
ତେଜପୁର: ଦୁଇ ଦଶନ୍ଧି ତଳେ ଭୁଲବଶତଃ ସୀମା ଡେଇଁ ବାଂଲାଦେଶରୁ ଭାରତ ଚାଲିଆସିଥିବା ଜଣେ ଦିବ୍ୟାଙ୍ଗ ଶେଷରେ ସ୍ୱଦେଶ ଫେରିବା ନିଶ୍ଚିତ ହୋଇଛି। ଆସାମର ତେଜ୍ପୁରସ୍ଥିତ ଏକ ଜେଲରେ ଥିବା ଦିବ୍ୟାଙ୍ଗଙ୍କୁ ତାଙ୍କ ସାନ ଭାଇ ଠାବ କରିବା ପରେ ତାଙ୍କୁ ବାଂଲାଦେଶ ପଠାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ୫୫ ବର୍ଷ ବୟସ୍କ ଅଜଭାର ପିଆଦା ୨୩ ବର୍ଷ ତଳେ ଭାରତ ଚାଲିଆସିଥିଲେ। ତେଜପୁର ସେଣ୍ଟ୍ରାଲ ଜେଲ କର୍ତ୍ତୃପକ୍ଷ କହିଛନ୍ତି ଆସନ୍ତା ମାସରେ ସେ ସ୍ୱଦେଶ ଫେରିବେ।
ଅଜଭାର ବାଂଲାଦେଶ ଛାଡ଼ିବା ସମୟରେ ବେଶ୍ ଛୋଟ ଥିବା ତାଙ୍କ ସାନ ଭାଇ ଇକ୍ବାଲ ପିଆଦା ବଡ଼ ଭାଇଙ୍କୁ ଖୋଜି ଖୋଜି ତେଜ୍ପୁର ଜେଲରେ ତାଙ୍କୁ ପାଇଛନ୍ତି। ଦୁଇ ଭାଇଙ୍କ ମିଳନ ଦେଖଣାହାରୀଙ୍କ ପାଇଁ ଏକ ଭାବୋଦ୍ଦୀପକ ମୁହୂର୍ତ୍ତ ଥିଲା। ଏହି ମୁହୂର୍ତ୍ତର ସୁଯୋଗ ଦେଇଥିବାରୁ ଦୁଇ ଭାଇ ଜେଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି।
ଇକ୍ବାଲ ବଡ଼ଭାଇଙ୍କ ସହ ଭେଟ ହେବାକୁ ନେଇ କହିଛନ୍ତି, “ମା’ ମୋତେ କହିଥିଲେ ବଡ଼ଭାଇ ମାନସିକ ରୋଗୀ। କିନ୍ତୁ ମୁଁ ଏବେ ଦେଖୁଛି ସେ ପୂରା ଫିଟ୍। ମୋ ସହ ଭଲରେ କଥା ମଧ୍ୟ ହୋଇପାରୁଛନ୍ତି। ସେ ଭୁଲରେ ସୀମାପାର ହୋଇ ଭାରତ ପଳାଇ ଆସିବାବେଳେ ମୁଁ ଛୋଟ ଥିଲି।” ଅନ୍ୟପକ୍ଷରେ ଅଜଭାର କହିଛନ୍ତି, “ମୁଁ ମୋ ଜନ୍ମମାଟିକୁ ଫେରିବାକୁ ଚାହେଁ। ମୁଁ ମୋ ମା’ ଏବଂ ପରିବାରର ଲୋକଙ୍କୁ ଭେଟିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛି।
ଅଜଭାର ଭାରତ ଆସିବା ପରେ ଆସାମରେ ବେଶ କିଛି ବର୍ଷ ରହିଥିଲେ। ଏହାପରେ ୨୦୧୫ରେ ସେ ଧରାପଡ଼ି ଜେଲ ଯାଇଥିଲେ। ୨୦୧୭ ଡିସେମ୍ବର ୩୦ରେ ତାଙ୍କୁ ଦଣ୍ଡର ଅବଧି ସରିବା ପରେ ତାଙ୍କୁ ତେଜ୍ପୁର ପଠାଯାଇଥିଲା, ଯାହାଫଳରେ ସେ ବାଂଲାଦେଶ ଫେରିପାରିବେ। ବର୍ତ୍ତମାନ ଇକ୍ବାଲ ତାଙ୍କୁ ଠାବ କରିବା ପରେ କେବଳ କାଗଜପତ୍ର କାମ ପରେ ଅଜଭାର ସ୍ୱଦେଶ ଫେରିଯିବେ।
from Odisha Reporter http://bit.ly/2JsJJTr
No comments:
Post a Comment