ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଡ୍ଡୁ ସରକାରୀ ଆଶ୍ରମ ବିଦ୍ୟାଳୟର ପିଅନଙ୍କୁ ଗତକାଲି ବିଳମ୍ବିତ ରାତିରେ ପଥର ଛେଚି କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଜଗନ୍ନାଥ କାର୍ଜି। ତାଙ୍କ ଘର ରାଇଗଡ଼ ବ୍ଲକ ତୁଙ୍ଗ ଗାଁରେ।
ଗତ କିଛି ଦିନ ହେବ ବାପ-ପୁଅଙ୍କ ମଧ୍ୟରେ ପରିବାରିକ ବିବାଦ ଲାଗି ରହିଥିଲା। ଏଥିଯୋଗୁ ପୁଅ କେଶବ କାର୍ଜି (୨୩) ହିଁ ସ୍ୱାମୀଙ୍କ ହତ୍ୟା କରିଥିବା ଜଗନ୍ନାଥଙ୍କ ସ୍ତ୍ରୀ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଏହି ହତ୍ୟାକାଣ୍ଡ ପରେ କେଶକ ଫେରାର ଥିବା ଜଣାପଡ଼ିଛି।
ଗତକାଲି ରାତିରେ ଜଗନ୍ନାଥ ସ୍କୁଲ ପରିସରରେ ଥିବା ଏକ ଘରେ ଶୋଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ସେଠାରେ ମୃତଦେହ ପଡ଼ିଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
ମୃତକଙ୍କ ପତ୍ନୀ ନିକଟସ୍ଥ ଏକ ବାଳିକା ଆଶ୍ରମ ବିଦ୍ୟାଳୟରେ ରୋଷେୟା ଭାବେ କାମ କରନ୍ତି। ସେଠାରେ ସେ ନିଜ ଝିଅ ସହ ରହିଥାନ୍ତି। ଖବର ପାଇ ସେ ମଧ୍ୟ ପହଞ୍ଚି ପୁଲିସ୍ ସମ୍ମୁଖରେ ହତ୍ୟାକାଣ୍ଡରେ ତାଙ୍କ ପୁଅର ସମ୍ପୃକ୍ତି ବିଷୟରେ କହିଛନ୍ତି।
କେଶବ ପୂର୍ବରୁ ପ୍ରେମ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଏହାକୁ ନେଇ ତାଙ୍କ ପରିବାରରେ ସବୁବେଳେ ଗଣ୍ଡଗୋଳ ଓ ଅଶାନ୍ତି ଲାଗି ରହୁଥିଲା। ଏଥିଯୋଗୁ ବାପପୁଅଙ୍କ ମଧ୍ୟରେ ମତାନ୍ତର ଚାଲିଥିଲା। ଏହି କାରଣରୁ କେଶବ ବାପାଙ୍କ ହତ୍ୟା କରିଥାଇପାରେ ବୋଲି ମୃତକଙ୍କ ପତ୍ନୀ ପୁଲିସ୍ ସମ୍ମୁଖରେ ବୟାନ ଦେଇଛନ୍ତି।
from Odisha Reporter https://ift.tt/2LhJfy4
No comments:
Post a Comment