
ଚଣ୍ଡିଗଡ଼: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ବୈଦେଶିକ ମନ୍ତ୍ରୀ କୁରେସି ଭାରତର ନୂଆ ସରକାରଙ୍କ ସହ ଶାନ୍ତି ସ୍ଥାପନ କରିବାକୁ କହୁଥିବା ବେଳେ ଅନ୍ୟପଟେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଆକ୍ରମଣ ପାଇଁ ଯୋଜନା ଆରମ୍ଭ କରିଛି। ବିଶେଷ କରି ପାକିସ୍ତାନ ସୀମାବର୍ତ୍ତୀ ପଞ୍ଜାବର ପଠାନ୍କୋଟ୍ରେ ଥିବା ରେଳ ଷ୍ଟେସନ୍ରେ ଆଇଏସ୍ଆଇ ଆତଙ୍କବାଦୀଙ୍କ ଜରିଆରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।
ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ପଠାନକୋଟ୍ର କ୍ୟାଣ୍ଟନମେଣ୍ଟ ଷ୍ଟେସନ୍ ଓ ପଠାନ୍କୋଟ୍ ଜଙ୍କଶନ ଷ୍ଟେସନ୍ରେ ଆକ୍ରମଣ ପାଇଁ ଆଇଏସ୍ଆଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଗୁଇନ୍ଦା ବିଭାଗ ଏହି ସୂଚନା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ପଞ୍ଜାବ ରେଳବାଇ ପୁଲିସ୍କୁ ଦେଇଛି। ଷ୍ଟେସନ୍ ବାହାରେ ଥିବା ପାର୍କିଂ ସ୍ଥଳ ଏବଂ ଲୋକମାନେ ଏକାଠି ହେଉଥିବା ସ୍ଥାନ ଗୁଡ଼ିକରେ ଜୋରଦାର ସର୍ଚ୍ଚ ଅପରେସନ କରିବାକୁ କୁହାଯାଇଛି।
ସେହିପରି କର୍ମଚାରୀମାନଙ୍କ ପାର୍କିଂ ସ୍ଥାନ ଓ ପ୍ଲାଟଫର୍ମ ନିକଟରେ ଗାଡ଼ି ପାର୍କିଂ କରିବାକୁ ମନା କରାଯାଇଛି। ଏହାବାଦ୍ ଷ୍ଟେସନ୍ରେ ପଡ଼ି ରହିଥିବା ବିଭିନ୍ନ ଜିନିଷ ଗୁଡ଼ିକୁ ଚେକିଂ କରିବାକୁ ମଧ୍ୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ସୂଚନା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଷ୍ଟେସନ୍କୁ ଆସୁଥିବା ଏବଂ ଏଠାରୁ ଯାଉଥିବା ସମସ୍ତ ବ୍ୟକ୍ତି ଓ ସାମଗ୍ରୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
୨୦୧୬ ଜାନୁଆରୀ ମାସରେ ୬ ଜଣ ପାକିସ୍ତାନୀ ଆତଙ୍କବାଦୀ ପଠାନକୋଟ୍ ଏୟାର ବେସ୍ ଉପରେ ଆକ୍ରମଣ କରିଥିଲେ। ଏଥିରେ ୭ ଜଣ ଯବାନ ସହିଦ ହୋଇଥିବା ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଦୀର୍ଘ ୪ ଦିନ କାଳ ଲଢ଼େଇ ଜାରି ରହିଥିଲା।
ପଠାନ୍କୋଟ୍ କ୍ୟାଣ୍ଟନମେଣ୍ଟ ଷ୍ଟେସନ୍ଟି ଏୟାର ବେସ୍ର ୨ କିମି ଏବଂ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାର ୨୦ କିମି ଦୂରରେ ରହିଛି।
from Odisha Reporter http://bit.ly/2EMfUJN
No comments:
Post a Comment