
ନୂଆଦିଲ୍ଲୀ: ଅଣ ବିଜେପି-ଅଣ କଂଗ୍ରେସ ଦଳଗୁଡ଼ିକ ଦେଶରେ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଯେଉଁ ପ୍ରୟାସ କରୁଥିଲେ। ହେଲେ ଏବେ ଏହା ଅସମ୍ଭବ ପରି ମନେ ହେଉଛି। ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଗୋଡ଼ ଟେକି ବସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ (କେସିଆର୍) ଗତକାଲି ଡିଏମେକ ମୁଖ୍ୟ ଏମକେ ଷ୍ଟାଲିନ୍ଙ୍କୁ ଭେଟିଥିଲେ। ତେବେ ଷ୍ଟାଲିନ୍ କଂଗ୍ରେସକୁ ଛାଡ଼ି ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ରାଜି ନଥିବା ଜଣାପଡ଼ିଛି।
ଗତକାଲିର ବୈଠକ ପରେ ଷ୍ଟାଲିନ୍ ଆଜି କହିଛନ୍ତି, “କେନ୍ଦ୍ରରେ ଅଣ-ବିଜେପି ଓ ଅଣ କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ଗଠନର କୌଣସି ସମ୍ଭାବନା ନାହିଁ। ମୋତେ ଲାଗୁନାହିଁ ଯେ ତୃତୀୟ ସାମ୍ମୁଖ୍ୟ ଦେଶରେ ଗଠନ ହୋଇପାରିବ। ତଥାପି ମେ’ ୨୩ରେ ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଏହାପରେ ସ୍ଥିତି କୁଆଡ଼େ ଯାଉଛି, ସେକଥା ସ୍ପଷ୍ଟ ହେବ। କେସିଆର କୌଣସି ପ୍ରକାରର ରାଜନୀତିକ ମେଣ୍ଟ ଗଠନ କରିବାକୁ ତାମିଲନାଡୁ ଆସି ନଥିଲେ।
ସେ ତାମିଲନାଡୁରେ ପୂଜାର୍ଚ୍ଚନା କରିବାକୁ ଆସିଥିଲେ। ଯେହେତୁ ସେ ତାମିଲନାଡୁ ଆସିଥିଲେ, ତେଣୁ ସୌଜନ୍ୟମୂଳକ ଭାବେ ମୋ ସହ ସାକ୍ଷାତ କଲେ।”
ଗତକାଲି କେସିଆର ଚେନ୍ନାଇଠାରେ ଥିବା ଷ୍ଟାଲିନ୍ଙ୍କ ଘରେ ପହଞ୍ଚି ଥିଲେ। ଏହା ପରେ ଉଭୟ ନେତା ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। କେସିଆର ତୃତୀୟ ସାମ୍ମୁଖ୍ୟ ଗଠନ କଥା କହିଥିଲେ ହେଁ ଷ୍ଟାଲିନ୍ ତାଙ୍କୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ।
ପୂର୍ବରୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ କେସିଆରଙ୍କ ଦଳ ଟିଆରଏସ୍ ବିରୋଧରେ ଲଢ଼ୁଥିଲା। ତେଣୁ କେସିଆର ଉଭୟ ବିଜେପି ଓ କଂଗ୍ରେସ ବିରୋଧରେ ମେଣ୍ଟ କରିବାକୁ ଚାହୁଁଛନ୍ତି। ଯେହେତୁ ଡିଏମକେ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରି ତାମିଲନାଡୁରେ ଲଢ଼ୁଛି, ତେଣୁ କେସିଆରଙ୍କୁ ଷ୍ଟାଲିନ୍ ୟୁପିଏରେ ସାମିଲ ହେବାକୁ ପରାମର୍ଶ ଦେଇଥିବା ରାଜନୀତିକ ପଣ୍ଡିତମାନେ ମତ ଦେଛନ୍ତି।
ପୂର୍ବରୁ କେସିଆର ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ଓ ଜେଡିଏସ୍ ମୁଖ୍ୟ ଏଚଡି ଦେବଗୌଡ଼ାଙ୍କୁ ଭେଟିଥିଲେ।
from Odisha Reporter http://bit.ly/2VZyfNg
No comments:
Post a Comment