ଅସନ୍ତୁଷ୍ଟଙ୍କୁ ମାତ୍ ଦେବାକୁ ବିଜେଡିର ରଣନୀତି: ରାଜ୍ୟସଭା ଯିବେ ତଥାଗତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 1, 2019

ଅସନ୍ତୁଷ୍ଟଙ୍କୁ ମାତ୍ ଦେବାକୁ ବିଜେଡିର ରଣନୀତି: ରାଜ୍ୟସଭା ଯିବେ ତଥାଗତ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ନୂଆ ମନ୍ତ୍ରିପରିଷଦକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ମନ୍ତ୍ରୀ ଆଶାୟୀ ନେତାମାନଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ଆଗାମୀ ଦିନରେ ଉଗ୍ର ରୂପ ନେବାର ଆଶଙ୍କା ଥିବାରୁ ବିଜେଡି ନେତୃତ୍ୱ ଏବେଠୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ମନ୍ତ୍ରୀ ଆଶାୟୀ କିଛି ହେଭିୱେଟ୍ ନେତାଙ୍କ ଆଡ଼ୁ ରହିଥିବା ବିପଦକୁ ଆକଳନ କରି ସେମାନଙ୍କର କଟ୍ଟରବିରୋଧୀଙ୍କୁ ଏବେ ବଳଶାଳୀ କରିବାକୁ ବିଜେଡି ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ଭୋଟ୍ ରାଜନୀତିରୁ ଦୂରେଇ ରହିବାକୁ ଘୋଷଣା କରିଥିବା ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ଭଳି ନେତାଙ୍କୁ ଏବେ ଥଇଥାନ କରାଯିବାକୁ ଯୋଜନା ଚାଲିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ନେତା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଚେକ୍ ଦେବା ପାଇଁ ପୁଣିଥରେ ଦଳୀୟସ୍ତରରେ ତଥାଗତଙ୍କ ଗୁରୁତ୍ୱ ବୃଦ୍ଧି ପାଇ ରଣନୀତି ପ୍ରସ୍ତୁତ ହୋଇଛି। ନବୀନଙ୍କ ମନ୍ତ୍ରିପରିଷଦରେ ସ୍ଥାନ ନମିଳିବାକୁ ନେଇ ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଅସନ୍ତୁଷ୍ଟ ଅଛନ୍ତି ବୋଲି କୁହାଯାଉଛି। ଭବିଷ୍ୟତରେ ସେ ଦଳ ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା କରି ବିଜେଡି ନେତୃତ୍ୱ ଏବେଠୁ ତାଙ୍କୁ ଚେକ୍ ଦେବା ନିମନ୍ତେ ତଥାଗତଙ୍କୁ ରାଜ୍ୟସଭାକୁ ପଠାଇବାକୁ ଚାହୁଁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ନିର୍ବାଚନବେଳେ ଖଣ୍ଡପଡ଼ା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ସୌମ୍ୟଙ୍କୁ ବେଶ୍ କସରତ କରିବାକୁ ପଡ଼ିଥିଲା। ପ୍ରଥମେ ତାଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦିଆଯାଇଥିଲା, ମାତ୍ର ସେ ଖଣ୍ଡପଡ଼ାରୁ ଦଳୀୟ ଟିକେଟ୍ ପାଇଁ ଜିଦ୍ ଧରିବା ପରେ ତାଙ୍କୁ ସେଠାରେ ପ୍ରାର୍ଥୀ କରାଯାଇଥିଲା। ରାଜ୍ୟରେ ସର୍ବାଧିକ ଭୋଟ୍ ବ୍ୟବଧାନରେ ସୌମ୍ୟ ବିଜୟୀ ହେବାପରେ ମନ୍ତ୍ରିପରିଷଦରେ ସ୍ଥାନ ପାଇବେ ବୋଲି ସେ ଏବଂ ତାଙ୍କ ସମର୍ଥକମାନେ ଆଶା ରଖିଥିଲେ। କିନ୍ତୁ ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀର ବିରୋଧ ଯୋଗୁ ସୌମ୍ୟଙ୍କ ଆଶା ଧୂଳିସାତ୍ ହୋଇଯାଇଛି। ନବୀନଙ୍କ ମନ୍ତ୍ରିପରିଷଦର ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବା ପାଇଁ ତଥାଗତଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତଥାଗତ ଯେଭଳି ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ତାହା ସୁନିଶ୍ଚିତ କରିବାପାଇଁ ବିଜେଡିର ଜଣେ ପ୍ରଭାବଶାଳୀ ଯୁବନେତାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଥିଲା। ଆଗାମୀ ଦିନରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏରେ ତଥାଗତଙ୍କୁ ଥଇଥାନ କରି ଦଳ ସୌମ୍ୟଙ୍କୁ ଚେକ୍ ଦେବାକୁ ପ୍ରୟାସ କରିଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ହେଭିୱେଟ୍ ନେତା ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଦେବଙ୍କ ମଧ୍ୟରୁ କାହାରିକୁ ମନ୍ତ୍ରିପରିଷଦରେ ସାମିଲ କରାଯାଇ ନାହିଁ। ଉଭୟ ନେତା ପରସ୍ପରକୁ ବିରୋଧ କରିବାରୁ ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଇ ନାହିଁ ବୋଲି ଦଳ ପକ୍ଷରୁ ସନ୍ଦେଶ ଦେବାକୁ ପ୍ରୟାସ ହୋଇଛି। ଏହି ଦୁଇ ନେତାଙ୍କୁ ଅସନ୍ତୁଷ୍ଟ କରିବାର ଫଳ ମଧ୍ୟ ଦଳକୁ ଆଗାମୀ ଦିନରେ ପାଟକୁରାରେ ହେବାକୁ ଥିବା ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହି ଦୁଇ ନେତାଙ୍କ ଗୁରୁତ୍ୱ ହ୍ରାସ ପାଇଁ ଏବେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ଟିମକୁ ପାଟକୁରା ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।

ସେହିପରି ଗଞ୍ଜାମ ଜିଲ୍ଲାରେ ଉଷା ଦେବୀ, ପ୍ରଦୀପ ପାଣିଗ୍ରାହୀ ଓ ଲତିକା ପ୍ରଧାନ ମଧ୍ୟ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିଲେ। ସେମାନେ ଭବିଷ୍ୟତରେ ଦଳ ପାଇଁ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସାଂସଦ ଚନ୍ଦ୍ରଶେଖର ସାହୁ , ବିକ୍ରମ ପଣ୍ଡା ଓ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ମାଧ୍ୟମରେ ଜିଲ୍ଲା ସଂଗଠନକୁ ଅକ୍ତିଆରରେ ରଖିବାକୁ ବିଜେଡି ନେତୃତ୍ୱ ପ୍ରୟାସ କରୁଥିବା ସୂଚନା ମିଳିଛି।

ସେହିପରି କଟକ ଜିଲ୍ଲାର ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମନ୍ତ୍ରିପରିଷଦରେ ସ୍ଥାନ ମିଳିବାକୁ ନେଇ ଦେବୀପ୍ରସାଦ ମିଶ୍ର, ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ଭଳି ନେତା ଏବେ କ୍ଷୁବ୍ଧ। ଜଗତସିଂହପୁର ଜିଲ୍ଲାରେ ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲିଙ୍କ ବିଧାୟକ ଭାବେ ବରିଷ୍ଠତାକୁ ଅଣଦେଖା କରି ବିଜେପିରୁ ଆସିଥିବା ରଘୁନନ୍ଦନ ଦାସଙ୍କୁ ଦୁହାଁଳିଆ ବିଭାଗ ଦିଆଯାଇଥିବାରୁ ଜିଲ୍ଲା ବିଜେଡିରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। କଟକ ଓ ଜଗତସିଂହପୁର ଜିଲ୍ଲାରେ ଏହି ଅସନ୍ତୁଷ୍ଟ ନେତାମାନଙ୍କୁ ଡରାଇ ଧମକାଇ ଚୁପ୍ ରହିବା ନିମନ୍ତେ ରଣନୀତି ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ସେହିପରି ଦଳୀୟ ଅନ୍ତର୍କନ୍ଦଳ ଯୋଗୁ ବରଗଡ଼ ଲୋକସଭା ଆସନରେ ପରାଜିତ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ସମର୍ଥକ ଗୋଷ୍ଠୀ ଏବେ ଅସନ୍ତୁଷ୍ଟ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ଇସ୍ତଫା ଦେଲେ ସେଠାରେ ଉପନିର୍ବାଚନ ହେବାର ସମ୍ଭାବନା ଥିବାରୁ ଏହି ଗୋଷ୍ଠୀ ଦଳୀୟ ପ୍ରାର୍ଥୀଙ୍କ ବିଜୟ ମାର୍ଗରେ ପ୍ରତିବନ୍ଧକ ସାଜିବାର ଆଶଙ୍କା ରହିଛି। ତେଣୁ ଏବେଠୁ ମନ୍ତ୍ରୀ ନବ ଦାସ ଓ ସୁଶାନ୍ତ ସିଂଙ୍କ ମାଧ୍ୟମରେ ବିଜେପୁର ଆସନକୁ ଜିଣିବାର ମାର୍ଗ ପ୍ରଶସ୍ତ କରାଯାଉଥିବା ଜଣାପଡ଼ିଛି।



from Odisha Reporter http://bit.ly/2WimmCL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages