ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମୁସଲିମ ରାଷ୍ଟ୍ରଙ୍କୁ ମିଛ କଥା କହି ଉସାଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ କାଉଣ୍ଟର କରିବା ଲାଗି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବ ଗସ୍ତ କରିଛନ୍ତି। ସେଠାରେ ସେ ସାଉଦି କର୍ତ୍ତୃପକ୍ଷଙ୍କୁ ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଅବଗତ କରାଇବେ। ଏଥିସହ ପାକିସ୍ତାନ କଶ୍ମୀରକୁ ନେଇ ଯେଉଁ ମିଥ୍ୟା ଅପପ୍ରଚାର ଚଳାଇଛି, ତା’ର ମଧ୍ୟ ପର୍ଦ୍ଦାଫାସ କରିବେ।
ଗତକାଲି ରାତିରେ ରିୟାଦ ଗସ୍ତରେ ବାହାରିଥିବା ଡୋଭାଲ ସେଠାରେ କ୍ରାଉନ୍ ଫ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ସାକ୍ଷାତ କରିବେ। ଏହାପରେ ସେ ତାଙ୍କ ସହ ଦ୍ୱିପାକ୍ଷିକ ଓ ଆଞ୍ଚଳ ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଇମ୍ରାନ୍ ଖାନ୍ ଜାତିସଂଘରୁ ଫେରୁଥିବା ବେଳେ ହଠାତ୍ ରିୟାଦରେ ଅଟକ ଥିଲେ। ବିଶ୍ୱର ସବୁ ରାଷ୍ଟ୍ର କଶ୍ମୀର ପ୍ରସଙ୍ଗରେ ପାକ୍ର ହାତ ଛାଡ଼ି ଦେଇଥିବା ବେଳେ ଇମ୍ରାନ୍ ଖାନ୍ କ୍ରାଉନ ପ୍ରିନ୍ସ ମହମ୍ମଦଙ୍କୁ ସାକ୍ଷାତ କରି ସମର୍ଥନ ସାଉଁଟିବାକୁ ପ୍ରୟାସ କରିଥିଲେ।
ଏହାକୁ କାଉଣ୍ଟର କରିବା ପାଇଁ ଅଜିତ ଡୋଭାଲ ସାଉଦି ଗସ୍ତ କରିଛନ୍ତି। ଡୋଭାଲ କଶ୍ମୀର ସମ୍ପର୍କରେ ସମସ୍ତ ତଥ୍ୟ ନିଜେ ପ୍ରସ୍ତୁତ କରିଛନ୍ତି। କାରଣ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ଡୋଭାଲ ନିଜେ ହିଁ କଶ୍ମୀର ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ। ତେଣୁ ଉପତ୍ୟକା ଉପରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ଭଲ ଭାବେ କଶ୍ମୀର ପ୍ରସଙ୍ଗରେ ସାଉଦି ପ୍ରିନ୍ସଙ୍କୁ ବୁଝାଇ ପାରିବେ ବୋଲି ଭାରତ ସରକାର ଆଶା ରଖିଛନ୍ତି। କେବଳ କଶ୍ମୀର ପ୍ରସଙ୍ଗ ନୁହେଁ, ଡୋଭାଲ ସାଉଦି ପ୍ରିନ୍ସଙ୍କ ତୈଳ ରପ୍ତାନୀ ଉପରେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବନ୍ଧୁ ଚାଇନା ସମେତ ତୁର୍କୀ ଓ ମ୍ୟାଲେସିୟାକୁ ଏକାଠି କରିପାରିଛି। ହେଲେ ସାଉଦି ଓ ୟୁଏଇ ଭଳି ରାଷ୍ଟ୍ର ପାକିସ୍ତାନକୁ ଏଯାଏ ସମର୍ଥନ କରିନାହାନ୍ତି।
from Odisha Reporter https://ift.tt/2nFsEME
No comments:
Post a Comment