ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଣେସ୍ୱରପୁର ନୂଆସାହି ଗାଁରେ ଏକ ଘର ଭୁଶୁଡ଼ି ପଡ଼ିବାରୁ କାନ୍ଥ ତଳେ ଚାପି ହୋଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କୈଳାସ ସାମଲ(୮୦)। ତେବେ ତାଙ୍କ ସ୍ତ୍ରୀ ମାଳତି ସାମଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ସାମାନ୍ୟ ଆହତ ହୋଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ସେମାନେ ଶୋଇଥିବା ମାଟି ଘରଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ କୈଳାସ ମାଟି କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ସେହିପରି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ କାଳିକା ପଞ୍ଚାୟତର ଭଦୁଆ ଗାଁରେ କାନ୍ଥ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି। ଆହତଦ୍ୱୟଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଶୋଇଥିବାବେଳେ ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡ଼ିବାରୁ ସେମାନେ ଚାପି ହୋଇଯାଇଥିଲେ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ବସନ୍ତପୁରା ଗାଁରେ ମଧ୍ୟ କାନ୍ଥ ଭୁଶୁଡ଼ି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ହେଲେ ତାଙ୍କ ପରିଚୟ ଜଣାପଡ଼ି ନାହିଁ। ପୁରୀ ଜିଲ୍ଲା କୁମ୍ଭାରପଡ଼ାରେ କାନ୍ଥ ଭୁଶୁଡ଼ି ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସେ କୁମ୍ଭକାର ନିଯୋଗ ସଂପାଦକ ରସାନନ୍ଦ ବିଶୋୟୀ ବୋଲି ସୂଚନା ମିଳିଛି।
from Odisha Reporter https://ift.tt/2BSUgSh
No comments:
Post a Comment