ମୁମ୍ୱାଇ: ମହାରାଷ୍ଟ୍ରରେ ସହଯୋଗୀ ବିଜେପିକୁ ଛାଡ଼ି ଅନ୍ୟ ଦଳକୁ ନେଇ ଶିବସେନା ସରକାର ଗଢ଼ିବା ପାଇଁ ଚେଷ୍ଟା କରୁଛି। ଏଥିପାଇଁ ଶିବସେନା ପ୍ରସ୍ତୁତ ହେଉଛି। ଶିବସେନାର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ଆଜି ଦେଇଥିବା ମନ୍ତବ୍ୟରୁ ଏହି ଆଭାସ ମିଳିଛି।
ସଞ୍ଜୟ ରାଉତ କହିଛନ୍ତି, ‘ଯଦି ଶିବସେନା ସରକାର ଗଢ଼ିବା ପାଇଁ ନିଷ୍ପତ୍ତି ନେବ, ତାହାଲେ ସ୍ଥାୟୀ ସରକାର ଦେବା ପାଇଁ ଆବଶ୍ୟକ ବିଧାୟକ ସେ ନିଜ ସମର୍ଥନକୁ ଆଣିପାରିବ। ମହାରାଷ୍ଟ୍ରବାସୀ ସରକାର ଗଢ଼ିବା ପାଇଁ ୫୦:୫୦ ଫର୍ମୁଲା ଆଧାରରେ ଭୋଟ୍ ଦେଇଛନ୍ତି। ଶିବସେନାରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ମହାରାଷ୍ଟ୍ରବାସୀ ଚାହୁଁଛନ୍ତି’।
ଗତକାଲି ଶିବସେନା ବିଧାୟକ ଦଳର ବୈଠକ ବସିଥିଲା। ଏକନାଥ ଖାଡ଼ଗେ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ। ହଠାତ୍ ସନ୍ଧ୍ୟାରେ କିନ୍ତୁ ସଞ୍ଜୟ ରାଓତ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଭେଟିଥିଲେ। ଏହାପରେ ସରକାର ଗଢ଼ିବା ପାଇଁ ନୂଆ ମେଣ୍ଟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏହି ଭେଟଘାଟକୁ ଦୀପାବଳି ଅବସରରେ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି ଗତକାଲି ସଞ୍ଜୟ ରାଓତ କହିଥିଲେ। ଶରଦ ପାଓ୍ୱାର କିନ୍ତୁ କହିଥିଲେ ବିରୋଧୀ ଦଳରେ ବସିବା ପାଇଁ ମହାରାଷ୍ଟ୍ରବାସୀ ତାଙ୍କୁ ଭୋଟ୍ ଦେଇଛନ୍ତି।
ନିକଟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ନିଜର ଦାବି ନରମ କରିଥିଲା ଶିବସେନା। ଏହାପରେ ସରକାର ଗଢ଼ିବା ପାଇଁ ବିଜେପି-ଶିବସେନା ପ୍ରକ୍ରିୟା ଆରମ୍ଭ କରିଥିଲେ। ହେଲେ ଶିବସେନାର ଦାବି ଅନୁଯାୟୀ ମନ୍ତ୍ରୀ ପଦବୀ ନମିଳିବାରୁ ପୁଣି ଥରେ ଶିବସେନା ମୁଖ୍ୟମନ୍ତ୍ରୀ ଆସନକୁ ନେଇ ନିଜର ଦାବି ଜୋର କରିଛି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୨୮୮ ଆସନ ବିଶିଷ୍ଟ ବିଧାନସଭା ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, ଏନସିପି ୫୪, କଂଗ୍ରେସ ୪୪ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମିଶି ୨୯ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୧୪୬ ରହିଛି ମ୍ୟାଜିକ ନମ୍ୱର। ଅନ୍ୟାନ୍ୟ ୨୯ ବିଧାୟକଙ୍କ ମଧ୍ୟରୁ ବିଜେପିକୁ ୬ ଜଣ ଓ ଶିବସେନାକୁ ୪ ଜଣ ସମର୍ଥନ ଦେଇସାରିଛନ୍ତି। ଏବେ ଶିବସେନା କଂଗ୍ରେସ-ଏନସିପି ଓ ଅନ୍ୟାନ୍ୟ ୧୯ ବିଧାୟକଙ୍କୁ ନେଇ ସରକାର ଗଢ଼ିବ ବୋଲି ଚିନ୍ତା କରୁଥିବା ଜଣାପଡ଼ିଛି।
from Odisha Reporter https://ift.tt/3370cmi
No comments:
Post a Comment