
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୯୯ ମହାବାତ୍ୟାଠୁ ଢେର ଅଧିକ ପ୍ରଳୟ ରଚାଇଛି ସାମୁଦ୍ରିକ ଝଡ଼ବାତ୍ୟା ଫୋନି। ପ୍ରାଣ ଶୂନ୍ୟ କରିଦେଇଛି ଶ୍ରୀକ୍ଷେତ୍ର ପୁରୀକୁ। ଶ୍ରୀ ଛଡ଼ାଇନେଇଛି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର ସହରଠାରୁ। ଶ୍ରୀମନ୍ଦିରକୁ ବି ଛାଡ଼ିନି ଏ ରାକ୍ଷସରୂପୀ ଝଡ଼। ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ଜଗନ୍ନାଥ ଧାମର ସୁରକ୍ଷାକବଚ ବାଲୁଖଣ୍ଡ ଅଭୟାରଣ୍ୟକୁ। ଯୁଆଡ଼େ ଚାହିଁଲେ କେବଳ ଧ୍ୱଂସଲୀଳା ସାଙ୍ଗକୁ ଅନ୍ତହୀନ ଦୁର୍ଦ୍ଦଶାର କରୁଣ ଦୃଶ୍ୟ।
ମହାପ୍ରଭୁଙ୍କ କ୍ଷେତ୍ରକୁ ଆସିପାରେ ପ୍ରଳୟ ସାଙ୍ଗକୁ ଦୁର୍ଦ୍ଦଶା । ଜଗନ୍ନାଥଙ୍କ ଧାମରେ ବି ଏହାର ଉପସ୍ଥିତି ସମ୍ଭବ, ଶୁଣି ବିଶ୍ୱାସ ଲାଗୁ ନ ଥିଲେ ବି ବାସ୍ତବ ଚିତ୍ର କିନ୍ତୁ ସ୍ପଷ୍ଟ।
ଶ୍ରୀକ୍ଷେତ୍ରର ପ୍ରତିଟି ବୃକ୍ଷକୁ କଳ୍ପବଟ ସମ ମନେ କରାଯାଏ। ହେଲେ ଏବେ ସହର ସାରା ବିକ୍ଷିପ୍ତ ହୋଇ ମୃତପ୍ରାୟ ପଡିଛି ଗଛଗୁଡିକର ଭଗ୍ନାବଶେଷ। ବଖାଣୁଛନ୍ତି କାଳ ସଦୃଶ ଝଡ଼ବାତ୍ୟାର ଭୀଷଣ ବିଭୀଷିକାକୁ । କୋଟି କୋଟି ହିନ୍ଦୁଙ୍କ ଆସ୍ଥାର ପ୍ରତୀକ ଶ୍ରୀମନ୍ଦିରକୁ କ୍ଷତି ପହଞ୍ଚାଇଛି ରାକ୍ଷସ ରୂପୀ ଝଡ଼ ‘ଫୋନି’।
କ୍ଷତିଗ୍ରସ୍ତ ଶ୍ରୀମନ୍ଦିର: ଶ୍ରୀମନ୍ଦିର ବେଢା ପରିସରରେ ଥିବା ବିଶ୍ୱାସର ବୃକ୍ଷ କଳ୍ପବଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଉଜୁଡିଛି କୋଇଲି ବୈକୁଣ୍ଠ। ଆଧାତ୍ମିକ ପରିବେଶ ଅଣଚାଷ ପବନରେ ଧ୍ୱଂଶ ହୋଇଛି। ସିଂହଦ୍ୱାର ଆଗରେ ଥିବା ଦ୍ୱାରପାଳ ଜୟଙ୍କ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛନ୍ତି। ମନ୍ଦିର ଉପରେ ଦକ୍ଷିଣ, ପଶ୍ଚିମ ପାର୍ଶ୍ୱରେ ଥିବା ୨ଟି ସିଂହ ମୂର୍ତ୍ତି ତାସ୍ ଘର ଭଳି ଭୁଶୁଡି ପଡିଛି। ମନ୍ଦିର ମରାମତି ପାଇଁ ASI ପକ୍ଷରୁ ଲାଗିଥିବା ପ୍ରାୟ ୨ ଟନ୍ରୁ ଅଧିକ ଓଜନର ଲୁହା ଭାରା ଭୁଷୁଡି ସାକ୍ଷୀଗୋପାଳ ଓ ବରାହ ମନ୍ଦିର ଉପରେ ଗଦା ହୋଇଛି।
ପେଟ ପାଟଣା ଗଲା: ପେଟ ପାଟଣା ପାଇଁ ଶ୍ରୀକ୍ଷେତ୍ରକୁ ଆଶ୍ରା କରି ବର୍ଷବର୍ଷ ଧରି ଜୀବନ ଜୀଇଁ ଆସୁଥିବା ମଣିଷମାନଙ୍କ ଅବସ୍ଥା ସଂଗୀନ ହୋଇଛି। ତା’ଠୁ ଢେର ଗୁଣରେ ଦୁର୍ଦ୍ଦଶାର ସ୍ଥିତିକୁ ବୟାନ କରୁଛି କଚେରୀ ରୋଡ୍, ସମୁଦ୍ରକୂଳ, ନୂଆସାହି, ସର୍କିଟ ହାଉସ, ଚାରିନଳା ଓ ଜହ୍ନିମୁଣ୍ଡିଆସ୍ଥିତ ରାସ୍ତା । ଏସବୁ ସଲଗ୍ନ ସ୍ଥାନରେ ରାଜୁତି କରୁଛି କେବଳ ଦୁର୍ଦ୍ଦଶା ଓ ଦୁଃସ୍ଥିତି। ପିଇବା ପାଣି ଓ ଖାଦ୍ୟ ମୁଠାଏ ପାଇଁ ସବୁଠି ହା ହାକାର ପରିସ୍ଥିତି। ପୁରୀଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ବୀରପ୍ରତାପପୁର ଗ୍ରାମ ଛାରଖାର ହୋଇଯାଇଛି। ଘର ଦ୍ୱାର ଉଜୁଡି ଯାଇଛି ଏଠି। ଦୋକାନ ବଜାର ଭାଙ୍ଗି ରାସ୍ତା ଉପରେ ପଡିଛି।
ବାଲୁଖଣ୍ଡ ଧ୍ୱଂଶ: ଶ୍ରୀକ୍ଷେତ୍ରର ସୁରକ୍ଷାକବଚ ବାଲୁଖଣ୍ଡ ଅଭୟାରଣ୍ୟ ହୋଇଛି ଧ୍ୱସ୍ତବିଧ୍ୱସ୍ତ । ମାଟିରେ ମିଶିଯାଇଛି ଲକ୍ଷ ଲକ୍ଷ ଝାଉଁ ଗଛ। ଅଭୟାରଣ୍ୟ ଭିତରେ ଥିବା ଜୀବଜନ୍ତୁ କିଭଳି ଅବସ୍ଥାରେ ଅଛନ୍ତି, କେତେ ସଂଖ୍ୟାରେ ପ୍ରାଣ ହରାଇଛନ୍ତି ତାହା ଜାଣି ହେଉନି। ଅସମ୍ଭାଳ ପବନରେ ବାଲିଚର ହୋଇଯାଇଛି ମନଲୋଭା ପୁରୀ-କୋଣାର୍କ ବେଳାଭୂମି ରାସ୍ତା। ଏଭଳି ସ୍ଥିତିରେ ପୁରୀକୁ ପୂର୍ବ ପ୍ରାଣ ଫେରିବାକୁ କେତେ ଯେ ସମୟ ଲାଗିବ, ତାହା କହିବା ମୁସ୍କିଲ।
from Odisha Reporter http://bit.ly/2VGxI2z
No comments:
Post a Comment