କୋଏମ୍ୱାଟୁର: ଚଳିତବର୍ଷ ଜାନୁଆରୀରେ ‘ପଦ୍ମଶୀ’ ସମ୍ମାନରେ ସମ୍ମାନିତ ହୋଇଥିବା ଯୋଗ ପ୍ରଶିକ୍ଷକ ଭି. ନାନମ୍ମଲଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ ଚିକିତ୍ସାଧୀନ ଥିବାବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କର ୧୦୦ ବର୍ଷ ବୟସ ହୋଇଥିଲା। ମାସକ ତଳେ ସେ ପଡ଼ିଯିବାରୁ ଗୁରୁତର ହୋଇ ପଡ଼ିଥିଲେ। ଏହାପରେ ସେ ଶଯ୍ୟାଶାୟୀ ଭାବେ ଚିକିତ୍ସାଧୀନ ଥିଲେ।
୪୦ ଦିନ ପୂର୍ବରୁ ନାନମ୍ମଲଙ୍କ ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀ ଥିଲା। ଏହା ପରେ ସେ ଭବିଷ୍ୟଣ ବାଣୀ କରିଥିଲେ ଯେ ୪୮ ଦିନ ଭିତରେ ତାଙ୍କର ମୃତ୍ୟୁ ଘଟିବ। ଆଉ ୪୦ ଦିନରେ ହିଁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଯୋଗଗୁରୁ ଭି. ବାଲକ୍ରିଷ୍ନନ କହିଛନ୍ତି।
ତାମିଲନାଡୁର କୋଏମ୍ୱାଟୁରରେ ରହୁଥିବା ନାନମ୍ମଲ ଯୋଗ ପ୍ରଶିକ୍ଷକ ଭାବରେ ସାରା ଦୁନିଆରେ ପରିଚିତ। ‘ଯୋଗ ଜେଜେ ମାଆ’ ଭାବରେ ସେ ପରିଚିତ। ଆହତ ହେବା ପୂର୍ବରୁ ସେ ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କୁ ଯୋଗ ଶିକ୍ଷା ଦେଉଥିଲେ। ସେ ୫୦ରୁ ଅଧିକ ଯୋାଗ ଆସନ ଜାଣିଛନ୍ତି। ୟୁଟ୍ୟୁବରେ ପାରମ୍ପରିକ ଗୋଲାପୀ ଶାଢ଼ୀ ପିନ୍ଧି ଅନେକ ଯୋଗମୁଦ୍ରାର ଭିଡିଓ ଉପଲବ୍ଧ ରହିଛି। କୋଏମ୍ୱାଟୁର ଗଣପତି ଅଞ୍ଚଳରେ ନାନମ୍ମଲ ଯୋଗ ଓ ପ୍ରାକୃତିକ ଚିକିତ୍ସା (ନ୍ୟାଚୁରୋପାଥି) ଚିକିତ୍ସା ଦେଉଥିଲେ।
ଫେବୃଆରୀ ୧୯୨୦ରେ ଜନ୍ମିତ ନାନମ୍ମଲ ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ୧୦ ବର୍ଷ ବୟସରୁ ସେ ତାଙ୍କ ବାପା ଓ ଜେଜେ ବାପା ଓ ମାଆଙ୍କ ପାଖରୁ ଯୋଗ ଶିକ୍ଷା ଲାଭ କରିଥିଲେ। ଏବେ ତାଙ୍କ ପରିବାର ଲୋକମାନେ ମଧ୍ୟ ଏହି ଯୋଗ ଶିକ୍ଷା ଦେଉଛନ୍ତି ବୋଲି ସୂଚନା ରହିଛି। ୫୦ ବର୍ଷରୁ ଅଧିକ କାଳ ଭିତରେ ସେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ଦେଇଥିବା ସୂଚନା ରହିଛି।
ଯୋଗରେ ନାଲମ୍ମଲଙ୍କ ଦକ୍ଷତା, ଅନେକ ଲୋକଙ୍କୁ ଯୋଗ କରାଇବା ପାଇଁ ପ୍ରବର୍ତ୍ତାଇବା ଆଦିକୁ ଦେଖି ଗତବର୍ଷ ଜାନୁଆରୀରେ କେନ୍ଦ୍ର ସରକାର ତାଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ କରିଥିଲେ। ୨୦୧୬ରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାନମ୍ମଲଙ୍କୁ ରାଷ୍ଟ୍ରପତି ‘ନାରୀ ଶକ୍ତି’ ପୁରସ୍କାର ସମ୍ମାନରେ ସମ୍ମାନିତ କରିଥିଲେ। ସେହିପରି ୨୦୧୭ରେ କର୍ଣ୍ଣାଟକ ସରକାର ତାଙ୍କୁ ‘ଯୋଗରତ୍ନ’ ସମ୍ମାନରେ ସମ୍ମାନିତ କରିଥିଲେ।
from Odisha Reporter https://ift.tt/2JsY54K
No comments:
Post a Comment