ନୂଆଦିଲ୍ଲୀ: ପୂର୍ଣ୍ଣ ଜନମତ ସହ ଦ୍ୱିତୀୟ ଥର କ୍ଷମତା ଦଖଲ କରିଥିବା ନରେନ୍ଦ୍ର ମୋଦି ସରକାର ଆଜି ୧୦୦ ଦିନ ପୂରଣ କରିଛନ୍ତି। ଦ୍ୱିତୀୟ ପାଳର ୧୦୦ ଦିନ ମଧ୍ୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ମୋଦି ସରକାର ସମସ୍ତଙ୍କୁ ଆଚମ୍ବିତ କରିଛନ୍ତି। ଏହି ୧୦୦ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ବ୍ୟାଙ୍କ ମିଶ୍ରଣ ମୋଦି-୨ ସରକାରଙ୍କ ବଡ଼ ଉପଲବ୍ଧି।
ସେହିପରି ଦେଶର ଅର୍ଥନୀତି ରସାତଳକୁ ଖସିବା ପ୍ରସଙ୍ଗ ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇଛି। ତେବେ ମୋଦି ୨ ସରକାର ନେଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଆସନ୍ତୁ ଜାଣିବା
୧: ଧାରା ୩୭୦ ଉଚ୍ଛେଦ: ଅଗଷ୍ଟ ପ୍ରଥମ ସପ୍ତାହରୁ କିଛି ନାଟକୀୟ ଘଟଣାକ୍ରମରେ ମୋଦି-୨ ସରକାର ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ଜମ୍ମୁ-କଶ୍ମୀରରେ କଟକଣା ଜାରି କରି ସରକାର ୩୭୦ ଓ ୩୫-ଏକୁ ଉଚ୍ଛେଦ କରିଛନ୍ତି। ଅଗଷ୍ଟ ୫ରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିଲେ ହେଁ ଆଜି ଯାଲ କଶ୍ମୀର ସ୍ଥିତି ସ୍ୱାଭାବିକ ହୋଇପାରିନାହିଁ।
୨: ଆତଙ୍କବାଦ ନିରୋଧୀ ଆଇନ: ମୋଦି-୧ ସରକାର ଭଳି ମୋଦି-୨ ସରକାର ମଧ୍ୟ ଆତଙ୍କବାଦ ପ୍ରତି ନିଜର ଜିରୋ ଟଲରାନ୍ସ ନୀତିକୁ ଜାରି ରଖିଛନ୍ତି। ଏଥିପାଇଁ ସରକାର ୟୁଏପିଏ ଆଇନ୍ ପ୍ରଣୟନ କରିଛନ୍ତି। ପୂର୍ବରୁ କେବଳ ସଂଗଠନକୁ ଆତଙ୍କୀ ଘୋଷଣା କରିପାରୁ ଥିବା ଭାରତ ସରକାର ଏବେ ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷିତ କରିପାରୁଛନ୍ତି। ଏଥିସହ ସେମାନଙ୍କ ସମ୍ପତ୍ତି ମଧ୍ୟ ଜବତ କରିବାର ଅଧିକାର ପାଇଛନ୍ତି।
୩: ଟ୍ରିପଲ ତଲାକ: ମୋଦି-୨ ସରକାରଙ୍କୁ ଟ୍ରିପଲ ତଲାକ ବିରୋଧୀ ଆଇନ୍ରେ ବଡ଼ ସଫଳତା ମିଳିଛି। ମୋଦି-୧ ସରକାର କ୍ଷମତାକୁ ଆସିବା ଦିନଠାରୁ ମୁସଲିମ ଧର୍ମରେ ପ୍ରଚଳିତ ଇନ୍ଷ୍ଟାଣ୍ଟ ଟ୍ରିପଲ ତଲାକକୁ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ରାଜ୍ୟସଭାରା ସଂଖ୍ୟା ଗରିଷ୍ଠତା ନଥିବାରୁ ଏହା ଆଇନ୍ରେ ପରିଣତ ହୋଇପାରି ନଥିଲା। ହେଲେ ମୋଦି-୨ ସରକାର ଏକାଧିକ ଆଞ୍ଚଳିକ ଦଳର ସହଯୋଗରେ ଏଥର ଟ୍ରିପଲ ତଲାକକୁ ଅପରାଧିକ ଶ୍ରେଶୀରେ ଅନ୍ତର୍ଭୁକ୍ତ କରିବାକୁ ସକ୍ଷମ ହୋଇଛନ୍ତି।
୪: ୭ ରାଷ୍ଟ୍ର ଗସ୍ତ: ଏହି ୧୦୦ ଦିନର କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ୭ଟି ରାଷ୍ଟ୍ର ଗସ୍ତ କରିଛନ୍ତି। କୂଟନୀତିକ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବାକୁ ଏକାଧିକ ରାଷ୍ଟ୍ରମୁଖ୍ୟଙ୍କ ସହ ମୋଦି ଆଲୋଚନା ମଧ୍ୟ କରିଛନ୍ତି। ପଡ଼ୋଶୀ ପ୍ରଥମ ନୀତିକୁ ଗୁରୁତ୍ୱ ଦେଉଥିବା ପ୍ରଧାମନ୍ତ୍ରୀ ମୋଦି ଏହି ୧୦୦ ଦିନର କାର୍ଯ୍ୟକାଳ ମଧ୍ୟରେ ମାଳଦ୍ୱୀପ, ଶ୍ରୀଲଙ୍କା, ଭୂଟାନ, ୟୁଏଇ, ବାହାରିନ, ଫ୍ରାନ୍ସ ଓ ରୁଷ ଗସ୍ତ କରିଛନ୍ତି। ଏଠାରେ ସଂପୃକ୍ତ ରାଷ୍ଟ୍ରମୁଖ୍ୟମାନଙ୍କ ସହ ମୋଦି ସକାରାତ୍ମକ ଆଲୋଚନା କରିଛନ୍ତି।
୫: ବ୍ୟାଙ୍କ ଗୁଡ଼ିକର ମିଶ୍ରଣ: ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ମୋଦି-୨ ସରକାର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ କରି ଏହାକୁ ୪ଟି ବଡ଼ ବ୍ୟାଙ୍କରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟାଙ୍କ ଗୁଡ଼ିକ ଏନ୍ପିଏ ବଢ଼ୁଥିବାରୁ ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।
from Odisha Reporter https://ift.tt/2UuSHCc
No comments:
Post a Comment