ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀର ରାଜରାସ୍ତାରେ ବୁଲୁଛନ୍ତି ଯୌନ ପିପାସୁ । ଆପଣଙ୍କ ଛୋଟ ଛୋଟ ପିଲା ଏକୁଟିଆ ସ୍କୁଲ କିମ୍ବା ଟିଉସନ୍ ଛାଡୁଥିଲେ ସାବଧାନ୍ । କାରଣ କେତେବେଳେ ବି ଏପରି ରାକ୍ଷାସଙ୍କ ହାବୁଡରେ ପଡିପାରନ୍ତି ଆପଣଙ୍କ ପିଲା । ୬ ଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି, ଯାହାକି ନାବାଳିକାଙ୍କ ସୁରକ୍ଷା ନେଇ ଛିଡ଼ା କରିଛି ପ୍ରଶ୍ନବାଚୀ ।
ଗତ ୨୧ ତାରିଖରେ ଶବର ସାହି ଲେନ୍ ଦେଇ ଜଣେ ନାବାଳିକା ସାଇକେଲରେ ଟ୍ୟୁସନ ଯାଉଥିବା ବେଳେ ଜଣେ ବ୍ୟକ୍ତି ଏକ ଦୁଇ ଚକିଆ ଯାନରେ ଆସି ତାଙ୍କୁ ଅଟକାଇଥିଲେ। ଏଥିସହ ଉକ୍ତ ବ୍ୟକ୍ତିଜଣଙ୍କ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି । ପୁରା ଘଟଣା କଏଦ୍ ହୋଇଛି ସିସିଟିଭିରେ। ବ୍ୟକ୍ତି ଜଣଙ୍କ କିଭଳି ବହୁ ସମୟ ଧରି ନାବାଳିକାର ପିଛା କରୁଛନ୍ତି, ତାହା ଏହି ଫୁଟେଜ୍ରୁ ସ୍ପଷ୍ଟ ଜଣାପଡୁଛି ।
ଝିଅଟି ଏକ ନିଛାଟିଆ ସ୍ଥାନରେ ପହଞ୍ଚିବା କ୍ଷଣି ବ୍ୟକ୍ତିଜଣଙ୍କ ତାଙ୍କ ଆଡକୁ ଦୁଇ ଚକିଆ ଯାନ ମଡାଇ ନେବା ସହ ଅଟକିବାକୁ ବାଧ୍ୟ କରୁଛନ୍ତି । ତାପରେ ବିଚ୍ ରାସ୍ତାରେ ତାଙ୍କ ପ୍ରତି ଅସଦାଚରଣ କରୁଛନ୍ତି। ନାବାଳିକାଜଣକ ଚିତ୍କାର କରିବା ପରେ ବ୍ୟକ୍ତିଜଣଙ୍କ ସେଠାରୁ ତୁରନ୍ତ ଖସି ପଳାଉଛି । ଏହି ଘଟଣାକୁ ୬ ଦିନ ବିତିଗଲାଣି। ହେଲେ ଏବେ ବି ଅଭିଯୁକ୍ତ ବାହାରେ। ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ନାବାଳିକାର ପରିବାର ଲୋକ ଅଭିଯୋଗ କରିଛନ୍ତି।
ଆଶ୍ଚର୍ଯ୍ୟର କଥା ସିସିଟିଭି ଫୁଟେଜ୍ରୁ ଗାଡ଼ିର ନମ୍ବର ପ୍ଲେଟ୍ ବି ସ୍ପଷ୍ଟ ଦେଖାଯାଉଛି । ଏହାସତ୍ତ୍ୱେ ଅଭିଯୁକ୍ତ ପାଖରେ କାହିଁକି ପହଞ୍ଚି ପାରୁନି ପୁଲିସ୍?
ଏହି ବ୍ୟକ୍ତିଜଣଙ୍କ ଯେଉଁଭଳି ଢଙ୍ଗରେ ଝିଅଟିକୁ ଅସଦାଚରଣ କରୁଛି ସେଥିରୁ ସେ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଜଣାପଡୁଛି। ଘଟଣାକୁ ନେଇ ପୁଲିସ୍ର ଉଦାସୀନତା ବିଭିନ୍ନ ପ୍ରଶ୍ନ ସୃଷ୍ଟି କରୁଛି। ଏହି ଘଟଣା ପରେ ଝିଅକୁ ଏକୁଟିଆ ଛାଡ଼ି ଅଭିଭାବକମାନେ ନିଶ୍ଚିତ ହୋଇ ପାରିବେ ନାହିଁ। ଏନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter https://ift.tt/2ZjXyfo
No comments:
Post a Comment