ମୁମ୍ବାଇ: ୧୯୮୩ ମସିହାରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ୍ ଟିମ୍ ବିଶ୍ୱକପ୍ ଜିତି ଥିଲା। ଆଉ ଏହାକୁ ନେଇ ଏକ ଫିଲ୍ମ ତିଆରି ହେଉଛି। ଫିଲ୍ମର ନାଁ ରଖାଯାଇଛି ‘୮୩’। ଏହାର ନିର୍ଦ୍ଦେଶନା ଦେଇଛନ୍ତି କବୀର ଖାନ୍। ୟା ଭିତରେ ଫିଲ୍ମଟିର ଶୁଟିଂ ଶେଷ ହୋଇଯାଇଛି। ଏ ଫିଲ୍ମରେ ଲିଡ୍ ରୋଲ୍ରେ ଅଛନ୍ତି ରଣବୀର ସିଂହ। ସେ କପିଲ୍ ଦେବ୍ଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଆପଣମାନେ ତ ଜାଣିଥିବେ ୧୯୮୩ର ବିଶ୍ୱକପ୍ ବିଜୟୀ ଟିମ୍ରେ କପିଲ୍ ଅଧିନାୟକ ଥିଲେ। କପିଲ୍ଙ୍କ ଭୂମିକାରେ ଅଭିନୟ କରିବାକୁ ରଣବୀର ବେଶ୍ ପରିଶ୍ରମ କରିଛନ୍ତି। ଏଥିପାଇଁ କିଛି ଦିନ ସେ କପିଲ୍ଙ୍କ ସହିତ ବି ବିତାଇଥିଲେ। ଖାସ୍ କରି ଏହି ମହାନ୍ କ୍ରିକେଟର୍ଙ୍କ ଷ୍ଟାଇଲ୍ ଓ ଚାଲିଚଳଣି ବିଷୟରେ ଜାଣିବା ପାଇଁ ରଣବୀର ତାଙ୍କ ସହିତ କିଛି ଦିନ କାଟିଥିଲେ। ଏମିତିକି ଧର୍ମଶାଳା ଷ୍ଟାଡିୟମ୍ରେ କପିଲ୍ ତାଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇଥିଲେ।
ଫିଲ୍ମଟିରେ ରଣବୀର ଏତେ ମାତ୍ରାରେ ମାତି ଯାଇଥିଲେ ଯେ ଶେଷ ସିନ୍ ବେଳେ ସେ କାନ୍ଦି ପକାଇଥିଲେ। ନିର୍ଦ୍ଦେଶକ କବୀର ଖାନ୍ ଏ କଥା କହିଛନ୍ତି।
କବୀର କହିଛନ୍ତି ଯେ ସେଦିନ ଲଣ୍ଡନର ଲର୍ଡସ୍ ଷ୍ଟାଡିୟମ୍ରେ ଶେଷ ସିନ୍ର ଶୁଟିଂ ହେଉଥାଏ। ବିଶ୍ୱବିଜୟୀ ଟିମ୍ର ଅଧିନାୟକ ଭାବେ ରଣବୀରଙ୍କ ହାତରେ ଥାଏ ବିଶ୍ୱକପ୍। ସିନ୍ର ଶୁଟିଂ ଯୋଜନା ଅନୁଯାୟୀ ସମାପ୍ତ ହେବା ପରେ ସେ କଟ୍ କହିଥିଲେ। ଆଉ ଏହା ଶୁଣି ରଣବୀର କାନ୍ଦି ପକାଇଥିଲେ।
କବୀରଙ୍କ କହିବା ଅନୁଯାୟୀ, ଲଡର୍ସ ଷ୍ଟାଡିୟମ୍ରେ ୫ ଦିନ ଏ ଫିଲ୍ମର ଶୁଟିଂ କରାଯାଇଥିଲା। ଷ୍ଟାଡିୟମ୍କୁ ଅବିକଳ ସେହିଭଳି କରିବା ପାଇଁ ଚେଷ୍ଟା କରାଯାଇଥିଲା ଯେମିତି ଏହା ୧୯୮୩ରେ ଦେଖା ଯାଉଥିଲା। ସେହିଭଳି ରଣବୀରଙ୍କ ହାତକୁ ଫିଲ୍ମରେ ଯେଉଁ ବିଶ୍ୱକପ୍ ବଢ଼ାଇ ଦିଆଯାଇଛି, ତାହା ବି ଅରିଜିନାଲ୍। ଅର୍ଥାତ୍ ଟିମ୍ ଇଣ୍ଡିଆର ପ୍ରଥମ ବିଶ୍ୱକପ୍କୁ ମଧ୍ୟ ଫିଲ୍ମରେ ଦେଖାଯାଇଛି।
ସୂଚନାଯୋଗ୍ୟ, ଏଇ ଫିଲ୍ମରେ ରଣବୀରଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ୍ ବି ଅଛନ୍ତି। ସେ କପିଲ୍ ଦେବ୍ଙ୍କ ପତ୍ନୀ ରୋମି ଦେବ୍ ଭୂମିକାରେ ଅଭିନୟ କରିଛନ୍ତି।
from Odisha Reporter https://ift.tt/2VBBjwr
No comments:
Post a Comment