ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ପଣପଣାଠାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଭୁଜାଲିରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଗୁରୁତର ଯୁବକଙ୍କ ନାଁ ଦିଲୀପ ଦାସ। ତାଙ୍କ ଘର ଜୟପୁର ଗାଁରେ। ଗୁରୁତର ଅବସ୍ଥାରେ ଦିଲୀପଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱରର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ,ଦିଲୀପ ଫାଲ୍କନ୍ ଚିଙ୍ଗୁଡି କମ୍ପାନୀରେ ଠିକାଦାର ଭାବେ କାର୍ଯ୍ୟ କରନ୍ତି। ଆଉ ତାଙ୍କ ଶ୍ରମିକମାନେ ପଣାପଣାଠାରେ ଏକ ଭଡ଼ା ଘରେ ରୁହନ୍ତି। ଗତକାଲି ବିଳମ୍ୱିତ ରାତିରେ ଦିଲୀପ ସେଠାକୁ ଯାଇ ଶ୍ରମିକଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ବାହାରେ ଛିଡ଼ା ହୋଇ ଡାକିବାରୁ ସେ ବାହାରକୁ ବାହାରି ଆସିଥିଲେ।
ଏହାପରେ ଅନ୍ଧାରର ସୁଯୋଗ ନେଇ ଦିଲୀପଙ୍କୁ ସେମାନେ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ଫେରାର ହୋଇଯାଇଥିଲେ । ଦିଲୀପ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ତାଙ୍କ ଶ୍ରମିକମାନେ ଉଦ୍ଧାର କରି ତାଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦିଲୀପଙ୍କ ଗୋଡ଼ , ହାତ ଓ ପେଟରେ ଗଭୀର କ୍ଷତ ଚିହ୍ନ ରହିଛି।
ଏନେଇ ଖନ୍ତାପଡ଼ା ଥାନାରେ ଦିଲୀପ ଲିଖିତ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2lXXVd7
No comments:
Post a Comment