ଟ୍ରାଫିକ୍ ବେଳକୁ ଷଣ୍ଡ, ପଲିଥିନ୍ ପାଇଁ ଜାକିଲେ ଲାଙ୍ଗୁଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ଟ୍ରାଫିକ୍ ବେଳକୁ ଷଣ୍ଡ, ପଲିଥିନ୍ ପାଇଁ ଜାକିଲେ ଲାଙ୍ଗୁଡ଼

  • ଶୁଭ୍ରାଂଶୁ ଶେଖର ଜେନା

ନିକଟରେ ରାଜ୍ୟ ସରକାର କିଛି ପଦକ୍ଷେପ ନେଇଛନ୍ତି । ଯାହାକି ଆମ ସମାଜର ଭବିଷ୍ୟତକୁ ଆଖି ଆଗରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଇଛନ୍ତି । ସରକାରଙ୍କ ଏହି ସବୁ ପଦକ୍ଷେପକୁ ଦେଖିଲେ ଲାଗୁଥିଲା ସରକାରଙ୍କ ନୀତି, ପ୍ରଶାସନ ଆଉ ଖାମିଖିଆଲି ହୋଇନାହିଁ । ହେଲେ ସରକାର ନିୟମ ଲାଗୁ କରିବାକୁ ନେଇ ଯେଉଁ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଥିଲା କିଛି ଦିନ ପରେ ପ୍ରଶାସନର ସେ ଧାର ଆଉ ଦେଖିବାକୁ ମିଳିନାହିଁ । ଯାହାକୁ ନେଇ ପ୍ରଶାସନର ପୁରୁଣା ରୋଗ ବାହାରିଛି ବୋଲି କହିପାରିବା ।

ନିକଟରେ କେନ୍ଦ୍ର ସରକାରଙ୍କ ଟ୍ରାଫିକ ନିୟମକୁ ରାଜ୍ୟ ସରକାର ରାଜ୍ୟରେ କଡ଼ାକଡ଼ି କଲେ । ଆଇନ ବ୍ୟବସ୍ଥା କଡ଼ାକଡ଼ି ହେବା ପରେ ସାବାଡ୍ ହୋଇଗଲେ ବେଆଇନ ଗାଡ଼ି ଚାଳକ । ଛକ ଛକରେ ଟ୍ରାଫିକ ପୁଲିସର ପଇଁତରା ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଥିଲା । କାରଣ ଯେଉଁମାନେ ଟ୍ରାଫିକ ଆଇନକୁ ଉଲ୍ଲଂଘନ କରୁଥିଲେ ସେମାନଙ୍କୁ ଗଣିବାକୁ ପଡ଼ିଥିଲା ମୋଟା ଅଙ୍କର ତଣ୍ଡ । ଯାହାର ପରିମାଣ ମାସିକ ଦରମାଠୁ ବି କମ୍ ନୁହଁ କହିଲେ ଅତ୍ୟୁକ୍ତ ହେବନି । ଯେତେବେଳେ କମ୍ ଟଙ୍କା ଜୋରିମାନା ଥିଲା ସେତେବେଳେ ଏମିତି କିନ୍ତୁ ଧରପଗଡ କରୁନଥିଲା ପ୍ରଶାସନ । ହେଲେ କେନ୍ଦ୍ର ଯେତେବେଳେ ଜୋରିମାନା ପରିମାଣ ସର୍ବନିମ୍ନ ୫୦୦ ଟଙ୍କା କରିଦେଲା ସେତେବେଳେ ପ୍ରଶାସନ କଡ଼ାକଡ଼ି କରିଦେଲା ଆଇନ୍ । ଯାହାକି ଭଲ କଥା । ବେଆଇନ ଗାଡ଼ି ଚାଳକ ଯଦି ସିଗନଲା ପାରି ହେଉଥିଲେ ତାହାଲେ ସେମାନେ ଭାରତ ସୀମାରେଖା ଡେଇଁ ଗଲା ପରି ଲାଗୁଥିଲା । କାରଣ ଟ୍ରାଫିକ ପୁଲିସର ବ୍ୟବହାର ହିଁ ଥିଲା ସେହିପରି । ଯାହାର ଶିକାର ହୋଇଛନ୍ତି ଅନେକ ସାଧାରଣ ଲୋକେ ।

ପୂର୍ବରୁ ଅନେକ ଆଇନ କଡ଼ାକଡ଼ି ହୋଇଛି ହେଲେ ଦିନେ ଦୁଇ ଦିନ ପରେ ଯେକଥାକୁ ସେକଥା । ତେଣୁ ସମସ୍ତେ ଭାବୁଥିଲେ ଟ୍ରାଫିକ ଆଇନ ମଧ୍ୟ ସେହି ଭଳି ହେବ । ଆଉ ସମାନ କଥା ମଧ୍ୟ ହେଲା । ଲୋକେ ଏବେ ଗୋଟିଏ ଗାଡ଼ିରେ ତିନି ଜଣ ଯାଉଛନ୍ତି, ବିନା ହେଲମେଟରେ ମଧ୍ୟ ଗାଡ଼ି ଚଳାଉଛନ୍ତି । ରାଜ୍ୟ ସରକାର ବୀମା ଏବଂ ପ୍ରଦୂଷଣ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ କହି ଡିସେମ୍ୱର ପର୍ଯ୍ୟନ୍ତ ସମୟ ଦେଲେ । ହେଲେ ଡ୍ରାଇଭିଂ ଲାଇସେନ୍ସ ଏବଂ ବେପରୁଆ ଗାଡ଼ି ଚାଳକଙ୍କ କ୍ଷେତ୍ରରେ କୌଣସି ନିୟମ କୋହଳ କରିବାକୁ କହି ନାହାନ୍ତି । ହେଲେ ଏବେ ପ୍ରଶାସନ ଏ ବାବଦରେ ଚେକିଂ ନକରି ବସି ପଡ଼ିବା କଣ ଇଙ୍ଗିତ କରୁଛି? ପ୍ରଦୂଷଣ ପ୍ରମାଣପତ୍ରରେ ଗାଡ଼ି ଚାଳକଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଥିଲା ସେହିପରି ବିମା ନଥାଇ ଗାଡ଼ି ଚଳାଉଥିଲେ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ନିୟମ ଥିଲା । ଯାହାକି ସର୍ବାଧିକ ଜୋରିମାନା ବୋଲି କହିପାରିବା । କାରଣ ଅନ୍ୟ ଯେଉଁ ଜୋରିମାନା ୫ ହଜାର ରହିଛି ଗାଡ଼ିର ରେଜିଷ୍ଟ୍ରେସନ ନଥିଲେ । ହେଲେ ଏହା ଅଧିକାଂଶ ଲୋକଙ୍କ ପାଖରେ ରହିଥାଏ । ଏଥିରୁ ସ୍ପଷ୍ଟ ହୋଇଛି ଯେଉଁ ଭୁଲ ପାଇଁ ଜୋରିମାନା ମୋଟା ଅଙ୍କର ଆଦାୟ ହୋଇପାରୁଥିଲା ସେହି ନିୟମ ଉପରେ ସରକାର କୋହଳ କରିବା ପରେ ପ୍ରଶାସନ ଆଉ ଚେକିଂ କରିବାକୁ ଇଚ୍ଛା ପ୍ରକାଶ କରୁନି । ଲୋକ ସଚେତନ ହେବାକୁ ଆସୁଥିବାବେଳେ ପ୍ରଶାସନ ହୁଗୁଳି ଯିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପ୍ରଶାସନର ହୁଗୁଳା ନୀତି ଦେଖି ଲୋକମାନେ ଏବେ ପୂର୍ବ ଅବସ୍ଥାକୁ ଫେରିଥିବା ଦେଖିବାକୁ ମିଳିଛି । ଏ ତ ଥିଲା ସେପ୍ଟେମ୍ୱର ମାସର କଥା ।

ଅକ୍ଟୋବର ୨ ଦେଶ ଗାନ୍ଧି ଜୟନ୍ତୀ ପାଳନ କରିଛି । ବାପୁଙ୍କ ଜୟନ୍ତୀ ଅବସରରେ ସାରା ଦେଶରେ ପଲିଥିନ ବ୍ୟବହାର ଉପରେ ବ୍ୟାନ ଲଗାଇଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଯାହାକି ଆମ ପରିବେଶ ଓ ଭବିଷ୍ୟତ ପାଇଁ ବହୁତ ଭଲ ପଦକ୍ଷେପ । କାରଣ ଏବେ ଯେଉଁଠି ଆମେ ଛିଡ଼ା ହୋଇଛେ ସେହି ସ୍ଥାନର ମାଟି ଖୋଳିବା ତାହେଲେ ପଲିଥିନ ବାହାରିବା ସ୍ପଷ୍ଟ । ତେଣୁ ଦେଶକୁ ପରିବେଶ ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ସରକାରଙ୍କ ଏହି ପଦକ୍ଷେପ ବାସ୍ତବରେ ପ୍ରଶଂସନୀୟ । ହେଲେ ଏବେ ଯଦି ବଜାର ଗୁଡ଼ିକୁ ଯିବେ ତାହେଲେ ସମାନ ପଲିଥିନ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । ଏଠାରେ ପ୍ରଶାସନ କାହିଁକି ଚଢଉ ଜୋରଦାର କରୁନି । କାରଣ କ’ଣ ପଲିଥିନରେ ଜୋରିମାନା ପରିମାଣ କମ୍ ରହିଛି ବୋଲି ଚଢ଼ଉ ପାଇଁ ଇଚ୍ଛା ହେଉନି ନା ଚଢ଼ାଉରେ କରିବା ପାଇଁ ଆବଶ୍ୟକ ଷ୍ଟାଫ ନାହାନ୍ତି? ଲୋକମାନେ ସଚେତନ ହୋଇ ଆସୁଥିବା ବେଳେ କିଛି ବେପାରୀ କିନ୍ତୁ ଏହାକୁ ପୁଣି ଥରେ ବଜାରକୁ ଛାଡୁଥିବା ଦେଖିବାକୁ ମିଳିଛି । ଯଦି ପ୍ରଶାସନ ନିୟମିତ ଚେକିଂ କରନ୍ତା ତାହେଲେ ଆଜି ପଲିଥିନ ମଧ୍ୟ ବନ୍ଦ ହୋଇପାରିଥାନ୍ତା । ଆଉ ଯେଉଁଠି ବି ଚେକିଂ ହେଉଛି ଠାର ଠାକୁର ସହିତ ସମାନ କହିଲେ ଅତ୍ୟୁକ୍ତି ହେବନି । ଏବେ ପୁଣି ରାଜ୍ୟ ସରକାର ଘୋଷଣା କରିଛନ୍ତି ଆସନ୍ତାବର୍ଷ ୨୦୨୦ ଅକ୍ଟୋବର ୨ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ ପୂରା ବ୍ୟାନ ହେବ । ଯେତେବେଳେ ସରକାର ରାଜଧାନୀ ଛାତିରେ ପଲିଥିନ ବ୍ୟବହାର ହେଉଛି ତାକୁ ବ୍ୟାନ କରିପାରୁ ନାହାନ୍ତି କି ଲୋକଙ୍କୁ ଟ୍ରାଫିକ ଆଇନ ଭଳି ସଚେତନ କରାଇ ପାରୁ ନାହାନ୍ତି ସେତେବେଳେ ଗ୍ରାମାଞ୍ଚଳରେ ଏହି ନିୟମକୁ କାର୍ଯ୍ୟକାରୀ କରାଇବା କେବଳ ଘୋଷଣା ଛଡ଼ା ଆଉ କିଛି ନୁହଁ ।

ଆଉ ଗୋଟିଏ ବଡ଼ କଥା ହେଲା ଗତବର୍ଷ ୨୦୧୮ରେ ଗାନ୍ଧି ଜୟନ୍ତୀ ଅବସରରେ ରାଜ୍ୟ ସରକାର ୫ଟି ପୌରାଞ୍ଚଳ (ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ୱଲପୁର ଏବଂ ପୁରୀ)ରେ ପଲିଥିନ ବ୍ୟାନ ହେବ ବୋଲି ଘୋଷଣା କରିଥିଲେ । ହେଲେ ନିଜେ କେବେ ସ୍ଥିତି ଯାଇ ପରଖିଛନ୍ତି? ନା କେବେଳ ଶୀତ ତାପ ନିୟନ୍ତ୍ରଣ କୋଠରୀରେ ଅଭିଭାଷଣ ରଖୁଛନ୍ତି । ସରକାର ନିକଟରେ ୫ଟି ଲାଗୁ କରିଛନ୍ତି । ଯେଉଁମାନେ ଭୁଲ କରୁଛନ୍ତି ସେମାନଙ୍କ ବିରୋଧରେ ଅନ୍ ଦ ସ୍ପଷ୍ଟ ଆକ୍ସନ ନେଇ ବାହା ବାହା ନେଉଛନ୍ତି ସରକାର । ହେଲେ ଏହି ପ୍ଲାଷ୍ଟିକ ଓ ପଲିଥିନ ଆଇନକୁ କଡ଼ାକଡ଼ି କରିବା ପଛରେ ଯେଉଁ ବାବୁ ମାନେ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ଥରେ ନିଲମ୍ୱିତ କରି ଦେଖ? ନା ବାବୁ କଲେ ସାତ ଖୁନ୍ ମାଫ୍ ?

ଦୀର୍ଘ ବର୍ଷ ହେବ ଗୁଟଖା ବ୍ୟାନ କରିଛନ୍ତି ସରକାର । କାରଣ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏଥିପାଇଁ ଅନେକ କର୍କଟ ସାଙ୍ଗକୁ ବିଭିନ୍ନ ରୋଗରେ ଶିକାର ହେଉଥିଲେ । ଚଢ଼ାଉ ଏମିତି ହେଲା ଯେ ଦୋକାନ ସାମ୍ନାରେ ପାନମାସଲା, ଡବା ଭିତରେ ଲୁଚିକି ରହିଲା ଗୁଟଖା । ପ୍ରଶାସନ ଏହା କଣ ଜାଣିନି? ନା ଜାଣି ଶିଆଣିଆ । ଗୁଟଖା ଯେଉଁମାନେ ଖାଉଛନ୍ତି ତାଙ୍କ ବାଟରେ, ପ୍ରଶାସନ ତା ବାଟରେ । ଏହି ସମସ୍ତ ଘଟଣାକୁ ଯଦି ଦେଖିବା ଗୋଟିଏ କଥା ସ୍ପଷ୍ଟ ସରକାରଙ୍କ ନିୟମ କେବେଳ ଲୋକଦେଖାଣିଆ । ଟ୍ରାଫିକ ଆଇନରେ ଜୋରିମାନା ଅଧିକ ରହୁଥିବାରୁ ଧର ପଗଡ଼ ଅଧିକ ହେଲା କିନ୍ତୁ ଅନ୍ୟଥିରେ ଜୋରିମାନା ପରିମାଣ ଦେଖି ଲାଙ୍ଗୁଡ଼ ଯାକିଛି ପ୍ରଶାସନ ।



from Odisha Reporter https://ift.tt/2Bzxz53

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages