ବିଜେଡିର ‘ପିଏମ’ ଗୁଗଲି: ଆବଶ୍ୟକତା ନା ବାଧ୍ୟବାଧକତା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ବିଜେଡିର ‘ପିଏମ’ ଗୁଗଲି: ଆବଶ୍ୟକତା ନା ବାଧ୍ୟବାଧକତା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଜେଡି ସମଦୂରତ୍ୱ ନୀତି ଆପଣାଇବ ନାହିଁ, ଯିଏ ଓଡ଼ିଶାର ସ୍ୱାର୍ଥ କଥା କହିବ ତାକୁ ସମର୍ଥନ ଦିଆଯିବ। ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ଦାବିଦାର”। ଭୋଟ ଗଣତିର ଅବ୍ୟବହିତ ପୂର୍ବରୁ ବିଜେଡିର ବରିଷ୍ଠ ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଏହି ବୟାନ ଦଳର ପରିବର୍ତ୍ତିତ ଓ ମହତ୍ୱାକାଂକ୍ଷୀ ଆଭିମୁଖ୍ୟର ସ୍ପଷ୍ଟ ସଙ୍କେତ ଦେଉଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାରବେଳେ ସମଦୂରତ୍ୱ ନୀତିକୁ ପରିତ୍ୟାଗ କରିବା କଥା କହିଥିବାବେଳେ ଏବେ ସୂର୍ଯ୍ୟ ପାଦେ ଆଗକୁ ଯାଇ ନବୀନଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ବୋଲି କହି ବିଜେଡି ଛାଡ଼ିଥିବା ‘ଗୁଗଲି’ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ପରିଦୃଶ୍ୟରେ ଦଳର ଆବଶ୍ୟକତା ନା ବାଧ୍ୟବାଧକତା ତାକୁ ନେଇ ପ୍ରଶ୍ନ ଉଠିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ୨୦୦୯ ମାର୍ଚ୍ଚ ମାସରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସହ ବିଜେଡି ୧୧ବର୍ଷର ସମ୍ପର୍କ ଛିନ୍ନ କରି ‘ସମଦୂରତ୍ୱ’ ଆଭିମୁଖ୍ୟକୁ ଅପାଣାଇଥିଲା। ବିଜେଡି ନିଜର ଅନ୍ତୁଡ଼ି ଶାଳରୁ ପ୍ରାୟ ୧୧ବର୍ଷ ପର୍ଯ୍ୟନ୍ତ ବିଜେପି କାନ୍ଧରେ ଭାର ହୋଇ ନିଜର ରାଜନୀତିକ ସ୍ଥିତିକୁ ସୁଦୃଢ଼ କରିବା ପରେ ନିଜର ତତକାଳୀନ ଚାଣକ୍ୟ ପ୍ୟାରୀମୋହନ ମହାପାତ୍ରଙ୍କ ରାଜନୀତିକ ଗୋଟିଚାଳନାରେ ବିଜେପି ସହ ସମ୍ପର୍କ ଛିନ୍ନ କରିଥିଲା। ୨୦୦୯ରୁ ଆଜି ପର୍ଯ୍ୟନ୍ତ ‘ସମଦୂରତ୍ୱ’ର ସୁବିଧାବାଦୀ ରାଜନୀତିକ କାର୍ଡ ଖେଳୁଥିବା ବିଜେଡି ପାଇଁ ୨୦୧୯ ନିର୍ବାଚନ ‘ଟର୍ଣ୍ଣିଂ ପଏଣ୍ଟ’ ସାବ୍ୟସ୍ତ ହୋଇଛି। ଯାହାକି ଦଳକୁ ନିଜର ଦୀର୍ଘ ଦଶନ୍ଧିର ‘ସମଦୂରତ୍ୱ’ କାର୍ଡକୁ ପଛରେ ପକାଇ ଓଡ଼ିଶାର ସ୍ୱାର୍ଥକୁ ଯିଏ (ଏନଡିଏ ଅବା ୟୁପିଏ)ଅଗ୍ରାଧିକାର ଦେବ ତାକୁ ଆଳ କରି ରାଜନୀତିରେ ତିଷ୍ଠି ରହିବା ପାଇଁ ସମର୍ଥନର ଖୋଲା ଅଫର୍ ଦେଇଛି।

ନିର୍ବାଚନବେଳେ ନବୀନଙ୍କ ଏହି ‘ଅଫର୍’ ପରେ ଦିଲ୍ଲୀ ଦରବାରକୁ ଦଖଲ କରିବାକୁ ଗୋଟି ଚଳାଉଥିବା ଉଭୟ ଏନଡିଏ ଓ ୟୁପିଏ ମଧ୍ୟରେ ‘ବିଜେଡି’କୁ ନିଜ ସହ ରଖିବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି। ବିଜେଡି ଏହି ସୁଯୋଗରେ ରାଜ୍ୟରେ ନିଜକୁ ଅପ୍ରତିଦ୍ୱନ୍ଦ୍ୱୀ କରି ରଖିବାର ଗୋଟିଚାଳନା ଆରମ୍ଭ କରିଛି। ବିରୋଧୀ ଦଳର ଶୀର୍ଷ ନେତୃତ୍ୱଙ୍କୁ କରାୟତ୍ତ କରି ରାଜ୍ୟରେ ଥିବା ତାଙ୍କ ଦଳୀୟ ନେତାମାନଙ୍କୁ ଧରାଶାୟୀ କରିବାର ନିଜର ପୁରୁଣା ଫର୍ମୂଲାକୁ ବିଜେଡି ପୁଣିଥରେ କାର୍ଯ୍ୟକାରୀ କରିବା ନିମନ୍ତେ ଉଦ୍ୟମ କରିଛି। ତେବେ ୨୦୧୯ ନିର୍ବାଚନ ଫଳାଫଳ ‘ଉତ୍ସାହଜନକ’ ହୋଇ ନପାରେ ଭାବି ବିଜେଡି ନିଜର ‘ସମଦୂରତ୍ୱ’ ଆଭିମୁଖ୍ୟକୁ ପରିତ୍ୟାଗ କରିବା ବୁଝାପଡ଼ୁଛି, କିନ୍ତୁ ଜାତୀୟ ରାଜନୀତି କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ସାମାନ୍ୟତମ ଆଗ୍ରହ ନଥିବା କଥା ସ୍ପଷ୍ଟ ଭାବେ ନବୀନ କହି ଆସିଥିବାବେଳେ ତାଙ୍କ ଦଳର ବରିଷ୍ଠ ଉପସଭାପତି ଶ୍ରୀ ପାତ୍ର ଅଚାନକ ‘ନବୀନଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ’ ବୋଲି କାହିଁକି କହିଲେ, ତାହା ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ।

ଅବଶ୍ୟ ସୂର୍ଯ୍ୟଙ୍କ ବୟାନକୁ ବିରୋଧୀ ଦଳଗୁଡ଼ିକ ନାପସନ୍ଦ କରୁଥିବାବେଳେ ବିଜେଡିର ଅନ୍ୟଜଣେ ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ଘଡ଼ାଇ କିନ୍ତୁ ସମର୍ଥନ ଜଣାଇ ସାରିଲେଣି। ଦୁଇଜଣ ବରିଷ୍ଠ ଉପସଭାପତିଙ୍କ ଏଭଳି ମତରୁ ଏହା ଯେ ଦଳର ମତ ଓ ରଣନୀତି ବୋଲି ଧୀରେ ଧୀରେ ସ୍ପଷ୍ଟ ହୋଇଗଲାଣି। ତେବେ ପ୍ରଶ୍ନ ଉଠୁଛି, ଜାତୀୟ ରାଜନୀତି ପ୍ରତି ଅନାଗ୍ରହୀ ଥିବା ନବୀନଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ବୋଲି ବିଜେଡି ବୟାନ ଦେବା ପଛରେ ରହସ୍ୟ କ’ଣ?

ରାଜନୀତିକ ବିଶ୍ଲେଷକଙ୍କ ମତରେ ଜାତୀୟ ରାଜନୀତିରେ, ବିଶେଷକରି ୟୁପିଏ ମେଣ୍ଟରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଜେଡି ସେହି ଦୌଡ଼ରେ ନିଜକୁ ସାମିଲ କରିବାକୁ ଚାହିଁଛି। ଏହା ମଧ୍ୟ ବିଜେଡିର ରଣନୀତିର ଏକ ଅଂଶବିଶେଷ। କାରଣ ମେ’ ୨୩ରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ନୂଆଦିଲ୍ଲୀରେ ଡାକିଥିବା ବୈଠକରେ ସାମିଲ ହେବାକୁ ବିଜେଡିକୁ ଅନୁରୋଧ କରିଛନ୍ତି। ପ୍ରଥମେ ବରିଷ୍ଠ କଂଗ୍ରେସ ନେତା କମଲ ନାଥ ଓ ପରେ ସୋନିଆଙ୍କ ବ୍ୟକ୍ତିଗତ ସଚିବ ଅହମ୍ମଦ ପଟେଲ ଏବେ ନବୀନଙ୍କ ସହ ଯୋଗସୂତ୍ରରେ ରହିଛନ୍ତି।

ମାତ୍ର ସ୍ଥିତିକୁ ଦେଖି ନୀତି ବଦଳାଉଥିବା ବିଜେଡି ଜାତୀୟ ରାଜନୀତିକ ପାଣିପାଗକୁ ଏବେଠୁ ଆକଳନ କରି ୟୁପିଏ ମେଣ୍ଟରେ ନରହିବା ପାଇଁ ‘ନବୀନଙ୍କୁ ପ୍ରଧାନମନ୍ତ୍ରୀ ଯୋଗ୍ୟ’ଗୁଗଲି ଛାଡ଼ିଛି। ସଂଖ୍ୟା ଓ ଅନ୍ୟାନ୍ୟ ଦୃଷ୍ଟିରୁ ଏହାକୁ ଗ୍ରହଣ କରିବା ମଧ୍ୟ ୟୁପିଏ ପାଇଁ ସମ୍ଭବପର ନୁହେଁ ବୋଲି ବିଜେଡି ଜାଣିଛି। ତେଣୁ ୟୁପିଏଠୁ ଦୂରେଇ ରହିବା ପାଇଁ ବିଜେଡି ଏଭଳି ଗୁଗଲି ଛାଡ଼ି କେନ୍ଦ୍ରରେ ପୁଣିଥରେ ଏନଡିଏର ସହଯୋଗୀ ହେବାକୁ ମାର୍ଗ ପ୍ରଶସ୍ତ କରୁଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ପୁଣିଥରେ କ୍ଷମତାସୀନ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ନିଜର ଆବଶ୍ୟକତା ପାଇଁ ନବୀନଙ୍କ ବିଜେଡି ଏହି ରଣନୀତି ଆପଣାଇଛି।

ଏହା ମଧ୍ୟ ବିଜେଡି ପାଇଁ ଏକପ୍ରକାରର ବାଧ୍ୟବାଧକତା। ବିରୋଧୀ ଶିବିରକୁ ନିମିଷକେ ଧରାଶାୟୀ କରିବାରେ ଧୂରନ୍ଧର ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ଗୋଟିଚାଳନା ଓ ଦୁର୍ନୀତି ପ୍ରତି ମୋଦି ସରକାରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ଆଶଙ୍କିତ ବିଜେଡି ରାଜ୍ୟରେ ବିଭିନ୍ନ ପ୍ରକାରର ଦୁର୍ନୀତିରେ ଛନ୍ଦି ହୋଇ ରହିଥିବାରୁ ଏବେ ନିଜସ୍ୱ ସ୍ଥିତି ରକ୍ଷା ପାଇଁ ଏନଡିଏର ନିକଟତର ହେବାର ବାଧ୍ୟବାଧକତାକୁ ବାଛି ନେଇଥିବା ଚର୍ଚ୍ଚା।



from Odisha Reporter http://bit.ly/2QbG3G0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages