କେବେ ଚେତିବ ପ୍ରଶାସନ; ବିପଦସଙ୍କୁଳ ଅବସ୍ଥାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

କେବେ ଚେତିବ ପ୍ରଶାସନ; ବିପଦସଙ୍କୁଳ ଅବସ୍ଥାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ଖୋର୍ଦ୍ଧା(ବଳରାମ ଲେଙ୍କା): ସ୍କୁଲ ପରିସର ଭଗ୍ନ ସ୍ତୁପରେ ପରିଣତ ହୋଇଛି।  ଅନେକ ଶ୍ରେଣୀଗୃହର ସିମେଣ୍ଟ ଚଦର ଉଡ଼ିଯାଇଛି। ଆଉ ଯାହା କିଛି ଅଛି ଭଗ୍ନ ଅବସ୍ଥାରେ, କେତେବେଳେ ଯେ ତଳକୁ ଖସିବ କହିହେବନି। ଏହି ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ସହର ଉପକଣ୍ଠରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରତୁଆରେ। ଗତ ‘ଫୋନି’ ବାତ୍ୟାରେ ଏହି ସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ବାତ୍ୟା  ‘ଫୋନି’କୁ ୬ମାସ ବିତିଥିଲେ ମଧ୍ୟ ସ୍କୁଲ ପରିସରରେ ଥିବା ଶ୍ରେଣୀଗୃହର ମରାମତି କରାଯାଇନାହିଁ। ଶ୍ରେଣୀ ଗୃହ ଭିତରେ ଭଙ୍ଗା ଆଜବେଷ୍ଟସ୍ ଗୁଡ଼ିକ ଝୁଲି ରହିଛି। ଏଥିସହ ବିପଦସଙ୍କୁଳ କୋଠରୀ ନିକଟରେ ବୁଲୁଛନ୍ତି ଛୋଟ ଛୋଟ ପିଲା। ଆଉ କେତେବେଳେ ବି କିଛି ଦୁର୍ଘଟଣାର ସମ୍ଭାବନା ଥିବା ସତ୍ତ୍ୱେ ସ୍କୁଲ କର୍ତ୍ତୃପକ୍ଷ ବେପରୁଆ ହୋଇ ରହିଛନ୍ତି। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ନ୍ତି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦ରୁ ଅଧିକ ହେବ। ହେଲେ ଏବେ ଛାତ ଥିବା ତିନୋଟି ଶ୍ରେଣୀ ଗୃହରେ ଚାଲିଛି ପାଠ ପଢ଼ା।

ଏନେଇ ଛାତ୍ରୀ ନର୍ଗିସ ଅଫ୍ରୁର କହିଛନ୍ତି,“ ଆମ ସ୍କୁଲ ପୂର୍ବରୁ  ଭଲ ଥିଲା। ଫୋନି ବାତ୍ୟା ପରେ ସ୍କୁଲ ଭାଙ୍ଗି ଯାଇଛି। ଆଜବେଷ୍ଟସ୍ ଗୁଡ଼ିକ ଓହଳିକି ରହିଛି। ଆମେ ଚାହୁଁଛୁ ଭଙ୍ଗା ହୋଇ ଥିବା ଆଜବେଷ୍ଟସକୁ ବାହାର କରି ନୂଆ ଲଗାଯାଉ।”

ତରତୁଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ୱରୀ ରାଓ କହିଛନ୍ତି,“ ସ୍କୁଲ ମରାମତି ପାଇଁ ପଞ୍ଚାୟତକୁ ଟଙ୍କା ଆସିଛି ବୋଲି ଆମେ ଶୁଣିଛୁ। ସ୍କୁଲ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ଆମେ ପିଲାମାନଙ୍କୁ ଜଗୁଛୁ। ସ୍କୁଲ ସମ୍ପର୍କରେ ଡିପିସି ପକ୍ଷରୁ ପଞ୍ଚାୟତକୁ ଲେଖିକି ଦିଆଯାଇଛି।”

କେବଳ ତରତୁଆ ପ୍ରାଥମିକ ବିଦ୍ୟାଳୟ ନୁହେଁ ଏହି ଜିଲ୍ଲାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାଗଳିପାଟଣାର ଶ୍ରେଣୀଗୃହର ମଧ୍ୟ ସମାନ ଅବସ୍ଥା। ଏଠି ମଧ୍ୟ ‘ଫୋନି’ର ପ୍ରଭାବରେ ସ୍କୁଲ ଶ୍ରେଣୀ ଗୃହ ଭାଙ୍ଗିରୁଜି ଯାଇଛି।  ଶ୍ରେଣୀ ଗୃହରେ ଭଙ୍ଗା ଆଜବେଷ୍ଟ ସାଙ୍ଗକୁ ଉଇ  ଲାଗିଥିବା ବଡ଼ ବଡ଼ କାଠ ଝୁଲି ରହିଛି। ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ  ଚିନ୍ତିତ ଥିବା ଭଳି ମନେ ହେଉ ନଥିବା ବେଳେ ଅଭିଭାବକମାନେ କିନ୍ତୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ରହିଛି। ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୧୦ ହେବେ। ହେଲେ ଛାତ ଥିବା ୪ଟି  ଶ୍ରେଣୀ ଗୃହରେ ଚାଲିଛି  ପାଠପଢ଼ା।

ଜାଗୁଳେଇପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସାହୁ,“ ଆମ ସ୍କୁଲରେ ଏବେ ପିଲା ସଂଖ୍ୟା କମ୍ ଅଛନ୍ତି। ଯେଉଁଠି ପିଲା ସଂଖ୍ୟା ଅଧିକ ଅଛି ସେହି ସ୍କଲର ମରାମତି ଆଗ ହେଉଛି। ସ୍କୁଲର ଅବସ୍ଥାକୁ ଦେଖି ପିଲାଙ୍କୁ ଠିକ୍ ଭାବେ ଜଗା ରଖା କରୁଛୁ।”

ଅଭିଭାବକ ରାମଚନ୍ଦ୍ର ପ୍ରଧାନ, କହିଛନ୍ତି,“ସ୍କୁଲର ଆଜବେଷ୍ଟସ୍‌ ଫାଟି ଓହଳିକି ରହିଛି। କାନ୍ଥ ମଧ୍ୟ ଭୁଶୁଡ଼ିକି ରହିଛି। କୋଉ ମୁହୁର୍ତ୍ତରେ ଏହା ଖସି ପଡ଼ିବ।”

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବୃନ୍ଦାବନ ଶତପଥୀ କହିଛନ୍ତି,“ଫୋନିର ପ୍ରଭାବରେ ସ୍କୁଲଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ସେତେବେଳେ ଯୁଦ୍ଧକାଳୀନ ଭିତ୍ତିରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ତା’ପରେ ବି ଅନ୍ୟ କୌଣସି ସ୍କୁଲର ମରାମତି ହୋଇ ପାରି ନାହିଁ । ଏବାବଦରେ ଆମେ ବାରମ୍ୱାର ପ୍ରଧାନଶିକ୍ଷକମାନଙ୍କୁ ସଚେତନ କରାଇଥିଲୁ। ତଥାପି କୌଣସି ସ୍କୁଲ୍‌ରେ ଅବ୍ୟବସ୍ଥା ରହିଥାଏ ତୁରନ୍ତ ତାକୁ ସମାଧାନ କରିବାକୁ ଚେଷ୍ଟା କରୁଛୁ।”



from Odisha Reporter https://ift.tt/31Ajfnw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages