- ଇଂ ଆଭାସ କୁମାର କ୍ଷେତୀ
ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଓ ପିକ୍ନିକ୍ ସ୍ପଟ୍ ପାଇଁ ଏହା ଖୁବ୍ ପ୍ରସିଦ୍ଧ। ଏଠାକାର ରମଣୀୟ ପରିବେଶ ସବୁ ବର୍ଗର ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ। ଖାସ୍ କରି ପ୍ରକୃତିପ୍ରେମୀ ପର୍ଯ୍ୟଟକମାନଙ୍କ ପାଇଁ ଏହି ସ୍ଥାନଟି ସ୍ୱର୍ଗ ସଦୃଶ। ବିଶେଷକରି ଏଠାକାର ପଞ୍ଚଧାର ପର୍ବତମାଳା ସହିତ ଘଞ୍ଚ ଜଙ୍ଗଲ, ଝରଣାର କୁଳୁକୁଳୁ ନାଦ ତଥା ଉଷ୍ଣପ୍ରସ୍ରବଣ ଆଦି ବାସ୍ତବିକ ପ୍ରକୃତିର ଗୋଟିଏ ଗୋଟିଏ ଅନବଦ୍ୟ ସୃଷ୍ଟି କହିଲେ ଅତ୍ୟୁକ୍ତି ହେବନାହିଁ।
କ’ଣ ଦେଖିବେ : ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଆଠମଲ୍ଲିକର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ। ଏଠାକାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରହିଛି କୁକୁଡ଼ାଦରହ। ବଣଭୋଜି ପାଇଁ ଏହି ସ୍ଥାନଟି ବେଶ୍ ଲୋକପ୍ରିୟ। ସେହିପରି ଆଠମଲ୍ଲିକରୁ କିଆକଟା ରାଜ୍ୟ ରାଜପଥରେ ମାତ୍ର ୫ କିଲୋମିଟର ଗଲେ ପଡ଼େ ଓଡ଼ଶିଙ୍ଗା ଗ୍ରାମ। ଏହି ଗ୍ରାମରେ ରହିଛି ଦେଉଳଝରି ଉଷ୍ଣପ୍ରସ୍ରବଣ ଓ ଶ୍ରୀ ସିଦ୍ଧେଶ୍ୱର ବାବା ଶୈବପୀଠ।
କିଆବଣରେ ପରିବେଷ୍ଟିତ ଏହି ଆଧ୍ୟାତ୍ମିକ ସ୍ଥଳୀରେ ବାବାଙ୍କ ଲିଙ୍ଗରୁ ଅନବରତ ଜଳ ଉଦ୍ଗୀରଣ ହେଉଥାଏ, ଯାହା ବାବାଙ୍କ ଲିଙ୍ଗକୁ ଧୌତ କରିଥାଏ। ପୂର୍ବରୁ ଏଠାରେ ଛୋଟବଡ଼ ହୋଇ ୮୪ଟି ଉଷ୍ଣପ୍ରସ୍ରବଣ କୁଣ୍ଡ ଥିବାବେଳେ ଏବେ ମାତ୍ର ୨୪ଟି କୁଣ୍ଡ ଦେଖିବାକୁ ମିଳୁଛି। ଏଠାରେ ଭକ୍ତମାନଙ୍କ ସ୍ନାନ ପାଇଁ ଉଦ୍ଦିଷ୍ଟ ଥିବା ଦୁଇଟି ସ୍ନାନକୁଣ୍ଡର ଜଳ ପରସ୍ପରକୁ ଲଗାଲଗି ହୋଇ ରହିଛି।
ଉଭୟକୁଣ୍ଡର ଜଳ ପରସ୍ପର ମଧ୍ୟରେ ପ୍ରବାହିତ ହେଉଥିବାବେଳେ ଗୋଟିଏ କୁଣ୍ଡର ଜଳ ଗରମ ହୋଇଥିବା ବେଳେ ଅନ୍ୟଟି ଥଣ୍ଡା ଏବଂ ଉଭୟଙ୍କ ତାପମାତ୍ରା ସ୍ଥିର, ଯାହାକି ଅନ୍ୟ କୌଣସି ଉଷ୍ଣପ୍ରସ୍ରବଣଠାରୁ ଦେଖିବାକୁ ମିଳେ ନାହିଁ।
ସେହିପରି ଆଠମଲ୍ଲିକଠାରୁ ପୂର୍ବକୁ ୨୫ କିଲୋମିଟର ଦୂରକୁ ଗଲେ ମହାନଦୀ କୂଳରେ ମା’ ବିନିକେୟୀ ପୀଠ ଅବସ୍ଥିତ। ଭଉୟ ମହାନଦୀର ଅବବାହିକା ଓ ପଞ୍ଚଧାର ପର୍ବତର ମିଳନସ୍ଥଳୀ ହେଉଛି ବିନିକେୟୀ। ଏଠାରେ ମା’ ବିନିକେୟୀଙ୍କ ମନ୍ଦିର ଥିବାବେଳେ, ଏଠାକାର ମନଛୁଆଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ପର୍ଯ୍ୟଟକଙ୍କର ମନ ମୋହିଥାଏ। ସେହିପରି ବିନିକେୟୀ ମଧ୍ୟ ହେଉଛି ସାତକୋଶିଆ ଗଣ୍ଡର ଉତ୍ପତ୍ତିସ୍ଥଳ। ଏଠାରେ ପର୍ଯ୍ୟଟକଙ୍କର ମନୋରଞ୍ଜନ ପାଇଁ ନୌବିହାରର ସୁବ୍ୟବସ୍ଥା ରହିଛି।
ଆଠମଲ୍ଲିକର ଯଦୁପୁରଠାରେ ୩ କିଲୋମିଟର ଦୂରରେ ରହିଛି ଝିମେଇଚୁଆର ବାବା ଗୁପ୍ତେଶ୍ୱର ଶୈବପୀଠ। ଏହି ଶୈବପୀଠକୁ ଲାଗି ରହିଛି ଘଞ୍ଚ ଜଙ୍ଗଲ, ପାହାଡ଼ ଓ ଝରଣା। ବର୍ଷସାରା ବାବାଙ୍କ ଲିଙ୍ଗଟି ଜଳରେ ବୁଡ଼ି ରହିବା ସହ ଏହି ଲିଙ୍ଗରୁ ମଧ୍ୟ ଜଳ ଉଦ୍ଗୀରଣ ହୋଇଥାଏ। ଏଠାକାର ଥଣ୍ଡା ଓ ପ୍ରାକୃତିକ ପରିବେଶ ଖୁବ୍ ମନଛୁଆଁ।
ଏତଦ୍ବ୍ୟତୀତ ଆଠମଲ୍ଲିକ ସହର ନିକଟରେ ଆହୁରି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି। ସେଗୁଡ଼ିକ ହେଉଛି ମହାନଦୀ କୂଳରେ ଥିବା ବେଲପୁଞ୍ଜି ମଠ, ମାନ୍ଜୋର୍ ଡ୍ୟାମ୍, ସୁରେଶ୍ୱରୀ ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀ ମନ୍ଦିର, କୋରାବ୍ ଜଙ୍ଗଲ, ଟକବା ଜଙ୍ଗଲ, ତଲେଇ ପଥର, କେତକୀଝରଣ ଇଦ୍ୟାଦି।
କେମିତି ଯିବେ : ସଡ଼କ ପଥରେ ଭୁବନେଶ୍ୱରଠାରୁ ଆଠମଲ୍ଲିକର ଦୂରତା ୨୨୦ କିଲୋମିଟର। କଟକ, ଅନୁଗୁଳ, ସମ୍ୱଲପୁର, ବୌଦ୍ଧରୁ ସିଧାସଳଖ ବସ୍ ଯୋଗେ ଏଠାକୁ ଯାଇହେବ। ନିକଟତମ ରେଳଷ୍ଟେସନ ହେଉଛି ବଇଣ୍ଡା। ସେଠାରେ ପହଞ୍ଚି ଟ୍ୟାକ୍ସି କିମ୍ୱା ବସ୍ରେ ସୁବିଧାରେ ଆପଣ ଆଠମଲ୍ଲିକ ଯାଇପାରିବେ।
କେଉଁଠି ରହିବେ : ପର୍ଯ୍ୟଟକଙ୍କ ରହିବା ପାଇଁ ଆଠମଲ୍ଲିକରେ ପୂର୍ତ୍ତ ବିଭାଗ ବଙ୍ଗଳା, ମାନ୍ଜୋର୍ ବଙ୍ଗଳା, ଏନ୍ଏସି ଧର୍ମଶାଳା ଏବଂ ସିର୍କିଟ୍ ହାଉସ୍ ଆଦିର ବ୍ୟବସ୍ଥା ରହିଛି।
କ’ଣ କିଣିବେ : ଆଠମଲ୍ଲିକଠାରୁ ୨୦ କିଲୋମିଟର ଦୂରରେ ବେଲାଦୁଲା ନାମକ ଏକ ଗ୍ରାମ ରହିଛି। ସେଠାକାର ବୁଣାକାରମାନଙ୍କ ହାତ ତିଆରି ସମ୍ୱଲପୁରୀ ଶାଢ଼ି ଖୁବ୍ ପ୍ରସିଦ୍ଧ। ସେହିପରି ପର୍ଯ୍ୟଟକ ଚାହିଁଲେ ଆଠମଲ୍ଲିକରୁ ବାଉଁଶରେ ତିଆରି ବିଭିନ୍ନ ପ୍ରକାର ହସ୍ତ ଶିଳ୍ପକୁ ବେଶ୍ ସୁଲଭ ଦରରେ କିଣି ପାରିବେ।
କେବେ ଯିବେ : ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ବେଶ୍ ଭିଡ଼ ଲାଗିରହେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏପରିକି ବହୁ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏଠାକୁ ବୁଲି ଆସିଥା’ନ୍ତି। ତେବେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ, ଏଠାକୁ ଯିବା ପାଇଁ ଅକ୍ଟୋବରରୁ ଫେବୃଆରୀ ହେଉଛି ସବୁଠାରୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ସ୍ଥାନୀୟ ପରିବେଶ ବୁଲାବୁଲି କରିବା ପାଇଁ ଉପକୂଳ ହେବା ସହ ବଣଭୋଜି କରିବା ପାଇଁ ବେଶ୍ ମଜା ଲାଗିଥାଏ।
(ବିଦ୍ର- ଏହି ଲେଖାଟିକୁ ଡକ୍ଟର ସୁଶୀଲ କୁମାର ବାଗ୍ଙ୍କ ଅନୁମତି କ୍ରମେ ‘ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା’ ପୁସ୍ତକରୁ ଅଣାଯାଇଛି।)
from Odisha Reporter https://ift.tt/2p39Wzh
No comments:
Post a Comment