ନୂଆଦିଲ୍ଲୀ: ପିଡିପି ମୁଖ୍ୟ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜାଙ୍କୁ ଚେନ୍ନାଇରୁ କଶ୍ମୀର ଯିବାକୁ ଆଜି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। କଶ୍ମୀର ଯାଇ ଇଲତିଜା ତାଙ୍କ ମାଆଙ୍କୁ ଭେଟିପାରିବେ। ଏଥିସହ ଶ୍ରୀନଗରର ଅନ୍ୟ କୌଣସି ସ୍ଥାନକୁ ଯିବା ପାଇଁ ଚାହିଁଲେ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇ ଯାଇ ପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟାକୁ ଆଜି ମାସେ ପୂରଣ ହୋଇଛି। ସୁରକ୍ଷା ବ୍ୟବସ୍ଥା ଧୀରେ ଧୀରେ କୋହଳ କରାଯାଉଛି, କଶ୍ମୀର ସ୍ୱାଭାବିକ୍ ସ୍ଥିତିକୁ ଫେରୁଛି ବୋଲି ପ୍ରଶାସନ କହୁଛି। ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ପ୍ରଶାସନ ସମସ୍ତ ରାଜ୍ୟ ବାହାର ଲୋକଙ୍କୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଧାରା ୩୭୦ ଉଚ୍ଛେଦ ହେବା ପରେ କଶ୍ମୀର ବାହାରେ ରହୁଥିବା ବ୍ୟକ୍ତି ଜମ୍ମୁ କଶ୍ମୀର ଆସିବା ଉପରେ କଟକଣା ଲଗାଯାଇଥିଲା।
ଗୃହବନ୍ଦୀ ଥିବା ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ପରିବାର ଲୋକଙ୍କ ସହ ମିଶିବା ପାଇଁ ପ୍ରଶାସନ ଅନୁମତି ଦେଉଛି। ଗତ ସପ୍ତାହରେ ମେହବୁବା ମୁଫତିଙ୍କୁ ତାଙ୍କ ମାଆ ଓ ଭଉଣୀ ଭେଟିଥିଲେ। ଜମ୍ମୁ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ଚେସମାଶାହିରେ ଏବେ ମେହବୁବା ମୁଫତି ଅଟକ ରହିଛନ୍ତି।
from Odisha Reporter https://ift.tt/2MWpVJL
No comments:
Post a Comment