ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ରାସ୍ତା ଖରାପ ଯୋଗୁ ଗାଁକୁ ଯାଇପାରିଲାନି ୧୦୨ ଜନନୀ ସୁରକ୍ଷା ଆମ୍ୱୁଲାନ୍ସ। ଫଳରେ ୨ କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁର ବ୍ଲକ୍ରେ।
ଗତକାଲି ବିଳମ୍ୱିତ ରାତିରେ ଜିଲ୍ଲାର ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ମଶିଣାପାଲି ଗାଁର ଲଲିତା ଭୋଇ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ପରିବାର ଲୋକେ ୧୦୨ ଜନନୀ ସୁରକ୍ଷା ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ରାତିପ୍ରାୟ ୧୨ଟା ସମୟରେ ଆମ୍ୱୁଲାନ୍ସ ପହଞ୍ଚିଥିଲେ ବି ମଶିଣାପାଲି ଗାଁ ପର୍ଯ୍ୟନ୍ତ ଯାଇପାରି ନଥିଲା। ଫଳରେ ଆଶା ଦିଦି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହାୟତାରେ ଏକ ଖଟିଆରେ ପ୍ରସୂତିଙ୍କୁ ଦୁଇ କିଲୋମିଟର ବୋହି ଠେଙ୍ଗୋ ଡ୍ୟାମ୍ ନିକଟରେ ଥିବା ଆମ୍ୱୁଲାନ୍ସ ଯାଏ ଅଣାଯାଇଥିଲା।
ଏନେଇ ଆଶା ଦିଦି କଲ୍ୟାଣୀ ପଣ୍ଡା କହିଛନ୍ତି, “ଆମେ ଏକ ଖଟିଆରେ ବୋହିକି ପ୍ରସୂତିଙ୍କୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଆଣିଲୁ।”
ଆମ୍ୱୁଲାନ୍ସ ଡ୍ରାଇଭର କହିଛନ୍ତି, “ରାସ୍ତା ଖରାପ ଥିବାରୁ ଗାଁକୁ ଗାଡି ଯାଇ ପାରିଲା ନାହିଁ। ଏଥିପାଇଁ ଏଠି ଗାଡ଼ି ଅଟକି ରହିଛି। ରାସ୍ତା ସାରା ଖାଲଖମା ରହିଥିବାରୁ ଗାଡ଼ି ଯାଇ ପାରିବ ନାହିଁ।”
ଚଳିତବର୍ଷ ଅତ୍ୟଧିକ ବର୍ଷା ଯୋଗୁ ମଶିଣାପାଲି ଗାଁକୁ ଯାଇଥିବା ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ତେଣୁ ଗାଁକୁ ଆମ୍ୱୁଲାନ୍ସ ଯାଇପାରି ନଥିବା ଜଣାପଡ଼ିଛି।
from Odisha Reporter https://ift.tt/33Mlg1q
No comments:
Post a Comment