ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ପରକୀୟା ପ୍ରେମ ଓ ପ୍ରତାରଣାରୁ ଯୁବକଙ୍କୁ ଜିଅନ୍ତା ଜାଳିଦେବା ଘଟଣାର ମୁଖ୍ୟ ଅଭିଯୁକ୍ତା ‘ମଧୁ’ଙ୍କୁ ଜେରା କରୁଛି ପୁଲିସ୍। ଗତକାଲି ପୁଲିସ୍ ତାଙ୍କୁ କଟକରେ ଜେରା କରିଥିଲା। ଅଧିକ ତଥ୍ୟ ହାସଲ ପାଇଁ ଆଜି ଦାଆଗାଁ ନିଆଯାଇ ଜେରା କରାଯିବ ବୋଲି ଜଗତସିଂହପୁର ସଦର ଏସଡିପିଓ କହିଛନ୍ତି। ପୂର୍ବର ହତ୍ୟା ଘଟଣାରେ ସନ୍ଦିଗ୍ଧ ମହିଳାଙ୍କ ବାପାଙ୍କୁ ଥାନାରେ ଅଟକ ରଖିବା ସହ ତାଙ୍କର ଦୁଇ ଭଉଣୀଙ୍କୁ ମଧ୍ୟ ପଚରାଉଚରା କରିଛି ପୁଲିସ୍।
ଜଗତସିଂହପୁର ବାଲିକୁଦା ଥାନା ଦାଆଗାଁରେ ସଂଘଟିତ ଏହି ଲୋମହର୍ଷଣ ହତ୍ୟା ପଛରେ ‘ମଧୁ’ ନାମ୍ନୀ ମହିଳାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ କୃଷ୍ଣଚନ୍ଦ୍ରଙ୍କ ପତ୍ନୀ। ପୁଲିସ୍ ସୂଚନା ଅନୁଯାୟୀ ଦାଆଗାଁରେ ଅଭିଯୁକ୍ତା ମଧୁଙ୍କ ବାପଘର ହୋଇଥିବା ବେଳେ ସେ କଟକରେ ନିଜ ପରିବାର ସହ ଭଡ଼ାରେ ରହୁଛନ୍ତି। ତାଙ୍କ ସ୍ୱାମୀ ସେଠାରେ ବ୍ୟବସାୟ କରୁଥିବା ସୂଚନା ପାଇ ଗତକାଲି ପୁଲିସ୍ ସେଠାରେ ପହଞ୍ଚି ତାଙ୍କୁ ପଚରାଉଚରା କରିଥିଲା।
ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଅନୈତିକ ସମ୍ପର୍କ ଥିଲା। ତାଙ୍କ ସ୍ୱାମୀଙ୍କଠୁ ଦୂରେଇ ରହିବା ପାଇଁ ସଂପୃକ୍ତ ମହିଳାଙ୍କୁ ବାରମ୍ବାର ସେ ତାଗିଦ କରିଥିଲେ। ତେବେ ଗତ ଶନିବାର କୃଷ୍ଣନ୍ଦ୍ର ଅହମ୍ମଦାବାଦ ଯିବା ପାଇଁ ଘରୁ ବାହାରି ଯାଇଥିଲେ। ତା’ପରଠୁ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ତାଙ୍କ ସ୍ୱାମୀଙ୍କୁ ସଂପୃକ୍ତ ମହିଳା ଫୋନ୍ରେ ଡାକି ହତ୍ୟା କରିଛନ୍ତି ବୋଲି ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି କୃଷ୍ଣଙ୍କ ସ୍ତ୍ରୀ।
from Odisha Reporter https://ift.tt/2OuNppE
No comments:
Post a Comment