ପୁରୀ (ମଧୁସୂଦନ ମିଶ୍ର): ସମସ୍ତଙ୍କ ସହମତିରେ ଉଚ୍ଛେଦ ହେଉଛି। ଏହାଦ୍ୱାରା ସ୍ଥାନୀୟ ବାସିନ୍ଦା, ସେବାୟତ ସମସ୍ତଙ୍କର ମଙ୍ଗଳ ହେବ। ସରକାରଙ୍କ ନିଷ୍ପତ୍ତି ଠିକ୍, ରୋକାଯିବା ଅନୁଚିତ। ଏପରି ସୁନ୍ଦର ପରିକଳ୍ପନା ବାସ୍ତବ ରୂପ ନେଲେ ଶ୍ରୀକ୍ଷେତ୍ରକୁ ଆହୁରି ଅଧିକ ସଂଖ୍ୟକ ଭକ୍ତଙ୍କର ଆଗମନ ହେବ। ଗଣମାଧ୍ୟମକୁ ଏପରି ମନ୍ତବ୍ୟ ଦେଇଛନ୍ତି ପୁରୀ ଆସିଥିବା ଆମିକସ୍ କ୍ୟୁରି ରଞ୍ଜିତ କୁମାର। ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ଉଚ୍ଛେଦ ଅଭିଯାନ ପ୍ରସଙ୍ଗରେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ କ୍ଲିନଚିଟ୍ ଦେଇଛନ୍ତି ଆମିକସ୍ କ୍ୟୁରି।
ଏ ସମ୍ପର୍କରେ ଗଜପତିଙ୍କ ସହ ଆଲୋଚନା ଓ ଶ୍ରୀମନ୍ଦିର ପ୍ରଶାସନ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସରକାରଙ୍କ ଉଚ୍ଛେଦ ନିଷ୍ପତ୍ତିକୁ ସଠିକ୍ ବୋଲି କହିଛନ୍ତି ଆମିକସ୍ କ୍ୟୁରି। ସେ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶରେ ଏଠାକୁ ଆସିଛୁ। ମ୍ୟାନେଜିଂ କମିଟି ସହ ଆଲୋଚନା କଲୁ, ନିଜେ ଜାଗା ବୁଲି ଦେଖିଲୁ। ଯାହା ହେଉଛି, ସବୁକିଛି ଠିକ୍ ଭାବେ ଚାଲିଛି।
ଆସନ୍ତା ବର୍ଷ ପ୍ରଭୁଙ୍କ ନାଗାର୍ଜୁନ ବେଶ। ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏଥିନିମନ୍ତେ ଉତ୍ତମ ବ୍ୟବସ୍ଥା ହେବା ଉଚିତ। ସମସ୍ତଙ୍କ ସହ ଆଲୋଚନା ପରେ ଉଚ୍ଛେଦ ପ୍ରକ୍ରିୟା ଆଗେଇ ଚାଲିଛି। କାହାକୁ ଜୋରଜବରଦସ୍ତ ଉଚ୍ଛେଦ କରାଯାଉନି। ତେଣୁ ଉଚ୍ଛେଦ ଅଭିଯାନ ରୋକାଯିବା ଉଚିତ୍ ନୁହେଁ ଏବଂ ଏଥିରେ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପୂର୍ବରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ ଆଲୋଚନା କରିଥିଲେ ଆମିକସ୍ କ୍ୟୁରି।
from Odisha Reporter https://ift.tt/313pdho
No comments:
Post a Comment