ଜଳେଶ୍ୱର (ଅଜିତ ଦାସ): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏଠାରେ ପ୍ରତିବର୍ଷ ପର୍ଯ୍ୟାପ୍ତ ପରିମାଣରେ ବିଭିନ୍ନ କିସମର ଧାନ ଚାଷ ହୋଇଥାଏ। ଚାଷୀମାନେ ଚମ୍ପା, ସ୍ୱର୍ଣ୍ଣ, ଡାଳୁଅ, ୧୦୦୯, ୧୦୧୮, ଅନ୍ନପୂର୍ଣ୍ଣା, ଟାଇଚୁନ୍, ମୟୂରକଣ୍ଠା, ଚନ୍ଦ୍ରକାନ୍ତି, ବଡ଼ନାଲି ପ୍ରମୁଖ ଧାନ ଚାଷୀ କରୁଛନ୍ତି। ଏବେ ଆଉ ଏକ କିସମର ଧାନ ଚାଷୀ ଚାଷ କରୁଥିବା ଦେଖିବାକୁ ମିଳିଛି। ଯାହାର ନାଁ ହେଉଛି ‘କଳାବତୀ’। ଏହି ଧାନର ଚାଉଳ ଦେଖିବାକୁ କଳା ଓ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି।
‘କଳାବତୀ’ ଧାନ ଓଡ଼ିଶାର ସମ୍ୱଲପୁର, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଚାଷ ହୋଇଛି। ତେବେ ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ନାମ୍ପୋ ଅଞ୍ଚଳର ଶିବନାରାୟଣ ଜେନା ଓ ପୂର୍ଣ୍ଣଚନ୍ଦ୍ର ସାମଲ ଏହି ଧାନ ଚାଷ କରିଛନ୍ତି। ଏହି ଧାନ ଚାଷରେ କୌଣସି ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରାଯାଏ ନାହିଁ। ଗୋବର, ଗୋ-ମୁତ୍ର, ନିମ ତେଲ ଓ କମ୍ପୋଷ୍ଟ ଭଳି ଜୈବିକ ସାର ପ୍ରୟୋଗ କରାଯାଏ। ଏହା ଅମଳ ହେବାକୁ ୧୫୦ ଦିନ ସମୟ ନିଏ। ୬ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଏହି ଧାନ ଗଛ ବଢ଼ିପାରିବ। ଏକ ଏକର ଜମି ପାଇଁ ୫ କିଲୋଗ୍ରାମ ବିହନ ଆବଶ୍ୟକ। ଏକ ଏକରରରେ ଏହି ଚାଷ କରିବା ପାଇଁ ୩ ହଜାରରୁ ସାଢ଼େ ୩ ହଜାର ଟଙ୍କା ଖର୍ଚ୍ଚ ହୁଏ। ତେବେ ଏହି ଧାନ ଚାଷ କରିବା ପାଇଁ ଚାଷୀଙ୍କ ମଧ୍ୟରେ ଅଧିକ ଆଗ୍ରହ ଥିବା ଦେଖାଯାଉଛି।
ସାଧାରଣତଃ ଧାନ ଗଛ ଗୁଡ଼ିକ ସବୁଜ ଦେଖାଯାଇଥା’ନ୍ତି। କିନ୍ତୁ ‘କଳାବତୀ’ ଧାନ କ୍ଷେତ ଦୂରରୁ ଧୂଷରିଆ ଦେଖାଯାଏ। ଧାନ ପତ୍ର ଉପରେ ଏକ ମୋଟା ଆସ୍ତରଣ ଜମି ରହିଥିବା ଦେଖିବାକୁ ମିଳେ। ଏହା ହେଉଛି ଏକ ଦେଶୀ କିସମ ଧାନ। ଏହି ଧାନକୁ ସମତଳ ଓ ପାହାଡ଼ିଆ ଅଞ୍ଚଳରେ ଶ୍ରୀ ପ୍ରଣାଳୀରେ ଚାଷ କରାଯାଇପାରିବ। ଅମଳ ମଧ୍ୟ ଭଲ ହୁଏ। ଓଡ଼ିଶାରେ ଏହି ଧାନର ଚାଉଳର ଦାମ୍ କିଲୋ ପ୍ରତି ୨୦୦ରୁ ୩୦୦ ଟଙ୍କା ଥିବା ବେଳେ ରାଜ୍ୟ ବାହାରେ ୪୦୦ରୁ ଅଧିକ ଟଙ୍କା ରହିଛି।
ଔଷଧୀୟ ଗୁଣ
‘କଳାବତୀ’ ଧାନର ଚାଉଳରେ ବହୁ ଔଷଧୀୟ ଗୁଣ ଭରି ରହିଛି। ନିୟମିତ ଖାଇଲେ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଏହାଛଡ଼ା ରକ୍ତ ପରିଷ୍କାର କରିବା ସହିତ ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଫଳ ପ୍ରଦ ହୋଇଥାଏ। ଏହି ଚାଉଳରେ ପ୍ରଚୁର ପରିମାଣରେ ‘ଭିଟାମିନ ଇ’ ରହିଛି। ଏହି ଚାଉଳ ତ୍ୱଚା ଓ ଚକ୍ଷୁ ପାଇଁ ବେଶ୍ ଭଲ। ତା’ ସହିତ ଏହା ଶରୀର ଓଜନର ସନ୍ତୁଳନ ବଜାୟ ରଖେ। ଏହା ହଜମ ସମ୍ପର୍କିତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ଶରୀରରେ ରହୁଥିବା ବିଷାକ୍ତ ଉପାଦାନକୁ ନଷ୍ଟ କରିବା ସହ ଲିଭର ଓ କିଡ୍ନୀକୁ ମଧ୍ୟ ସୁସ୍ଥ ରଖି ଥାଏ।
from Odisha Reporter https://ift.tt/35NNObS
No comments:
Post a Comment