ଭାରତର ଲୌହ ପୁରୁଷଙ୍କୁ କିଏ ଦେଇଥିଲା ସର୍ଦ୍ଦାର ଉପାଧୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 30, 2019

ଭାରତର ଲୌହ ପୁରୁଷଙ୍କୁ କିଏ ଦେଇଥିଲା ସର୍ଦ୍ଦାର ଉପାଧୀ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୪୭ର ପ୍ରଥମାର୍ଦ୍ଧ ଭାରତ ଇତିହାସ ପାଇଁ ଥିଲା ସଙ୍କଟମୟ ସମୟ। ବ୍ରିଟିଶ ଶାସନର ଅନ୍ତ ନିଶ୍ଚିତ ଥିଲା ହେଲେ ଭାରତର  ଅଖଣ୍ତତା ପ୍ରତି ଗମ୍ଭୀର ଚାପ ରହିଥିଲା ।  ଭାରତର ବିଭାଜନ ପୂର୍ବ ନିର୍ଦ୍ଧାରିତ ଥିଲା। ହେଲେ ଯାହା ଅନିଶ୍ଚିତ ଥିଲା ତାହା ହେଉଛି ଭାରତର ଗୋଟିଏରୁ ଅଧିକ ବିଭାଜନ ହେବ ନାହିଁ ତ? କାରଣ ବ୍ରିଟିଶ ଶାସନ ସମୟରେ ପ୍ରସ୍ତୁତ ହୋଇଥିବା ଭାରତ ନକ୍ସାରେ ପ୍ରାୟ ୪୦ ପ୍ରତିଶତ ଭୂମି ଗଡ଼ଜାତ ରାଜ୍ୟ ଭାବେ ରହିଥିଲା। ସ୍ୱାଧୀନତା ପରେ ଭାରତ କିମ୍ବା ପାକିସ୍ତାନ ସହ ମିଶିବାକୁ ନଚେତ ସ୍ୱତନ୍ତ୍ର ରହିବାକୁ ଏହି ରାଜ୍ୟଗୁଡ଼ିକୁ ସ୍ୱାଧୀନତା ଦିଆଯାଇଥିଲା।

ଏହିପରି ପରିସ୍ଥିତିରେ ସ୍ୱରାଷ୍ଟ୍ର ବିଭାଗ ଜୁନ ୧୯୪୭ରେ କାର୍ଯ୍ୟକ୍ଷମ ହେଲା। ଏହି ବିଭାଗର ମୁଖ୍ୟ ଥିଲେ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ। ତାଙ୍କ  ଲକ୍ଷ୍ୟ  ଥିଲା ୫୫୦ରୁ ଅଧିକ ଗଡ଼ଜାତ ରାଜ୍ୟ ସହ ଭାରତର ସମ୍ପର୍କକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବା।  ଏପରି ସ୍ଥିତିରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନିଜ ପ୍ରଶାସନିକ ଦକ୍ଷତା, ଦୁରଦର୍ଶୀତା, ଚତୁରତା ଓ ବୁଦ୍ଧିମତାର ପରିଚୟ ଦେଇ  ଗୋଟିଏ ପରେ ଗୋଟିଏ ଛୋଟ-ବଡ଼ ରାଜତନ୍ତ୍ର ତଥା ଗଡ଼ଜାତ ଶାସନାଧୀନ ରାଜ୍ୟ ସହିତ ଆଲୋଚନା ଜାରି ରଖି ଏହାକୁ ଭାରତରେ ମିଶ୍ରଣ କରାଇବାରେ ସକ୍ଷମ  ହେଲେ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ପାଇଁ ଭାରତ ସରକାର ୨୦୧୪ ମସିହାରୁ ତାଙ୍କ ଜନ୍ମତିଥିକୁ ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ପାଳନ କରି ଆସୁଛନ୍ତି।

ଭାରତ ସହ ବିଭିନ୍ନ ଦେଶୀୟ ରାଜ୍ୟର ମିଶ୍ରଣ ଲାଗି ପଟେଲ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ହାଇଦ୍ରାବାଦର ନିଜାମ ସ୍ୱତନ୍ତ୍ର ରହିବାକୁ ନିଷ୍ପତ୍ତି ନେଇଥିଲେ। ସେ ଭାରତ କିମ୍ବା ପାକିସ୍ତାନ ସହ ନ ମିଶିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସର୍ଦ୍ଦାର ପଟେଲ ୧୯୪୮ ମସିହାରେ ଆରମ୍ଭ କରିଥିଲେ ‘ଅପରେସନ ପୋଲୋ’। ଏହାଦ୍ୱାରା ନିଜାମ କ୍ଷମତାରୁ ଅପଦସ୍ତ ହୋଇ ବିତାଡ଼ିତ ହେଲେ ଓ ହାଇଦ୍ରାବାଦ ଭାରତରେ ସାମିଲ ହେଲା। ଦେଶ ସ୍ୱାଧୀନ ହେବା ପରେ ପଟେଲ ପ୍ରଥମେ ଦେଶର ଉପ-ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ହୋଇଥିଲେ।

ଭାରତକୁ ଖଣ୍ତ-ବିଖଣ୍ତ ହେବା ଭଳି ପରିସ୍ଥିତିରୁ ବଞ୍ଚାଇଥିବା ସହ ଅଖଣ୍ତ ଭୂଭାଗରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସର୍ଦ୍ଦାର  ବଲ୍ଲଭ ଭାଇ ପଟେଲ   ୧୮୭୫ ଅକ୍ଟୋବର ୩୧ରେ ସେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ  ପିତାଙ୍କ ନାମ ଥିଲା ଝାବେର୍‍ ଭାଇ ପଟେଲ। ସେ ଜଣେ ଏକ କୃଷକ ଥିଲେ। ତାଙ୍କ ମାତାଙ୍କ ନାମ ଥିଲା ଲାଡ଼ ବାଇ । ସେ ଏକ ଗୃହିଣୀ ଥିଲେ। ସର୍ଦ୍ଦାର ଲଣ୍ଡନ ଯାଇ ଓକିଲାତି ପାଠ ପଢିଥିଲେ। ସେଠାରୁ ଫେରିବା ପରେ ସେ ଅହମ୍ମଦାବାଦରେ ଓକିଲାତି କରିଥିଲେ।

ସର୍ଦ୍ଦାର ବାଲ୍ୟକାଳରୁ ଖୁବ୍ ପରିଶ୍ରମୀ ଥିଲେ। ସେ ଚାଷ କାର୍ଯ୍ୟରେ ତାଙ୍କ ପିତାଙ୍କୁ ସାହାଯ୍ୟ କରିବା ସହ ନିଜେ ମଧ୍ୟ ପାଠ ପଢୁଥିଲେ।  ସେ ଦେଶକୁ ସ୍ୱାଧୀନତା ଦେବା ପାଇଁ ବିଭିନ୍ନ ଆନ୍ଦୋଳନରେ ଯୋଗ ଦେଇଥିଲେ।  ପଟେଲଙ୍କ କ୍ଷମତା ଉପରେ ଗାନ୍ଧିଜୀଙ୍କର ସଂପୂର୍ଣ୍ଣ ବିଶ୍ୱାସ ରହିଥିଲା ଏବଂ ସେ କୌଣସି କାର୍ଯ୍ୟ କରିବା ପୂର୍ବରୁ ତାଙ୍କ ପରାମର୍ଶ ନେଉଥିଲେ। ଭାରତର ଏକତାକୁ ଅତୁଟ ରଖିବାରେ ପଟେଲଙ୍କର ଯୋଗଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା। ତେଣୁ ତାଙ୍କୁ ଭାରତର ଲୌହ ପୁରୁଷ କୁହାଯାଏ। ଭାରତ ସ୍ୱାଧୀନ ହେବା ପରେ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଲାବେଳେ ସର୍ଦାର ବଲ୍ଲଭ ଭାଇ ପଟେଲ ଉପ-ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ଭାରତର କୃଷକମାନେ ସର୍ଦ୍ଦାର ପଟେଲଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ। ସର୍ବୋପରି, ସେ ଜଣେ କୃଷକର ପୁତ୍ର ଥିଲେ, ଯିଏ ୧୯୨୮ ମସିହାରେ ଗୁଜରାଟରେ ହୋଇଥିବା ଚାଷୀ ଆନ୍ଦୋଳନ ବର୍ଦ୍ଦୋଲୀ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ।  ଉକ୍ତ ସମୟରେ ଚାଷୀଙ୍କଠାରୁ ପ୍ରାୟ ୩୦ ପ୍ରତିଶତ କର ଅସୁଲ କରାଯାଉଥିଲା। ଏହା ଚାଷୀଙ୍କୁ ଖୁବ ବାଧିଥିଲା। ବଲ୍ଲଭ ଭାଇ ଏହାର ଖୁବ୍‌ ବିରୋଧ କରିଥିଲେ। ଶେଷରେ ସରକାର ପଛଘୁଞ୍ଚା ଦେଇ କର ପ୍ରତିଶତକୁ ୬ ପ୍ରତିଶତ ଯାଏ ଖସାଇ ଦେଇଥିଲେ। ଏହି ସତ୍ୟାଗ୍ରହର ସଫଳତା ପରେ ସେଠାକାର ମହିଳାମାନେ ବଲ୍ଲଭ ଭାଇ ପଟେଲଙ୍କୁ ‘ସର୍ଦ୍ଦାର’ ଉପାଧୀ ଦେଇଥିଲେ। ଶ୍ରମିକ ଶ୍ରେଣୀର ଲୋକମାନେ ତାଙ୍କଠାରେ ଆଶାର କିରଣ ଦେଖିପାରିଥିଲେ, ଯିଏକି ସେମାନଙ୍କ ପାଇଁ କହିପାରିବ।

କେବଳ ଶ୍ରମିକ, କୃଷକ ନୁହନ୍ତି, ସବୁ ବର୍ଗର ଲୋକ ତାଙ୍କୁ ବିଶ୍ୱାସ କରୁଥିଲେ। ଏପରିକି ବ୍ୟବସାୟୀ ଏବ˚ ଶିଳ୍ପପତି  ମଧ୍ୟ ସର୍ଦ୍ଦାର ପଟେଲଙ୍କ ସହିତ କାର୍ଯ୍ୟ କରିବାକୁ ପସନ୍ଦ କରୁଥିଲେ କାରଣ ସେମାନେ ତାଙ୍କଠାରେ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱକୁ  ଦେଖିପାରୁଥିଲେ । ଯାହାଙ୍କଠାରେ ଭାରତର ଅର୍ଥନୈତିକ ଏବ˚ ଶିଳ୍ପ ଅଭିବୃଦ୍ଧିକୁ ଆଗେଇ ନେବାର ଦୂରଦୃଷ୍ଟି ରହିଥିଲା। ତାଙ୍କର ରାଜନୈତିକ ସହଯୋଗୀମାନେ ମଧ୍ୟ ତାଙ୍କୁ ବିଶ୍ୱାସ କରୁଥିଲେ।

୧୯୪୭ରେ ଏକ  ରାଜନୈତିକ ଆଲୋଚନାଚକ୍ରରେ ସରୋଜିନୀ ନାଇଡ଼ୁ ସର୍ଦ୍ଦାର ପଟେଲଙ୍କୁ ‘ନିଷ୍ପତ୍ତି ନେବା ଏବ˚ କାର୍ଯ୍ୟ କରିବାର ବ୍ୟକ୍ତିତ୍ୱ ’ ଭାବେ ବର୍ଣ୍ଣନା କରିଥିଲେ। ତାଙ୍କର କଥା ଏବ˚ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ବିଶ୍ୱାସ କରୁଥିଲେ ।   ୧୫ ଡ଼ିସେମ୍ବର ୧୯୫୦ ମସିହାରେ ତାଙ୍କ ପରଲୋକ ହୋଇଥିଲା।

ସର୍ଦ୍ଦାର ପଟେଲଙ୍କ ସମ୍ମାନର୍ଥେ ଗୁଜୁରାଟରେ ତାଙ୍କର ୧୮୨ ମିଟରର ଉଚ୍ଚତା ବିଶିଷ୍ଟ ପ୍ରତିମୁର୍ତ୍ତି ନିର୍ମାଣ ହୋଇଛି। ଯାହାକି ବିଶ୍ୱର ସୁଉଚ୍ଚ ପ୍ରତିମୂର୍ତ୍ତି ହେବାର ଖ୍ୟାତି ଅର୍ଜନ କରିଛି।



from Odisha Reporter https://ift.tt/2N11fyD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages