ପୁଞ୍ଚ: ଭାରତରେ ହିଂସା ସୃଷ୍ଟି କରିବାକୁ ପାକିସ୍ତାନ ଏବେ ଫୁଲ ଦମରେ ଲାଗିପଡ଼ିଛି। ସୋମବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପ୍ରବଳ ଗୁଳିମାଡ଼ କରିଛି। ଦୁଇ ଜଣ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନା ପୁଞ୍ଚ ଜିଲ୍ଲାର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଏଭଳି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଛି। ତେବେ ଭାରତୀୟ ସେନା ଅନୁପ୍ରବେଶ କରିଥିବା ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ପାକିସ୍ତାନ ଗୁଳିମାଡ଼ର ଜବାବ ମଧ୍ୟ ସୁରକ୍ଷାକର୍ମୀମାନେ ଦେଇଛନ୍ତି।
ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ପୁଞ୍ଚର ଦୁଇ ସ୍ଥାନରେ ପାକିସ୍ତାନ ଗୁଳିମାଡ଼ କରିଥିଲା। ଏହାର କିଛି ସମୟ ପରେ ଡେଲିନା ଚୌକ ଠାରେ ଜଣେ ଆତଙ୍କବାଦୀଙ୍କୁ ଠାବ କରାଯାଇଥିଲା। ସେ ପୁଲିସ୍ ଓ ଆର୍ମି ଯବାନଙ୍କୁ ଚକମା ଦେଇ ଖସି ଯିବାକୁ ଚେଷ୍ଟା କରିଥିଲା।
ହେଲେ ସୁରକ୍ଷାକର୍ମୀମାନେ ତାକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ତା’ ନିକଟରୁ ଗୋଟିଏ ଏକେ-୪୭ ବନ୍ଧୁକ ଓ ପିସ୍ତଲ ଜବତ ହୋଇଛି। ଏବେ ବି ଆଉ ଜଣେ ଆତଙ୍କୀ ଫେରାର ଥିବାରୁ ତା’କୁ ଧରିବା ପାଇଁ ଉଦ୍ୟମ କରାଯାଉଛି।
ଅନ୍ୟପକ୍ଷରେ ଗତକାଲି ସନ୍ଧିଗ୍ଧ ଆତଙ୍କବାଦୀମାନେ ଗୁଜ୍ଜାର ସଂପ୍ରଦାୟର ଦୁଇ ଜଣ ଲୋକଙ୍କୁ ପୁଲୱାମା ଠାରୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ ଆତଙ୍କବାଦୀମାନେ ଜଣଙ୍କୁ ହତ୍ୟା କରିଛନ୍ତି।
from Odisha Reporter https://ift.tt/2MEodwA
No comments:
Post a Comment