ଝାରସୁଗୁଡ଼ା(ଭାଗିରଥୀ ସାହୁ): ଚିକିତ୍ସାରେ ଅବହେଳା ଓ ଠିକ୍ ସମୟରେ ଆମ୍ୱୁଲାନ୍ସ ନ ମିଳିବାରୁ ଦୁର୍ଘଟଣାର ଶିକାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ରୋଗୀଙ୍କ ସମ୍ପର୍କୀୟମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଶି ଭଙ୍ଗାରୁଜା କରିଥିଲେ। ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।
ସୂଚନାଅନୁସାରେ, ଗତକାଲି ରାତିରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ରାସ୍ତାର ଅରଡ଼ା ଛକ ନିକଟରେ ଏକ ମୋଟର ସାଇକେଲ ଧକ୍କାରେ ଜଣେ ପଥଚାରୀ ଗୁରୁତର ହୋଇପଡ଼ିଥିଲେ। ତାଙ୍କ ନାଁ କମଳ ଦେହେରିଆ। ତାଙ୍କ ଘର ଅରଡ଼ା ଗାଁରେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଥିବା ଡାକ୍ତର ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ଠିକ୍ ସମୟରେ ୧୦୮ ଆମ୍ବୁଲାନ୍ସ ନମିଳିବାରୁ ଅନ୍ୟ ଏକ ଗାଡିରେ ପରିବାର ଲୋକେ ନେଵାକୁ ଉଦ୍ୟମ କରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାରେ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କୁ ଠେଲାପେଲା କରିଥିଲେ। ଏମିତିକି ଦୁର୍ଘଟଣା ଘଟାଇଥିବା ଯୁବକଙ୍କୁ ମଧ୍ୟ ମାରପିଟ୍ କରିଥିବା ଜଣାପଡିଛି।
ଅନ୍ୟପକ୍ଷରେ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ହେବା ଯୋଗୁ ହିଁ କମଳଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବାର ସୂଚନା ମିଳିଛି।
from Odisha Reporter https://ift.tt/2zndMoI
No comments:
Post a Comment