ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଅର୍ଥାଭାବରୁ ଭିଟାମାଟିକୁ ଫେରି ପାରିଲାନି ଦାଦନ ଶ୍ରମିକଙ୍କ ମୃତଦେହ। ପ୍ରଶାସନକୁ ନେହୁରା ପରେ ବି ମିଳିଲାନି ସୁଫଳ । ପୁଅର ମୃତଦେହ ଆଣିବାକୁ ଆବଶ୍ୟକ ୬୦ ହଜାର ଟଙ୍କା ପରିବାର ଲୋକେ ଯୋଗାଡ କରି ପାରି ନଥିଲେ। ଫଳରେ ଘରଠୁ ଦୂରରେ ହେଲା ଶବ ସତ୍କାର। ଏଣେ ରୋଜଗାରିଆ ପୁଅର ମଲା ମୁହଁକୁ ଦେଖି ନପାରି ବାହୁନି ବାହୁନି କାନ୍ଦୁଛନ୍ତି ପରିବାର ଲୋକ।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଝାରକୁମୁଣ୍ଡା ଗାଁର ପୁରୁଷୋତ୍ତମ ଲୁହାଙ୍କ ମଝିଆ ପୁଅ ସନତ ୨ ବର୍ଷ ହେବ କୋଏମ୍ବାଟୁରରେ କାମ କରୁଥିଲେ। ଗତ ଶନିବାର ସେ ସେଠାରେ ପ୍ରାଣ ହରାଇଥିଲେ। ଏନେଇ ପରିବାର ଲୋକେ ଖବର ପାଇବା ପରେ ପୁଅର ମୃତଦେହ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ଦ୍ୱାରସ୍ତ ହୋଇଥିଲେ। ମାତ୍ର କେବଳ ଚିଠି ଖଣ୍ଡିଏ ଲେଖି ପ୍ରଶାସନ ଚୁପ ରହିଗଲା।
ପୁରୁଷୋତ୍ତମଙ୍କର ଦୁଇ ଝିଅ ଏବଂ ତିନି ପୁଅ। ବଡ ଓ ମଝିଆ ପୁଅ ଦୁଇବର୍ଷ ହେଲା କୋଏମ୍ବାଟୁରରେ ରହି ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ପୁରୁଷୋତ୍ତମ ଜଣେ ରୋଗଗ୍ରସ୍ତ ବ୍ୟକ୍ତି । ଏପରି ସ୍ଥିତିରେ ମଝିଆ ପୁଅ ସନତଙ୍କ ମୃତ୍ୟୁ ପରେ ପୂରା ପରିବାର ଏବେ ଭାଙ୍ଗି ପଡିଛି। ଏଣୁ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।
ଏନେଇ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ୱର ଖାଖା କହିଛନ୍ତି,“ଆମ ପାଖକୁ ଗତ ୧୪ ତାରିଖରେ ଅଭିଯୋଗ ଆସିଲା ଯେ ଝାରକୁମୁଣ୍ଡା ଗାଁର ସନତ କୁମାର ଲୁହା ନାମକ ଶ୍ରମିକଙ୍କର କୋଏମ୍ବାଟୁରରେ ମୃତ୍ୟୁ ଘଟିଛି। ଆମେ ଅଭିଯୋଗ ପାଇବା ପରେ ସଙ୍ଗେ ସଙ୍ଗେ ତଦନ୍ତ କରି ଜିଲ୍ଲା ପ୍ରଶାସନ ମାଧ୍ୟମରେ ସେଠାକାର ଜିଲ୍ଲା ପ୍ରଶାସନ ଓ ପୁଲିସ୍କୁ ଯୋଗାଯୋଗ କରିଥିଲୁ। ମୃତଦେହ ଭିଟାମାଟିକୁ ଫେରି ଆସିବ ବୋଲି ଆମେ ଆଶା କରିଥିଲୁ। ସେଠାରେ ମୃତ ସନତର ବଡ଼ ଭାଇ ଥିବାରୁ ପରିସ୍ଥିତି ଦେଖି ସେଠାକାର ପ୍ରଶାସନ ଶବ ସତ୍କାର କରାଇ ଦେଇଛନ୍ତି। ଏନେଇ ମୃତକଙ୍କ ବଡ଼ ଭାଇ ଆମକୁ ଫୋନ୍ ଯୋଗେ ଜଣାଇଛନ୍ତି। ମୃତକଙ୍କ ବଡ଼ ଭାଇ ସେଠାରୁ ଫେରିବା ପରେ ତାଙ୍କ ପରିବାରର କେତେ ଜଣ ଶ୍ରମିକ ଅଛନ୍ତି ସେ ନେଇ ଅନୁସନ୍ଧାନ କରାଯିବ। ଏହାପରେ ଶ୍ରମ ବିଭାଗ ପକ୍ଷରୁ କ’ଣ ସାହାଯ୍ୟ ସହଯୋଗ କରାଯାଇ ପାରିବ ସେହି ଅନୁସାରେ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ।”
from Odisha Reporter https://ift.tt/30pQrh8
No comments:
Post a Comment