କଣ୍ଟାବାଞ୍ଜି(ସୁରଦାସ ବାଗ):ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ବସ୍ତା ବସ୍ତା ନକଲି ସାମ୍ପୋ ଓ ଫେସ୍ ଓ୍ୱାସ୍ ଜବତ କରାଯାଇଛି। ଗତକାଲି ରାତିରେ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଟ୍ କମ୍ପାନୀର ଏକ ସ୍ୱତନ୍ତ୍ର ଦଳ ସହ କଣ୍ଟାବାଞ୍ଜି ପୁଲିସ୍ ସହରରେ ଥିବା ପାୟଲ ଫେନ୍ସିଷ୍ଟୋର, ମହାବୀର ଜେନେରାଲ ଷ୍ଟୋର, ହରିଭବନ ପାଖରେ ଥିବା ଉମା ଜେନେରାଲ ଷ୍ଟୋର ଉପରେ ଚଢ଼ାଉ କରିଥିଲେ।
ଚଢଉ ସମୟରେ ବସ୍ତା ବସ୍ତା ନକଲି କ୍ଲିନିକ ପ୍ଲସ୍ ସାମ୍ଫୁ ସହ ଅନ୍ୟ ସାମଗ୍ରୀ ମିଲିଥିଲା। ତେବେ କେତେ ପରିମାଣର ନକଲି ସାମଗ୍ରୀ ବାହାରିଲା ବର୍ତ୍ତମାନସୁଦ୍ଧା ଜଣା ପଡି ନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଜାରି ରହିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣ ବ୍ୟବସାୟୀଙ୍କୁ ଅଟକ ରଖିଛି।
କଣ୍ଟାବାଞ୍ଜି ସହରରେ ଅନେକ ଦିନରୁ ନକଲି ସାମଗ୍ରୀ ମିଳୁଥିବା ନେଇ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଟ୍ କମ୍ପାନୀ ପାଖରେ ଅଭିଯୋଗ ହୋଇଥିଲା। ଏହାପରେ କମ୍ପାନୀର କର୍ମଚାରୀ ନିଜେ ଗ୍ରାହକ ସାଜି ଦୋକାନରୁ ସାମଗ୍ରୀ କିଣି ଥିଲେ। ଏହି ସାମଗ୍ରୀ ନକଲି ବାହାରିଥିବା ଜାଣିବା ପରେ ସେହି ଦୋକାନ ଗୁଡ଼ିକରେ ପୁଲିସ୍ ସହାୟତାରେ ଚଢ଼ଉ କରାଯାଇଥିଲା ।
୨୦୦୮ ମସିହାରେ କଣ୍ଟାବାଞ୍ଜି ସହରରେ ନକଲି ଔଷଧ ବାହାରିଥିଲା। ଏହାପରେ କଣ୍ଟାବାଞ୍ଜି ସହରରେ ଏକ ଦଙ୍ଗା ପରିସ୍ଥିତି ଦେଖାଯାଇଥିଲା। ପ୍ରାୟ ଦୁଇ ରୁ ୩ ଦିନ ସହରରେ ୧୪୪ ଧାରା ଲାଗିଥିଲା। ନକଲି ମେଡିସିନ ବିକ୍ରି କରୁଥିବା ଦୋକାନୀଙ୍କ ଦୋକାନ ଏବଂ ଘର ଉପରକୁ ଲୋକେ ଟେକା ମାଡ କରିବା ସହ ଦୋକାନ ଭଙ୍ଗା ରୁଜା କରିଥିଲେ। ନକଲି ମେଡିସିନ ଖାଇ ରୋଗୀମାନେ ମୃତ୍ୟୁମୁଖରେ ପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।
ଏବେ ପୁଣି ନକଲି ସାମଗ୍ରୀ କଣ୍ଟାବାଞ୍ଜିରେ ବିକ୍ରି ହେଉଥିବାରୁ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କମ୍ପାନୀ ପକ୍ଷରୁ ଘଟଣା ସମ୍ପର୍କରେ ଥାନାରେ ମାମଲା ଦାୟର କରାଯିବ ବୋଲି ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଟ କମ୍ପାନୀର ଲିଗାଲ ଆଟର୍ଣ୍ଣି ନୟନ ତାରା ସୂଚନା ଦେଇଛନ୍ତି ।
from Odisha Reporter https://ift.tt/2ZWV2vT
No comments:
Post a Comment