଶ୍ୟ ଶ୍ରୀ ଶାହ ତାଙ୍କୁ ‘ବାତ୍ୟା’ ପ୍ରସଙ୍ଗରେ ନୁହେଁ, ରାଜ୍ୟର ଶାନ୍ତିଶୃଙ୍ଖଳା ପ୍ରସଙ୍ଗରେ ପ୍ରଶଂସା କରିଛନ୍ତି।
ଗତକାଲି କୋଲକାତାରେ ହୋଇଥିବା ହିଂସାକାଣ୍ଡ ସଂପର୍କରେ ନିଜର ପ୍ରତିକ୍ରିୟା ରଖିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭର୍ତ୍ସନା କରିଥିବାବେଳେ ନବୀନଙ୍କୁ ପ୍ରଶଂସା କରିଛନ୍ତି।
ସେ କହିଥିଲେ, ଟିଏମ୍ସି ଶାସନ କରୁଥିବା ରାଜ୍ୟରେ କାହିଁକି ଏଭଳି ଘଟଣା (ହିଂସାକାଣ୍ଡ) ଘଟୁଛି। ବିଜେପି ୧୬ଟି ରାଜ୍ୟରେ ଶାସନ କରୁଛି। କାହିଁ ସେଠି କେଉଁଠି ବି ଏଭଳି ଘଟଣା ଦେଖିବାକୁ ମିଳୁନି। ସେହିପରି ଅନ୍ୟାନ୍ୟ ରାଜ୍ୟରେ ବି ଏମିତି ଘଟଣା ଘଟୁନି। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଶାସନ ଚାଲିଛି। ସେଠାରେ କାହିଁ ଏପରି ହିଂସାକାଣ୍ଡ ହେଉନି।
ଅନ୍ୟପକ୍ଷରେ ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଶ୍ରୀ ଶାହଙ୍କ ସ୍ୱର ଶାଣିତ ଥିଲା। ଓଡ଼ିଶାରେ ବିଜେପି କର୍ମୀମାନଙ୍କୁ ହତ୍ୟା କରାଯାଉଥିବା କଥା ସେ କହିଥିଲେ। ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ଏ କଥା ଉଠାଇଥିଲେ। ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥିବା ବେଳେ ଦଳ କ୍ଷମତାକୁ ଆସିଲେ ଦୋଷୀଙ୍କୁ ଛଡ଼ା ଯିବନି ବୋଲି କହିଥିଲେ। ତେବେ ଶ୍ରୀ ଶାହଙ୍କ ଆଜିର ମନ୍ତବ୍ୟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।
ସୂଚନାଯୋଗ୍ୟ, ଗତକାଲି ଅମିତ ଶାହ କୋଲକାତାରେ ଅମିତ ଶାହଙ୍କ ରୋଡ୍ ଶୋ’ ବେଳେ ହିଂସାକାଣ୍ଡ ଘଟିଥିଲା। ଟିଏମ୍ସି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରଥମେ ରୋଡ୍ ଶୋ’ ଉପରକୁ ଢେଲା ମାଡ଼ ହୋଇଥିଲା। ତା’ପରେ ବିଜେପି ଓ ଟିଏମ୍ସି କର୍ମୀଙ୍କ ମଧ୍ୟରେ ତୁମୂଳ କାଣ୍ଡ ଦେଖିବାକୁ ମିଳିଥିଲା।
from Odisha Reporter http://bit.ly/2JMClBT
No comments:
Post a Comment