ନୂଆଦିଲ୍ଲୀ: ଆଜି ଲୋକସଭାରେ ଉପସ୍ଥାପନ ହେବ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍। ଏହି ବିଲ୍କୁ ଗତକାଲି ରାଜ୍ୟସଭାରେ ମଞ୍ଜୁରୀ ମିଳିସାରିଛି। ଏହି ବିଲ୍ରେ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରିବାର ପ୍ରାବଧାନ ରହିଛି।
ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଗତକାଲି ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ। ରାଜ୍ୟସଭା ଆରମ୍ଭ ହେବା କ୍ଷଣି ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି ମନ୍ତ୍ରୀ ଶାହ ଗୃହରେ ସଂକଳ୍ପ ଆଗତ କରିଥିଲେ। ଏଥିସହ ରାଜ୍ୟ ପୁର୍ନଗଠନ ବିଲ୍ ମଧ୍ୟ ଆଗତ କରିଥିଲେ।
ବିଲରେ ଥିବା ପ୍ରସ୍ତାବ ଅନୁଯାୟୀ, ଭାରତ ମାନଚିତ୍ରରୁ ବଦଳିଯିବ ଜମ୍ମୁ-କଶ୍ମୀରର ମ୍ୟାପ୍। ଦିଲ୍ଲୀ, ପୁଡ଼ୁଚେରୀ ଢାଞ୍ଚାରେ ଜମ୍ମୁ-କଶ୍ମୀର ଏବଂ ଚଣ୍ଡିଗଡ଼,ଡାମନ୍ଡିଉ ଢାଞ୍ଚାରେ ଲଦାଖ୍ ହେବ କେନ୍ଦ୍ର ଶାସିତ ଅଞ୍ଚଳ। ଅର୍ଥାତ୍ ଜମ୍ମୁ-କଶ୍ମୀରରେ ନିର୍ବାଚିତ ସରକାର ରହିବ। ବିଧାନସଭା ବି ରହିବ । ପୁଲିସ ହାତରେ ରହିବନି କ୍ଷମତା। ସୀମାପାର ଆତଙ୍କବାଦ ସହ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ଗୃହମନ୍ତ୍ରୀ।
କେନ୍ଦ୍ରର ଏଇ ନିଷ୍ପତ୍ତିକୁ ନେଇ ଗୃହରେ ଗତକାଲି ପ୍ରବଳ ହଟ୍ଟଗୋଳ ହୋଇଥିଲା। ହେଲେ ଦେଶବ୍ୟାପୀ ଏହାକୁ ସ୍ୱାଗତ କରାଯାଇଛି। କେଉଁଠି ପରସ୍ପରକୁ ମିଠା ଖୁଆଇ ଲୋକେ ଉତ୍ସବ ମନାଇଥିଲେ ତ କେଉଁଠି ବାଜା-ବାଣରେ କମ୍ପୁଥିଲା ପରିବେଶ।
ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
from Odisha Reporter https://ift.tt/2MDbCZP
No comments:
Post a Comment