ଭଲପାଇବା ଛାଡ଼ିଯାଇଥିବା ବାତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଭଲପାଇବା ଛାଡ଼ିଯାଇଥିବା ବାତ୍ୟା

ବାତ୍ୟାଟି ଚାଲିଗଲା। ଯେମିତି କୁହାଯାଉଥିଲା ପ୍ରାୟ ଠିକ୍ ସେମିତି ଢଙ୍ଗରେ ମଉଜ କରି ସେ ତା ବାଟରେ ପଳେଇଗଲା। ବିଭିନ୍ନ ଆଡ଼ୁ ଏହାର ବିଭତ୍ସ, ପ୍ରଳଙ୍କରୀ ଏବଂ ଭୟଙ୍କରୀ ରୂପ ବାବଦରେ ଆମେ ପଢ଼ିଲେଣି ଏବଂ ଦେଖିଲେଣି ମଧ୍ୟ। ଏବେ ବାତ୍ୟା ଦେଇଯାଇଥିବା କିଛି ଭଲପାଇବା କଥା ପଢନ୍ତୁ…

୧- ବାତ୍ୟା ଓ ସିକ୍ୟୁରିଟି ଭାଇ

ସେଦିନ ସମୟ ପୂର୍ବାହ୍ନ ସାଢେ ୯ କି ୧୦ ଟା ହେବ। ମୁଁ ଅଫିସ୍‌ର ତୃତୀୟ ମହଲାରେ ଥାଏ। ଝରକା ବାଟେ ବାରି ହେଇ ପଡୁଥାଏ ଯେ ବର୍ଷା, ପବନ ଜୋର୍ ଧରିଲାଣି। ଅଫିସ ପାଖ ବସ୍ତିର ଲୋକେ ସବୁ ଛୁଆ ପିଲାଙ୍କୁ ଧରି ଅଫିସ୍ ଆଡକୁ ଜୀବନ ବିକଳରେ ଧାଇଁ ଆସୁଥାନ୍ତି। କିଏ କାଖରେ ଛୁଆକୁ ଜାକିଛି ତ କିଏ ମୁଢ଼ି ଡବା । ଆଉ କାହା ମୁଣ୍ଡରେ ଦସ୍ତା ଟ୍ରଙ୍କ।
ମୁଁ, ମିହିର୍ ଭାଇ ଓ ଶୁଭ୍ରାଂଶୁ  ତଳକୁ ଧାଇଁ ଗଲାବେଳକୁ ତିନି ଚାରିଜଣ ସିକ୍ୟୁରିଟି ଭାଇ, ସବୁ ବସ୍ତି ଲୋକମାନଙ୍କୁ ଅଫିସ୍ ବାରଣ୍ଡା ପର୍ଯ୍ୟନ୍ତ ଆଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥାନ୍ତି। କିଏ ପବନରେ ଉଡ଼ିଯାଉଥାଏ, କିଏ ମଝିରେ ଥିବା ଏକ ଖୁଣ୍ଟକୁ ଜାବୁଡ଼ି ଧରିଥାଏ ତ କିଏ ସିକ୍ୟୁରିଟିି ଭାଇର ହାତକୁ ମୁଠେଇଥାଏ।
ସେତିକିବେଳକୁ ଗୋଟେ ଲମ୍ବା ଦଉଡ଼ିକୁ କୌଶଳ କରି ସିକ୍ୟୁରିଟି ଭାଇମାନେ ପାଖରେ ଥିବା ଜେସିବି ମେଶିନରେ ବାନ୍ଧିଲେ। ଆଉ ଗୋଟେ ପଟେ ପ୍ରାୟ ୫୦ କର୍ମଚାରୀ ଦଉଡ଼ିକୁ ଭିଡ଼ି ଧରିଲେ। ଦୀର୍ଘ ଦୁଇ ତିନି ଘଣ୍ଟାର କସରତ ପରେ ସମସ୍ତ ବସ୍ତିବାସିନ୍ଦା ସୁରକ୍ଷିତ ଭାବ ଆସି ବରଣ୍ଡା ଉପରେ ଛିଡ଼ା ହେଲେ।
ସବୁଦିନ ଚୁପ୍ ଚାପ୍ ନିଜ କାମରେ ଛିଡା ହୋଇ ରହୁଥିବା ସିକ୍ୟୁରିଟି ଭାଇମାନଙ୍କ ସହ କେହି କେବେ କିଛି କଥା ହେଉ ନ ଥିଲେ ମଧ୍ୟ ସେଦିନ ସେମାନେ ପ୍ରକୃତରେ ବହୁତ ଲୋକଙ୍କ ମନକୁ ଆନ୍ଦୋଳିତ କରିଛନ୍ତି। ସମସ୍ତଙ୍କ ମୁହଁରେ ସେମାନଙ୍କ ପ୍ରଶଂସା କରିଛନ୍ତି। ସେତିକି ବେଳେ ଉଠିଥିବା କିଛି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିଛନ୍ତି ଓ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି। ତା ପରଦିନ ଦେଖିଲା ବେଳକୁ ଜଣେ ସିକ୍ୟୁରିଟି ଭାଇ ତାଙ୍କ ହାତରେ ଓ ଗୋଡ଼ରେ ଦିଇଟା ପଟି ଭିଡ଼ିଛନ୍ତି। ପଚାରିଲାରୁ କହିଲେ, ହଁ ଟିକେ ମାଡ଼ ହେଇଯାଇଛି।

 

୨- ବାତ୍ୟା ଓ ଲୋକା ଭାଇ

ଲୋକା ଭାଇ ପାଖରେ ସବୁ ଅଛି। ବିସ୍କୁଟ୍, ମିକ୍ସଚର, ଚୁଡ଼ା, ଦହି, କ୍ଷୀର, ଚା’, ପାଣି, ପାଉରୁଟି, ମୁଡ଼ୁକି ଇତ୍ୟାଦି, ଇତ୍ୟାଦି। ସେ ଦିନ ଲୋକା ଭାଇ କାହା ମୁହଁକୁ ଚାହିଁନି। ଯିଏ ଯାହା ଖାଇବାକୁ ମାଗିଚି ସେ ସମସ୍ତଙ୍କୁ ସବୁ କଥା ଧରେଇ ଦେଇଚି। ୩ ଦିନ କାଳ ଯାହା ତା ପାଖରେ ଥିଲା ସବୁ ଦେଇ ଦେଲା ସମସ୍ତଙ୍କୁ। ବାସି କ୍ଷୀରରେ ଜତରକତର କରି ପାଣିଚିଆ ଚା’ କରି ଦେଇଚି। ଫ୍ରିଜ୍ ରେ ଥିବା ସବୁ ଏନର୍ଜି ଡ୍ରିକଂସ୍ ଗୋଟି ଗୋଟି ବଢ଼େଇଦେଇଛି। ହେଲେ ସେ କଣ କେତେବେଳେ ଖାଇଚି ଆମେ କେହି ଦେଖିନାହୁଁ।
ପଚାରିଲାରୁ କହିଚି, ଯାହା ହଉ କିଛି କିଛି ଥିଲା କେହି ଉପାସେ ରହି ନାହାନ୍ତି।

୩- ବାତ୍ୟା ଓ କଥା ହେଉ ନ ଥିବା ଝିଅ

ଅଫିସରେ କେତେ ଲୋକ କିଏ କାହାକୁ ଚିହ୍ନିଚି ? ସବୁଦିନ ସମାନ ସମୟରେ ସମାନ ଜାଗାରେ ଦେଖା ହେଉଥିଲେ ମଧ୍ୟ ଅନେକ ଅଛନ୍ତି ଯାହା ସହ ଆମେ କେବେବି ଦି ପଦ କଥା ହେଇନେ। ସବୁଦିନ ଦୂରରେ ବସି ଚା’ ପି ଚାଲି ଯାଉଥିବା ଝିଅଟି ଏଇ ବାତ୍ୟା ପାଇଁ ହିଁ କଥା ହୋଇଛି। ଖୁନ୍ଦା ଖୁନ୍ଦି ହୋଇ ସମସ୍ତେ ଲୋକା ଭାଇ ଚା’ ଦୋକାନରେ ଅପେକ୍ଷା କରିଥିବା ବେଳେ ଝିଅଟି ଏମିତି ଜାଗାରେ ଛିଡ଼ା ହୋଇଥିଲା ଯେ, ତା ହାତ ଚା’ ପର୍ଯ୍ୟନ୍ତ ପାଇବନି। ମୁଁ ତାକୁ ଚା’ କପ୍ ଟି ବଢ଼େଇଦେଲି। ସେ ସାମାନ୍ୟ ହସିଲା ଓ ଧନ୍ୟବାଦ କହି ପଳେଇଗଲା। ପୁଣି ଫେରିଲା ଏବଂ କହିଲା ଆସନ୍ତୁ ଏକା ସାଙ୍ଗରେ ଚା’ ପିଇବା।

୪- ବାତ୍ୟା, ଭାତ ଓ ଭଲପାଇବା

ବାତ୍ୟା ପରେ ଦିଦିନ ଅଫିସ୍‌ରେ ରନ୍ଧା ଚାଲିଥିଲା । ଭାତ, ଡାଲମା। ସମସ୍ତେ ଖାଉଥିଲେ। ଚଟୁଏ ଭାତ, ଡଙ୍କେ ଡାଲମା। ଲମ୍ବା ଧାଡ଼ି। କେତେବେଳେ ଖଲି ନାହିଁ ତ କେତେବେଳେ ଭାତ ନାହିଁ । କେତେବେଳେ ଭାତ ନାହିଁ ତ କେତେବେଳେ ଡାଲମା ନାହିଁ। କିନ୍ତୁ ଭଲ ପାଇବା ଟିକକ ଅଛି। ଅଫିସକୁ ନୂଆ କରି ଆସିଥିବା ଝିଅଟି କାହାକୁ ଭଲକି ଚିହ୍ନି ନ ଥିଲେ ବି ଯେମିତି ଲମ୍ବା ଧାଡ଼ିରେ ଛିଡା ହେଇଛି, ବାତ୍ୟା ପରେ ସବୁ ସୁବିଧା ଅସୁବିଧା ବୁଝୁଥିବା ଜଣେ ବରିଷ୍ଠ ମୁରବି ଶ୍ରେଣୀୟ ଲୋକ ମଧ୍ୟ ତା ପଛକୁ ଛିଡ଼ା ହୋଇଛନ୍ତି।

ଆଉଜଣେ କହୁଛନ୍ତି ସମସ୍ତଙ୍କୁ ଥରେ ଥରେ ଦିଅ, ବଳିଲେ ଆଉ ଦବ, କିନ୍ତୁ କେହି ଫେରିକି ନ ଯାଆନ୍ତୁ। ସେଠି ଖଲି ସରିଗଲାବେଳେ ସାନ ଭାଇଟିଏ ଜଣେ ଭଉଣୀକୁ କହୁଚି ଦିଦି ଆସ ଗୋଟିଏ ଖଲିରେ ଖାଇଦବା। ଦିଦି ଜଣକ ଗଲାବେଳକୁ ବସିବାକୁ ଜାଗାନାହିଁ। ଜଣେ ଲୋକ ନିଜ ବସିବା ଜାଗାରୁ ଉଠିଯାଇ କହିଲେ ମାଆଲୋ ତୁ ଏଇଠି ବସ। ମୁଁ ଛିଡ଼ା ହେଇ ଖାଇଦେବି। ଗୋଟିଏ ଖଲିରେ ଭାଇ ଭଉଣୀ ଦିଜଣ ଖାଇଲା ବେଳକୁ ଖଲିରେ ଥିଲା ମୁଠେ ଭାତ, ସୋଡକାଏ ଡାଲମା ଓ ଦୁଇଧାର ଭଲ ପାଇବା।



from Odisha Reporter http://bit.ly/2LuaBnZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages