
ନୂଆଦିଲ୍ଲୀ:ଫ୍ରାନ୍ସରେ ରାଫେଲ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ପ୍ୟାରିସ୍ସ୍ଥିତ ଭାରତୀୟ ବାୟୁସେନା କାର୍ଯ୍ୟାଳୟରେ କେହି ଧସେଇ ପଶିବାର ଉଦ୍ୟମ କରିଥିବା ନେଇ ରାଫେଲ ନିର୍ମାତା ଡାସଲ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ପକ୍ଷରୁ ଡାସଲୋଟକୁ ଅର୍ଡର ଦିଆଯାଇଥିବା ୩୬ଟି ରାଫେଲ ଯୁଦ୍ଧବିମାନ ପାଇଁ ହୋଇଥିବା ଚୁକ୍ତିକୁ ନେଇ ପୂର୍ବରୁ ଏହି ପ୍ରସଙ୍ଗ ବେଶ୍ ଚର୍ଚ୍ଚାରେ ରହିଥିବାବେଳେ ଏପରି ଅନୁପ୍ରବେଶ ଉଦ୍ୟମ ବର୍ତ୍ତମାନ ଏଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିନ ବାୟୁସେନା ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟିମ୍ର କାର୍ଯ୍ୟାଳୟକୁ ପଶିବା ପାଇଁ ଏହି ଉଦ୍ୟମ ହୋଇଥିଲା। ତେବେ କେହି ଗୁଇନ୍ଦାଗିରି କରିବା ପାଇଁ ଏପରି ଉଦ୍ୟମ କରୁଥିଲା କି ନାହିଁ ତାହା ଜଣାପଡ଼ିନାହିଁ। ଯଦି ଏପରି ହୋଇଥାଏ, ତାହା ବାୟୁସେନାର କାର୍ଯ୍ୟାଳୟ ପ୍ରତି ବିପଜ୍ଜନକ। ଏହି କାର୍ଯ୍ୟାଳୟ ଗ୍ରୁପ୍ କ୍ୟାପଟେନ୍ ରାଙ୍କର ଜଣେ ଅଧିକାରୀଙ୍କ ଅଧୀନରେ ରହିଛି।
ଏହି ଘଟଣାକକୁ ନେଇ ଫ୍ରାନ୍ସରେ ଅବସ୍ଥାପିତ ଦୂତାବାସ ପକ୍ଷରୁ କିଛି କୁହାଯାଇନଥିବାବେଳେ ଖବର ସରବରାହ ସଂସ୍ଥା ଏଏନ୍ଆଇ ସଂକ୍ଷେପରେ ଏହି ଖବର ପ୍ରକାଶ କରିଛି। ଆଣବିକ ଅସ୍ତ୍ର ବହନ କରିବା ଭଳି ଦକ୍ଷତା ଥିବା ଏହି ଯୁଦ୍ଧବିମାନରେ ଭାରତ ପାଇଁ ସ୍ୱତନ୍ତ୍ର ଭାବରେ ଟେକ୍ନିକାଲ ପରିବର୍ତ୍ତନ ଅଣାଯାଇଛି। ଏହା ସୁରକ୍ଷା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ହୋଇଥିବାରୁ ଏହାକୁ ନେଇ ଭାରତୀୟ ବାୟସେନା ଯଥେଷ୍ଟ ସତର୍କତା ଅବଲମ୍ବନ କରିଆସୁଛି।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ବିରୋଧୀଙ୍କ ମୁଖ୍ୟ ମୁଦ୍ଦା ରହିଆସିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଭିଯୋଗ କରିଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପିଏ ଅମଳର ଡିଲ୍ ବାତିଲ କରି ଅଧିକ ଦରରେ ଡିଲ୍ କରିଛନ୍ତି। ଅନୀଲ ଅମ୍ବାନୀଙ୍କୁ ଫାଇଦା ଦେବା ଏହି ଡିଲ୍ର ଉଦ୍ଦେଶ୍ୟ ଥିଲା ବୋଲି ମଧ୍ୟ ବିରୋଧୀ ଅଭିଯୋଗ କରିଆସିଛନ୍ତି।
from Odisha Reporter http://bit.ly/2WkQwVg
No comments:
Post a Comment