ସମ୍ବଲପୁରରୁ ବିଜେପି ଟିକେଟ୍ରେ ଏଥର ପୁଣି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଜୟନାରାୟଣ ମିଶ୍ର। ୨୦୦୦, ୨୦୦୪ ଓ ୨୦୦୯ରେ ସମ୍ବଲପୁର ବିଧାନସଭା ଆସନରୁ ବିଜୟୀ ହୋଇଥିବା ଶ୍ରୀ ମିଶ୍ର ୨୦୧୪ ନିର୍ବାଚନରେ ପରାସ୍ତ ହୋଇଥିଲେ। ତେବେ ଚଳିତ ଥର ପୁଣି ବିଜୟୀ ହେବା ପରେ ସେ ବିଧାନସଭାରେ ବିରୋଧୀ ଦଳ ନେତା ହେବେ ବୋଲି ଆଲୋଚନା ଜୋର ଧରିଥିଲା। ତେବେ ଦଳ ତାଙ୍କ ବଦଳରେ ପ୍ରଦୀପ ନାୟକଙ୍କୁ ଏହି ପଦ ପାଇଁ ବାଛିଥିଲା। ଏଥିରେ ଅସନ୍ତୁଷ୍ଟ ହୋଇଛନ୍ତି କି ଜୟନାରାୟଣ? ଏହା ସହିତ ଆହୁରି ଅନେକ ପ୍ରଶ୍ନର ଉତ୍ତର ସେ ଓଟିଭିର ’ଖୋଲାକଥା’ କାର୍ଯ୍ୟକ୍ରମରେ ଦେଇଥିଲେ। ସେହି ସାକ୍ଷାତକାରରେ ସେ ଦେଇଥିବା କିଛି ପ୍ରଶ୍ନର ଉତ୍ତର ଆପଣମାନେ ଏଠାରେ ପଢ଼ିପାରିବେ।
ପ୍ରଶ୍ନ. ଚର୍ଚ୍ଚା ହୋଇଥିଲା, ଜୟନାରାୟଣ ମିଶ୍ର ବିରୋଧୀ ଦଳର ନେତା ହେବେ ?
ଉତ୍ତର: ମୁଁ ବିରୋଧୀ ଦଳର ନେତା ହେବି ବୋଲି ସମ୍ଭାବନା ଥିଲା। ମୁଁ ଏହାର ସଙ୍କେତ ମଧ୍ୟ ପାଇଥିଲି। କିନ୍ତୁ ପ୍ରଦୀପଙ୍କର ହୁଏତ ମୋଠାରୁ ଅଧିକ ଯୋଗ୍ୟତା ରହିଛି, ସେଥିପାଇଁ ତାଙ୍କୁ ବଛାଗଲା।
ପ୍ରଶ୍ନ. ଆପଣ ସୁଯୋଗ ହରାଇଲେ, ଏହାର କ୍ଷୋଭ ଅଛି କି ?
ଉତ୍ତର: ଏହାକୁ ନେଇ ମୁଁ କ୍ଷୋଭ କରୁନାହିଁ। ଯେତେ କମ୍ ଦାୟିତ୍ୱ ମିଳିବ ମୋ ପାଇଁ ସେତେ ଭଲ। ତେବେ ଦାୟିତ୍ୱ ମିଳିଥିଲେ ନିଶ୍ଚୟ ନିର୍ବାହ କରିଥା’ନ୍ତି। କିନ୍ତୁ ମୋତେ ଦାୟିତ୍ୱ ଦିଆଗଲା ନାହିଁ। ଦାୟିତ୍ୱ ଦିଆ ନଗଲେ ବି ବିଧାନସଭାର ଜଣେ ସଦସ୍ୟ ଭାବରେ ମୋର ଯେଉଁ ଦାୟିତ୍ୱ ରହିଛି, ତାହାକୁ ମୁଁ ପାଳନ କରିବି।
ପ୍ରଶ୍ନ. ବିରୋଧୀ ଦଳର ନେତା ହେବା ପାଇଁ ଯେତିକି ମଜବୁତ୍ ଓ ଅଭିଜ୍ଞତା ଦରକରା, ସେସବୁ କ’ଣ ଆପଣଙ୍କ ଦଳର ନେତାଙ୍କ ପାଖରେ ରହିଛି ?
ଉତ୍ତର: ଏହାର ଉତ୍ତର ଦଳ ଦେବ। ଦଳର ଯେଉଁମାନେ ମୁଖପାତ୍ର ଅଛନ୍ତି ଏବଂ ଯେଉଁମାନେ ଏହି ନିଷ୍ପତ୍ତି ନେଇଛନ୍ତି, ସେମାନେ ଏହାର ଉତ୍ତର ଦେବେ।
ପ୍ରଶ୍ନ. ଆପଣଙ୍କୁ ବିରୋଧୀ ଦଳ ନେତା କରାଗଲା ନାହିଁ, ଏହାର କାରଣ ଆପଣ ଖୋଜିଛନ୍ତି କି?
ଉତ୍ତର: ମୋର ଅନେକ ଦୁର୍ବଳତା ରହିଛି। ମୋର ଦୁର୍ବଳତା ହେଉଛି ମୁଁ ଡିପ୍ଲୋମାଟ୍ ନୁହେଁ। ମୁଁ ଗଧକୁ ଘୋଡ଼ା କହିପାରିବି ନାହିଁ। ରାଜନୀତିରେ ଗଧକୁ ଘୋଡ଼ା କହିବାକୁ ପଡ଼ିବ। ଆକ୍ରମଣାତ୍ମକ ସ୍ଥିତିରେ ରହିଥିବା ସମୟରେ ଫେରିଚାଲ ବୋଲି କହିଲେ ମୁଁ ଫେରି ପାରେନାହିଁ। ଏହା ହେଉଛି ମୋର ଦୁର୍ବଳତା।
ପ୍ରଶ୍ନ. ଦାମବାବୁ କହୁଛନ୍ତି, ଆପଣଙ୍କ ବିରୋଧରେ ଅନେକ କ୍ରିମିନାଲ୍ କେସ୍ ରହିଛି ?
ଉତ୍ତର: ଯେଉଁମାନେ ରାଜନୀତି କରୁଛନ୍ତି, ସମସ୍ତଙ୍କ ବିରୋଧରେ କ୍ରିମିନାଲ୍ କେସ୍ ରହିଛି। ନବୀନ ପଟ୍ଟନାୟକଙ୍କ ବିରୋଧରେ ମଧ୍ୟ ରହିଛି। ମୁଁ ନିଜ ସ୍ୱାର୍ଥ ପାଇଁ କିଛି କରିନାହିଁ। ମୋର ନାମରେ ୨୦୧୪ ପର୍ଯ୍ୟନ୍ତ କୌଣସି କେସ୍ ନଥିଲା। ତା’ପରେ କାହିଁକି ମାଳମାଳ କେସ୍ ଆସିଲା?
ପ୍ରଶ୍ନ. ସାମ୍ପ୍ରତିକ ପରିସ୍ଥିତିରେ ବିଜେପି-ବିଜେଡିର ସମ୍ପର୍କ କେମିତି ?
ଉତ୍ତର: ଆମକୁ ଆଜି ପର୍ଯ୍ୟନ୍ତ ବିଜେଡିକୁ ଦୃଢ଼ ଭାବରେ ବିରୋଧ କରିବା ପାଇଁ ଦଳ କହିଛି ଏବଂ ଆମେ ସେୟା ହିଁ କରୁଛୁ।
ପ୍ରଶ୍ନ. ଆପଣଙ୍କୁ ବିରୋଧୀ ଦଳର ନେତା ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଇଚ୍ଛା ଥିଲା। ଏ ନେଇ ଆପଣ କ’ଣ କହିବେ ?
ଉତ୍ତର: ମୁଖ୍ୟମନ୍ତ୍ରୀଙ୍କର ଦୟାରେ ବିଜେପି ଚାଲିନାହିଁ। ମୁଁ ଜଣେ ତଳ ସ୍ତରର କର୍ମକର୍ତ୍ତା। ସେ କ’ଣ ଚାହୁଁଥିଲେ ମୁଁ ଜାଣିନାହିଁ। ମୁଁ ବିଜେଡିର ଉଦ୍ଦେଶ୍ୟ ଜାଣିଛି। ଆଗାମୀ ଦିନରେ ସେଟା ସ୍ପଷ୍ଟ ହେବ।
ପ୍ରଶ୍ନ. ଓଡ଼ିଶାରେ ବିଜେପି ଦଳ କାହା ଦ୍ୱାରା ପରିଚାଳିତ ?
ଉତ୍ତର: ଗୋଟିଏ ଟିମ୍ ଦ୍ୱାରା ପରିଚାଳିତ।
ପ୍ରଶ୍ନ. ବିଜେପିର ମିଶନ ୧୨୦ କେବେ ସଫଳ ହେବ ?
ଉତ୍ତର: ଆଗାମୀ ଦିନରେ ୨୦୨୪ରେ ଏହି ମିଶନ ପୂରଣ ହେବ।
from Odisha Reporter https://ift.tt/2ZqfDo2
No comments:
Post a Comment