
କେଦାରନାଥ: ‘ମୁଁ ଭଗବାନଙ୍କୁ ପ୍ରାର୍ଥନା କଲା ବେଳେ କେବେ ବି କିଛି ମାଗେ ନାହିଁ।’ ଦୁଇ ଦିନିଆ କେଦାରନାଥ ଓ ବଦ୍ରିନାଥ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ କଥା କହିଛନ୍ତି।
ଗତକାଲି କେଦାରନାଥଙ୍କ ଦର୍ଶନ ପରେ ସେଠାରେ ଏକ ଗୁମ୍ଫାରେ ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିଥିଲେ। କେଦାରନାଥ ପୀଠରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଏହି ଗୁମ୍ଫାକୁ ସେ ଚାଲି ଚାଲି ଯାଇଥିଲେ।
ଆଜି ସକାଳେ ଧ୍ୟାନ ଭଙ୍ଗ ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟିଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପଚାରିଥିଲେ ଯେ, ସେ ପ୍ରଭୁ କେଦାରନାଥଙ୍କୁ ପୂଜାର୍ଚ୍ଚନା କଲା ବେଳେ କ’ଣ ମାଗିଥିଲେ? ଏହାର ଜବାବରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ଭଗବାନଙ୍କୁ ପ୍ରାର୍ଥନା କଲା ବେଳେ ନିଜ ପାଇଁ କିଛି ମାଗନ୍ତି ନାହିଁ।
ଏହି ସମୟରେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ,“ଆପଣ ନିର୍ବାଚନରେ ବିଜୟୀ ହେବା ପାଇଁ ବି ଭଗବାନଙ୍କୁ ପ୍ରାର୍ଥନା କରି ନାହାନ୍ତି?” ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ,“ନା, କିଛି ମାଗି ନାହିଁ। ମୁଁ ଭାବେ ଭଗବାନ ଆମ ସମସ୍ତଙ୍କୁ ସକ୍ଷମ କରି ଛାଡ଼ିଛନ୍ତି। ଭଗବାନ ଆମକୁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଭଳି ଦକ୍ଷ କରି ଏଠାକୁ ପଠାଇଛନ୍ତି। ଆମେ ତାଙ୍କୁ ଆଉ ଅଧିକ କିଛି ମାଗିବା ଉଚିତ୍ ନୁହେଁ। ତେବେ ମୁଁ ମୋର ସମସ୍ତ ଦେଶବାସୀଙ୍କ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛି। ସେମାନଙ୍କ ଉପରେ ସର୍ବଦା ଭଗବାନଙ୍କ ଆଶୀର୍ବାଦ ରହୁ ବୋଲି ମୁଁ ପ୍ରାର୍ଥନା କରିଛି।”
ଏହା ସହିତ ମୋଦି କହିଥିଲେ, ମୁଁ ଧ୍ୟାନରେ ବସିବା ପାଇଁ ସୁଯୋଗ ପାଇଲି। ତା’ ସହିତ ଏଠାକୁ ଆସି ମୁଁ କରିଥିବା କାର୍ଯ୍ୟଗୁଡ଼ିକର ଅନୁଶୀଳନ କରିବାକୁ ବି ସୁଯୋଗ ପାଇଲି। ଏଥିପାଇଁ ମୁଁ ନିର୍ବାଚନ କମିଶନଙ୍କ ନିକଟରେ ବି କୃତଜ୍ଞ।
ସୂଚନାଯୋଗ୍ୟ, କେଦାରନାଥ ଓ ବଦ୍ରିନାଥ ଗସ୍ତରେ ଯିବା ପାଇଁ ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀଙ୍କୁ ଅନୁମତି ଦେଇଥିଲେ। ତେବେ ନିର୍ବାଚନ ପାଇଁ ଏବେ ବି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା କଥା ପ୍ରତି ପ୍ରଧାନମନ୍ତ୍ରୀ ଧ୍ୟାନ ଦେବେ ବୋଲି କମିଶନ ସୂଚାଇ ଦେଇଥିଲେ।
from Odisha Reporter http://bit.ly/2WSRkxw
No comments:
Post a Comment