ରାଇରଙ୍ଗପୁର(ରାଜେଶ ଶର୍ମା): ସମଗ୍ର ରାଜ୍ୟରେ ଜନନୀ ଯନ୍ତ୍ରଣା ଘଟଣା ବଢି ଚାଲିଛି। କେଉଁଠି ଗର୍ଭବତୀଙ୍କୁ ଖଟିଆରେ ବୁହା ହୋଇ ନିଆଯିବା ବେଳେ ବାଟରେ ପ୍ରସବ ହେଉଛି ତ କେଉଁଠି ଡାକ୍ତରଖାନାରେ ପହଞ୍ଚିଲେ ବି ମିଳୁନି ଉପଯୁକ୍ତ ଚିକିତ୍ସା। ସରକାର ଗର୍ଭବତୀ ସମେତ ନବଜାତ ଶିଶୁର ମାଗଣା ଚିକିତ୍ସା ଲାଗି ସମସ୍ତ ବ୍ୟବସ୍ଥା କରିଛନ୍ତି। ଏହାସତ୍ତ୍ୱେ ଏଥିଲାଗି ଲାଞ୍ଚ ମଗାଯିବା ପରି ଲଜ୍ଜାଜନକ ଘଟଣା ଏବେ ସାମନାକୁ ଆସିଛି। ଏଥର ଏଭଳି ଅଭିଯୋଗ ଆସିଛି, ଆଦିବାସୀ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ।
ଅଭିଯୋଗ ଅନୁଯାୟୀ, ତିରିଂ ଥାନା ଅନ୍ତର୍ଗତ ତିରିଂ ଗାଁର ଦୀନବନ୍ଧୁ ମାଝୀଙ୍କ ପତ୍ନୀ ଖୁଦୀ ମୁର୍ମୁ ଦେଢ ମାସର ଗର୍ଭବତୀ ଥିଲେ । ମାତ୍ର ଅଚାନକ ତାଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଗତ ୧ ତାରିଖରେ ତାଙ୍କୁ ଉପଖଣ୍ଡ ଚିକିତ୍ସାୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କ ଗର୍ଭପାତ କରାଇବା ପରେ ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ। ମାତ୍ର ଟଙ୍କା ଦେବାକୁ ମହିଳାଙ୍କ ସ୍ୱାମୀ ମନା କରିବାରୁ ଡାକ୍ତରଜଣକ ମହିଳାଙ୍କୁ ଡିସଚାର୍ଜ କରି ନ ଥିଲେ ।
ପରେ ଏନେଇ ମହିଳାଙ୍କ ପରିବାର ଲୋକେ ମେଡିକାଲ ଉଚ୍ଚ କର୍ତ୍ତୃପକ୍ଷଙ୍କ ସମେତ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଜଣାଇଥିଲେ। ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ବେଳେ ଗଣମାଧ୍ୟମ ପ୍ରତିନିଧୀ ପହଞ୍ଚି ଯିବାରୁ ଡାକ୍ତର ତାଙ୍କୁ ଡିସଚାର୍ଜ କରିଦେଇଥିଲେ। ଏନେଇ ଏସଡିଏମଓଙ୍କୁ ପଚାରିବାରୁ ଏପରି କିଛି ଅଭିଯୋଗ ତାଙ୍କ ନିକଟରେ ହୋଇଥିବା ସେ କହିଛନ୍ତି।
from Odisha Reporter https://ift.tt/2ZvIffq
No comments:
Post a Comment