କେନ୍ଦ୍ରାପଡ଼ା ( ମନୋଜ ସ୍ୱାଇଁ ): ଅଭ୍ୟାସଗତ ଦୁର୍ବ୍ୟବହାରକାରୀ ପାଲଟିଗଲେଣି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ସାଂସଦ ହେବା ପରଠୁ ଯେମିତି ତାଙ୍କର ଏ ଅଭ୍ୟାସ ବଢ଼ିଚାଲିଛି। ଔଦ୍ଧତ୍ୟ ବି ସୀମା ଲଂଘୁଛି। କେତେବେଳେ କାହା ସହିତ କିଛି ବି ବ୍ୟବହାର କରୁଛନ୍ତି। ଅନୁଭବଙ୍କ ବିରୋଧରେ ଗୋଟିକ ପରେ ଗୋଟିଏ ସାଂଘାତିକ ଅଭିଯୋଗ ଆସୁଛି । ଗତକାଲି ସାମ୍ନାକୁ ଆସିଛି ସାଂସଦ ଅନୁଭବଙ୍କ ଦାଦାଗିରିର ଆଉ ଏକ ଚିତ୍ର । ଗଣମାଧ୍ୟମ ସାମ୍ନାରେ ନିଜ ଔଦ୍ଧତ୍ୟର ପରିପ୍ରକାଶ କରି ଏପରି ସମାଲୋଚନାର ପାତ୍ର ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି।
ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଛନ୍ତି ସାଂସଦ ଅନୁଭବ ମହାନ୍ତି। କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍ କଦର୍ଥ କରୁଛ ବୋଲି ଆକ୍ଷେପ କରିବା ସହ ତାଚ୍ଛଲ୍ୟ କରିବାକୁ ବି ପଛାଇ ନାହାନ୍ତି । କେବଳ ଅନୁଭବ ନୁହନ୍ତି, ତାଙ୍କର କିଛି ଅନୁଗତ ବି ଅନୁଭବଙ୍କ ସହ ସ୍ୱର ମିଳାଉଥିବାର ଦେଖିବାକୁ ମିଳିଛି।
ସାମ୍ବାଦିକଙ୍କୁ ଅନୁଭବ ଦୁର୍ବ୍ୟବହାର କରିବା ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ । କହିଛନ୍ତି ଅନୁଭବଙ୍କ ଏଭଳି ଆଚରଣ ଗୁଣ୍ଡାଗିରି ସହ ସମାନ । ସମସ୍ତେ ଏହାକୁ କଡ଼ା ଭାଷାରେ ନିନ୍ଦା କରିବ ଉଚିତ୍। ସେହିଭଳି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ମଧ୍ୟ ଅନୁଭବଙ୍କ ଏଭଳି ଔଦ୍ଧତ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ବରିଷ୍ଠ ସାମ୍ବାଦିକ ରବି ଦାସ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ରାଜନୈତିକ ଆକ୍ରୋଶ ରଖି ଅନୁଭବ ଏପରି କରୁଥିବା କହିଛନ୍ତି।
ଅପରପକ୍ଷେ ଅନୁଭବ ମହାନ୍ତିଙ୍କ ବ୍ୟବହାର ବିରୋଧରେ ରାସ୍ତାକୁ ଓହ୍ଲାଇଛି କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ସଂଘ । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ରାପଡ଼ାର ସାମ୍ବାଦିକମାନେ ଏକ ଶୋଭାଯାତ୍ରାରେ ଆସିବା ସହ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାଂସଦ ଅନୁଭବ ମହାନ୍ତି ତୁରନ୍ତ ଇସ୍ତଫା ଦିଅନ୍ତୁ, ନଚେତ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସାମ୍ବାଦିକ ସଂଘ ।
ସାଂସଦ ଅନୁଭବ ମହାନ୍ତିଙ୍କ ଏଭଳି ବ୍ୟବହାର ପ୍ରଥମ ନୁହେଁ। ଗତ କିଛି ଦିନ ତଳେ ଅନୁଭବଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଲଗାଇଥିଲେ ତାଙ୍କ ପଡ଼ୋଶୀ ତଥା ବିଜେଡିର ଛାତ୍ର ନେତା ମନ୍ଜିତ ଦାସ । ଗାଳି, ଗୁଳଜ କରିବା ସହ ଅନୁଭବ କ୍ଷମତାର ଅପବ୍ୟବହାର କରିଥିବା ନେଇ ଅଭିଯୋଗ କରିଥିଲେ ମନ୍ଜିତ । ସୋଶାଲ ମିଡିଆରେ ବାରମ୍ବାର ଅପପ୍ରଚାର କରିବା ସହ ସେ ମିଥ୍ୟା ଅଭିଯୋଗ କରୁଥିବା ସେ କହିଥିଲେ। ଏପରିକି ଥାନାରେ ପହଞ୍ଚିଥିଲା ଏହି ମାମଲା । ଅନୁଭବଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ମନ୍ଜିତ । ମନ୍ଜିତଙ୍କ ନାଁରେ ବି ଅଭିଯୋଗ କରିଛନ୍ତି ଅନୁଭବ।
ସେହିଭଳି ଗତ ଜୁଲାଇ ମାସରେ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସଙ୍କ ନାଁରେ ବି ଜଣେ ମହିଳା ସାମ୍ବାଦିକ ଦୁର୍ବ୍ୟବହାରର ଅଭିଯୋଗ ଆଣିଥିଲେ। ସାମ୍ବାଦିକାଙ୍କୁ ସାଂସଦ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସ ମିଶି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ମାମଲା ବି ଥାନାରେ ରହିଛି ।
from Odisha Reporter https://ift.tt/36zFv4F
No comments:
Post a Comment